ନିର୍ବାଚନ ପୂର୍ବରୁ ପିପିଲିରେ ହିଂସା: ବିଜେଡି ପ୍ରାର୍ଥୀ, ବିଜେପି କର୍ମୀ ଗୁରୁତର; ଜାତୀୟ ରାଜପଥ ୧ଘଣ୍ଟା ଅବରୋଧ

ପିପିଲି : ପଞ୍ଚାୟତ ନିର୍ବାଚନକୁ ନେଇ ସୋମବାର ଦିନ ପିପିଲିରେ ରାଜନୈତିକ ହିଂସାକାଣ୍ତ ଘଟିଛି। ଏଥିରେ ୨୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ବିଜେଡି ପ୍ରାର୍ଥୀ ଧରଣୀଧର ସାହୁ ଓ ବିଜେପି କର୍ମୀ ବିକ୍ରମ ସ୍ବାଇଁ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ଦାବିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ସାହୁଙ୍କର ସମର୍ଥକ ଓ ବିଜେଡି କର୍ମୀମାନେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ତେଇଶିପୁରଠାରେ ୧ ଘଣ୍ଟା ଧରି ଅବରୋଧ କରିଥିଲେ। ଖବର ପାଇ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ମଙ୍ଗଳପୁର ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ସାହୁଙ୍କୁ ଭେଟିବା ସହ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳଙ୍କ ସହ ଆଲୋଚନା କରିଛନ୍ତି।

ପିପିଲି ବ୍ଲକ୍‌ ଅନ୍ତର୍ଗତ ୨୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ବିଜେଡି ପ୍ରାର୍ଥୀ ଧରଣୀଧର ସାହୁ ସୋମବାର ସନ୍ଧ୍ୟାରେ ପୋଟଳ ଗ୍ରାମରେ ଭୋଟ୍ ପ୍ରଚାର କରୁଥିଲେ। ଏହି ସମୟରେ ବିରୋଧୀ ଗୋଷ୍ଠୀର କେତେକ ଯୁବକ ସେଠାରେ ପହଞ୍ଚି ଶ୍ରୀ ସାହୁଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏଥିରେ ଶ୍ରୀ ସାହୁ ଆହତ ହୋଇଥିଲେ। ଶ୍ରୀ ସାହୁଙ୍କୁ ଚିକିତ୍ସା ଲାଗି ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ତାଙ୍କ ସମର୍ଥକମାନେ ତେଇଶିପୁରସ୍ଥିତ ପୋଡଙ୍ଗ ଗ୍ରାମ୍ୟଛକ ନିକଟରେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ସନ୍ଧ୍ୟା ସାଢେ ୬ଟାରୁ ଅବରୋଧ କ଼ରିଥିଲେ। ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଅଭିମନ୍ୟୁ ନାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ସାଢେ ୭ଟାରେ ରାସ୍ତା ଅବରୋଧ ହଟିଥିଲା। ଆକ୍ରମଣ ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ସାମ୍ବାଦିକ ବିଜୟ କୁମାର ମହାପାତ୍ର ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପିପିଲି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନେ ଦାବି କରିଛନ୍ତି। ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ବିକ୍ରମ ଆହତ ହୋଇଥିବା ଓ ସେ ସାକ୍ଷୀଗୋପାଳ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର