ରେମୁଣାରେ ପ୍ରାକ୍ ନିର୍ବାଚନୀ ହିଂସା: ବିଜେଡି-ବିଜେପି ସମର୍ଥକ ମୁହାଁମୁହିଁ; ଜଣେ ଗୁରୁତର

ରେମୁଣା: ବାଲେଶ୍ବର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ ମହାନ୍ତିପଡ଼ା ଗ୍ରାମରେ ଶୁକ୍ରବାର ଦିନ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଘର ଭିତରେ ଆକ୍ରମଣକାରୀ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ବଡ଼ପାଳ ପଞ୍ଚାୟତର ଆଦିବାସୀ ସାହିରେ ଶୁକ୍ରବାର ଦିନ ଲାଇଟ ଲଗାଇବାକୁ କେନ୍ଦ୍ର କରି ଉଭୟ ବିଜେପି ଓ ବିଜେଡି ସମର୍ଥକ ମୁହାଁମୁହିଁ ହୋଇଥିଲେ। ଫଳରେ ଜଣେ ଯୁବକଙ୍କୁ ଗୋଟିଏ ଗୋଷ୍ଠୀ ଅଟକାଇ ଘରକୁ ନେଇ ବାନ୍ଧି ପକାଇଥିଲେ। ଏହାକୁ କେନ୍ଦ୍ର କରି ପରେ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଘଟଣାରେ ଗ୍ରାମର ଲକ୍ଷ୍ମୀଧର ମହାନ୍ତି ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ବର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତେବେ ଏହି ଗୋଷ୍ଠୀ ସଂଘର୍ଷରେ ବିପକ୍ଷ ଗୋଷ୍ଠୀର ମଧ୍ୟ ଜଣେ ଯୁବକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଖବର ପାଇ ରେମୁଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ରହିଛି।

ପଞ୍ଚାୟତ ନିର୍ବାଚନକୁ ନେଇ ଗତ ସପ୍ତାହକ ମଧ୍ୟରେ ରେମୁଣା ଥାନା ଅଞ୍ଚଳରେ ୩ଟି ରାଜନୈତିକ ହିଂସାକାଣ୍ଡ ଘଟି ସାରିଲାଣି। ପ୍ରଥମେ କଲ୍ୟାଣପୁର ପଞ୍ଚାୟତ, ପରେ ତେନ୍ତୁଳଦା ପଞ୍ଚାୟତ ଆଉ ଆଜି ବଡ଼ପାଳ ପଞ୍ଚାୟତରେ ଘଟିଥିବା ରାଜନୈତିକ ହିଂସାକାଣ୍ଡ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି। ନିର୍ବାଚନକୁ ଆଉ ୪ ଦିନ ବାକି ଥିବା ବେଳେ କିପରି ଏହା ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ ହୋଇପାରିବ ସେ ନେଇ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର