ନିର୍ବାଚନୀ ହିଂସାକାଣ୍ଡ: ଆଠଗଡ଼ ଓ ପିପିଲିରେ ୬ ଗିରଫ

୨ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ତରଡ଼ିଙ୍ଗ ଗ୍ରାମରେ ଗୁରୁବାର ନିର୍ବାଚନୀ ହିଂସାକାଣ୍ଡରେ ଦୁଇଜଣ ଆହତ ହୋଇଥିଲେ। ଏହି ଘଟଣାରେ ଆଜି ତିନିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି। ଅଭିଯୋଗ ମୁତାବକ, ଗୁରୁବାର ରାତି ପ୍ରାୟ ୯ଟାରେ ତରଡ଼ିଙ୍ଗ ଗ୍ରାମର ଜଗନ୍ନାଥ ମନ୍ଦିର ଛକ ନିକଟରେ ବିଜେପିର କିଛି ସମର୍ଥକ ପ୍ରଚାର କରିବା ସହ ଟଙ୍କା ଓ ମଦ ବାଣ୍ଟୁଥିଲେ। ଏହା ଦେଖି ବିଜେଡି ସମର୍ଥକମାନେ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜେପି ସମର୍ଥକମାନେ ବିଭିନ୍ନ ମାରଣାସ୍ତ୍ର ଧରି  ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ବିଜେଡି ସମର୍ଥକ ପ୍ରକାଶ ମଲ୍ଲିକ (୪୦) ଓ ପ୍ରକାଶଙ୍କ ପୁତୁରା ଆଦିତ୍ୟ ମଲ୍ଲିକ(୧୨) ଗୁରୁତର ଆହତ ହୋଇଥିଲେ। ପରିବାରବର୍ଗ ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ଆଦିତ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଏ ସମ୍ପର୍କରେ ପ୍ରକାଶଙ୍କ ପତ୍ନୀ ସଂଯୁକ୍ତା ମଲ୍ଲିକ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା (କେସ୍‌ ନମ୍ବର-୧୪୭/୨୪; ଦଫା-୩୪୧, ୨୯୪, ୩୨୩, ୩୨୪, ୩୦୭, ୩୫୪(ବି), ୫୦୬ ଓ ୩୪ ଆଇପିସି) ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା। ଏହି ଘଟଣାରେ ପୁଲିସ ୩ଜଣ ଅଭିଯୁକ୍ତ ତରଡ଼ିଙ୍ଗ ଗ୍ରାମର ରଞ୍ଜିତ୍‌ ମଲ୍ଲିକ, ବବୁଲ୍‌ ମଲ୍ଲିକ ଓ ମିଥୁନ ମଲ୍ଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବୋଲି ତଦନ୍ତକାରୀ ଅଧିକାରୀ ସମ୍ବୁତି ପଣ୍ଡା ସୂଚନା ଦେଇଛନ୍ତି।

ପିପିଲି: ପିପିଲି ଥାନା ସହଜପୁର ପଞ୍ଚାୟତ ଅନ୍ତର୍ଗତ ସୁହାଗପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି ସମର୍ଥିତ ମଙ୍ଗଳପୁର ପଞ୍ଚାୟତ ସମିତିସଭ୍ୟଙ୍କ ସମେତ ୪ଜଣ ଆହତ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ, ସୁହାଗପୁରର ରମେଶ ସେଠୀ, ମହେଶ୍ବର ସାହୁ ଓ ପ୍ରକାଶ ବେହେରା।

ଘଟଣା ସଂପର୍କରେ ପାଇକପଡ଼ାର ଉପେନ୍ଦ୍ର ବେହେରା ଥାନାରେ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥି‌ଲେ ଯେ ସୁହାଗପୁର ଗାଁର ବିଜେପି ସମର୍ଥିତ ଆଦିତ୍ୟ ପ୍ରସାଦ ପାଣିଙ୍କ ଘର ଉପରକୁ କିଛି ବିଜେଡି କର୍ମୀ ଗତକାଲି ରାତିରେ ଢେଲାପଥର ମାଡ଼ କରିବା ସହ ଧରିଥିବା ଲୁହାଛଡ଼ରେ କବାଟ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ। ସୂଚନା ପାଇ ଅଭିଯୋଗକାରୀ ପୁଲିସ ସହ ଯୋଗାଯୋଗ କରିଥିଲେ। କିନ୍ତୁ ପୁଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଅଭିଯୋଗକାରୀ ଉପେନ୍ଦ୍ର ଓ ତାଙ୍କ ସହଯୋଗୀମାନେ ଆଦିତ୍ୟଙ୍କ ଘର ନିକଟରେ ପହଞ୍ଚିଥିଲେ। ସେଠାରେ ଥିବା ବିଜେଡି କର୍ମୀମାନେ ଉପେନ୍ଦ୍ର ଓ ତାଙ୍କ ସାଥୀମାନଙ୍କୁ ଜାତିଗତ ଆକ୍ଷେପ କରି ଗାଳି ଦେବାସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ଗଦାଧର ପରିଡ଼ା, ସଂଜୟ ପଣ୍ଡାଙ୍କ ସମେତ ଅନ୍ୟମାନେ ଗୁରୁତର ହୋଇଥିଲେ। ଦୁଇଟି ବାଇକ୍‌କୁ ସେମାନେ ଭାଙ୍ଗିଦେଇଥିବା ନେଇ ଅଭିଯୋଗ ହୋଇଛି।

ଗଦାଧର ଓ ସଂଜୟଙ୍କୁ ତୁରନ୍ତ ମଙ୍ଗଳପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଖବର ପାଇ ଡାକ୍ତରଖାନାରେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପହଞ୍ଚି ଆହତମାନଙ୍କୁ ଭେଟିଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ଦୁଇ ଜଣ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଆକ୍ରମଣର ଶିକାର ହୋଇଥିବା ବିଜେପି କର୍ମୀମାନେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ପିପିଲି ଥାନାରେ ବିଳମ୍ବିତ ରାତିରେ ଧାରଣା ଦେଇଥିଲେ। ଥାନା ଆଇଆଇସି ଦୀପକ ଖଣ୍ଡାୟତରାୟ ଓ ଏସ୍‌ଡିପିଓ ବିରଞ୍ଚି ନାରାୟଣ ପତି ଅନଶନକାରୀଙ୍କ ସହିତ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର