ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା: ୬ ଆହତ

କାଳିଆପାଣି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ରବିବାର ସଂଧ୍ୟାରେ ନିର୍ବାଚନ ପ୍ରଚାର ଶେଷହୋଇଛି। ଏହା ପୂର୍ବରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଟମକ‌ା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁରରେ ଦୁଇ ରାଜନୈତିକ ଦଳ ମଧ୍ୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଥିରେ ଉଭୟପକ୍ଷର ୬ ଜଣ ଆହତ ହୋଇଛନ୍ତି। ଛକ, ବଜାର ଓ ଗାଁରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଉଭୟପକ୍ଷ ଛକାପଞ୍ଝାରେ ରହୁଛନ୍ତି।

କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଶୁକଦେବ ମହାନ୍ତିଙ୍କ ଦୁଇ ସଂପର୍କୀୟ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରପଦା ଓ ସାଇଁକୁଳ ଗାଁର ଚିତ୍ତରଞ୍ଜନ ପରିଡ଼ା ଓ ମନମୋହନ ପରିଡ଼ା ବୁଲେଟ୍‌ରେ ଯାଉଥିବା ବେଳେ ନିର୍ବାଚନ ପ୍ରସଙ୍ଗକୁ ନେଇ ବିଜେଡି ସମର୍ଥକଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ବିଜେଡି ସମର୍ଥକ ଗୋବର୍ଦ୍ଧନପୁର ଗାଁର ପ୍ରମୋଦ ବେହେରା ଓ କୁଳମଣି ଖୁଣ୍ଟିଆଙ୍କ ମୁଣ୍ଡ ଫାଟିଥିବା ଏବଂ ଅଜୟ ବେହେରା ଓ ଜେମାଦେଇପୁର ଗାଁର ସହଦେବ ପାତ୍ରଙ୍କ ଦେହରେ ମାଡ଼ ଦାଗ ରହିଥିବା ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରଦ୍ୟୁମ୍ନ ବାରିକ ଅଭିଯୋଗ କରନ୍ତି।

ଅନ୍ୟପକ୍ଷରେ ବିଜେଡି ସମର୍ଥକ ଚିନ୍ତାମଣି ସାହୁ, କୁଳମଣି ଖୁଣ୍ଟିଆ, ଯଦୁନାଥ ଖୁଣ୍ଟିଆ, ପ୍ରମୋଦ ବେ‌ହେରା, ସନ୍ତୋଷ ସେଠୀ, ଷେଣ୍ଢ ପାତ୍ର ପ୍ରମୁଖଙ୍କ ମାଡ଼ରେ ଚିତ୍ତରଞ୍ଜନ ଓ ମନମୋହନଙ୍କ ମୁଣ୍ଡ ଫାଟିଥିବା ଏବଂ ଉଭୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏହି ହିଂସାକାଣ୍ଡରେ ୧୫ ରୁ ୨୦ ବିଜେଡି ସମର୍ଥକ ସଂପୃକ୍ତ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏସଂପର୍କରେ ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାରେ ପ୍ରସଙ୍ଗକୁ ସେ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର