ନିର୍ବାଚନୀ ହିଂସା କିଏ କରୁଛି? ବିଜେପି-ବିଜେଡି ଦୋଷ ଲଦାଲଦି

ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭରେ ବସିଲେ ଉଭୟ ଦଳ
କମିସନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ପ୍ରଥମ ତିନି ପର୍ଯ୍ୟାୟରେ ବ୍ୟାପକ ନିର୍ବାଚନୀ ହିଂସା ହେବା ପରେ ଏବେ ବିଜେପି ଓ ବିଜେଡି ପରସ୍ପରକୁ ଦୋଷ ଦିଆଦେଇ ହେଉଛନ୍ତି। ଏପରିକି ରାଜ୍ୟ ନିର୍ବାଚନ କମିସନ ସବୁ ପ୍ରମାଣ ପାଇବା ପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଅଭିଯୋଗ କରି ଦୁଇ ଦଳ ବୁଧବାର ଦିନ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବିଜେପି କହିଛି ଯେ, ବହୁ ସ୍ଥାନରେ ବିଜେଡି କର୍ମୀମାନେ ଗଣ୍ଡଗୋଳ କରିବା ସହ ୨୦୦ରୁ ଅଧିକ ସ୍ଥାନରେ ବୁଥ୍ ରିଗିଂ କରିବାର ପ୍ରମାଣ ରାଜ୍ୟ ନିର୍ବାଚନ କମିସନଙ୍କୁ ଦେଇଛୁ । ହେଲେ ୪୯ଟି ସ୍ଥାନରେ ସାନି ମତଦାନ କରିବାକୁ ନିର୍ଦ୍ଦେଶ ଦେଇ କମିସନ ଚୁପ୍ ବସିଯାଇଛନ୍ତି। ନିର୍ବାଚନ କମିସନ ଶାସକ ବିଜେଡି ପାଇଁ ପକ୍ଷପାତିତା କରୁଛନ୍ତି, ଭୋଟ୍ ବେଳେ କୌଣସି ଅନିୟମିତତା ନେଇ ଅଭିଯୋଗ କଲେ ବିଜେପି କର୍ମୀଙ୍କୁ ପୁଲିସ ମାଡ଼ ମାରୁଛି। ଏପରିକି ବିଜେପି କର୍ମୀ ବିବେକାନନ୍ଦ ରଣବିଜୁଳିଙ୍କ ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି। ତେଣୁ ହିଂସାକାଣ୍ଡ ଭିଆଇଥିବା ବିଜେଡି ନେତାଙ୍କୁ ଗିରଫ କରାଯାଉ ବୋଲି ବିଜେପି ଅଭିଯୋଗ କରି ନିର୍ବାଚନ କମିସନଙ୍କୁ ଦାବି ପତ୍ର ଦେଇଛି।

ଅପରପକ୍ଷେ ବିଜେଡି ନେତାମାନେ ବୁଧବାର ଦିନ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ନିର୍ବାଚନ କମିସନଙ୍କୁ ଦାବି ପତ୍ର ଦେଇଛନ୍ତି। ବିଜେଡି ଅଭିଯୋଗ କରିଛି ଯେ, ବିଜେପି ନେତା, କର୍ମୀ ଓ ଦଳ ପକ୍ଷରୁ ନିୟୋଜିତ ଅସାମାଜିକ ବ୍ୟକ୍ତିଙ୍କ ଦ୍ବାରା ନିର୍ବାଚନରେ ବାରମ୍ବାର ବ୍ୟାଘାତ ସୃଷ୍ଟି କରାଯାଉଛି। ବିଭିନ୍ନ ସ୍ଥାନରେ ବାରମ୍ବାର ହିଂସା ଘଟାଇବା ସହ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରାଯାଉଛି। ବିଜେପି କର୍ମୀ ଓ ସେମାନଙ୍କ ଦ୍ବାରା ନିୟୋଜିତ ଗୁଣ୍ଡା ବାହିନୀର ଆକ୍ରମଣରୁ ପୁଲିସ, ସୁରକ୍ଷାକର୍ମୀ, ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ସରକାରୀ ଅଧିକାରୀ, ସାଧାରଣ ଜନତା ଓ ବିଜେଡ଼ି କର୍ମୀ କେହି ବର୍ତ୍ତି ନାହାନ୍ତି। ଏନେଇ ନିର୍ବାଚନ କମିସନଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ବେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ତେଣୁ ଦୋଷୀ ବିଜେପି ନେତା ଓ କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ପୁଣି ଦାବି କରିଛୁ। ଆଜି ବିଜେପି ପକ୍ଷରୁ ସୁରଥ ବିଶ୍ବାଳ, ମନମୋହନ ସାମଲ, ପ୍ରଦୀପ ପୁରୋହିତ, ଜଗନ୍ନାଥ ପ୍ରଧାନ, ସୁରମା ପାଢ଼ୀ, ଭୃଗୁ ବକ୍ସିପାତ୍ର ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେହିପରି ବିଜେଡି ପକ୍ଷରୁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ ଦେବୀ ରଂଜନ ତ୍ରିପାଠୀ, ସଂଯୁକ୍ତା ମହାନ୍ତି, ଇପସିତା ସାହୁ ଏବଂ ବହୁ ବିଜେଡି ‌େନତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର