ଭୁବନେଶ୍ବର: ସମ୍ପ୍ରତି ରାଜ୍ୟରେ ରାଜନୈତିକ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। ଦକ୍ଷିଣ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଏବଂ ରାଜଧାନୀରୁ ପୂରା ଉପକୂଳ ଓଡ଼ିଶା ଧୀରେଧୀରେ ଅଶାନ୍ତ ହେବାରେ ଲାଗିଛି। ଦିନକୁ ଦିନ ନିର୍ବାଚନୀ ହିଂସା ଉଗ୍ର ରୂପ ଧାରଣ କଲାଣି। ସାମାନ୍ୟ କଥାକୁ ନେଇ ଗୁଳି ମାଡ଼ ଓ ଖଣ୍ଡା ପାହାର ପର୍ଯ୍ୟନ୍ତ କଥା ଗଲାଣି। ଗଞ୍ଜାମରେ ମୁଣ୍ଡ ଗଡ଼ିଛି। ତେଣୁ ଅବାଧ ଓ ଶୃଙ୍ଖଳିତ ନିର୍ବାଚନ ବାଧାପ୍ରାପ୍ତ ହେଉଛି ବୋଲି ବିଭିନ୍ନ ମହଲରୁ ଗୁରୁତର ଅଭିଯୋଗ ଉଠିଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଘଟଣାର ଗମ୍ଭୀରତା ଅନୁଭବ କରି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ଆଜି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗଣ୍ଡଗୋଳକାରୀମାନଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଆଜି ରାଜ୍ୟର ସମସ୍ତ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗଞ୍ଜାମ ହିଂସାକାଣ୍ଡକୁ ନେଇ ଆଜି ଡିଜିପି ଶ୍ରୀ ଷଡ଼ଙ୍ଗୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ସବୁ ଜିଲ୍ଲାର ଏସ୍ପିଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ, କୌଣସି ପ୍ରକାର ନିର୍ବାଚନୀ ହିଂସାକୁ ଦୃଢ଼ହସ୍ତରେ ଦମନ କର। ତୁରନ୍ତ ମାମଲା ରୁଜୁ କରି ଗିରଫ କରିବାକୁ ଶ୍ରୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଥିଲେ। କୌଣସି ପରିସ୍ଥିତିରେ ହିଂସାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଡିଜିପି କହିଥିଲେ, ଗଞ୍ଜାମ ହିଂସାକାଣ୍ଡ ନିୟନ୍ତ୍ରଣାଧୀନ ରହିଛି ଓ ସେଠାକୁ ୨୦ କମ୍ପାନି ଅର୍ଦ୍ଧ ସାମରିକ ବାହାନୀ ପଠାଯାଇଛି।
ଖଲ୍ଲିକୋଟ ହତ୍ୟା ତଦନ୍ତ କରିବ ଏସ୍ଆଇଟି, ୩୦ ଦିନ ଭିତରେ ଚାର୍ଜସିଟ୍, ଗଞ୍ଜାମ ଜଗିଲେ ଏଡିଜି
ବ୍ରହ୍ମପୁର/ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅଧୀନ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଘଟିଥିବା ରାଜନୈତିକ ହିଂସା ଓ ହତ୍ୟା ଘଟଣାର ତଦନ୍ତ ଏସ୍ଆଇଟି (ସ୍ବତନ୍ତ୍ର ଅନୁସଂଧାନକାରୀ ଦଳ) ଆରମ୍ଭ କରିଛି। କେବଳ ସେତିକି ନୁହେଁ, ଏହି ହତ୍ୟା ମାମଲାର ଶୀଘ୍ର ବିଚାର କରାଯିବା ନିମନ୍ତେ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ଡିଜିପି ଅରୁଣ ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି। ଏହା ସହ ପ୍ରାକ୍ ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ମୁଖ୍ୟାଳୟ) ଆର୍ କେ ଶର୍ମା ନିର୍ବାଚନ ଶେଷ ଯାଏ ଛତ୍ରପୁରରେ ରହିବେ। ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଶର୍ମା ଗଞ୍ଜାମ ଜିଲ୍ଲାର ଆଇନଶୃଙ୍ଖଳା ତଦାରଖ ପାଇଁ ତୁରନ୍ତ ଖଲ୍ଲିକୋଟ ଥାନାରେ ପହଞ୍ଚିଛନ୍ତି। ତେବେ ଗଣମାଧ୍ୟମକୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ। ଏସ୍ଆଇଟି ଘଟଣାର ତଦନ୍ତ କରିବ ବୋଲି କେବଳ କହିଥିଲେ। ଏହି ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ୍ ଆଇଜି ଜୟନାରାୟଣ ପଙ୍କଜ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଗତ ୧୫ତାରିଖ ରାତିରେ ଘଟିଥିବା ରାଜନୈତିକ ହିଂସାକାଣ୍ଡରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ଘଟିଥିଲା। କିଛି ବିଜେଡି କର୍ମୀ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହା ଆଧାରରେ ପୁଲିସ ୮ଜଣଙ୍କୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତ ଜିତେନ୍ଦ୍ର ତରାଇଙ୍କୁ ଗିରଫ କରାଯାଇଛି ଓ ଗିରଫ ସଂଖ୍ୟା ମୋଟ ୯ରେ ପହଞ୍ଚିଛି। ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ସେହି ଗାଁର ୯ଜଣ ଯୁବକ ଗିରଫ ହୋଇଛନ୍ତି।
ଗାଁ ପରିବେଶ ଏବେ ଖାଁ ଖାଁ ଲାଗୁଛି। ନିର୍ବାଚନ ମାହୋଲ ପୂରା ଫିକା ପଡ଼ି ଯାଇଛି। ସେପଟେ ସ୍ବାମୀ ଦିଲୀପଙ୍କ ମୃତ୍ୟୁ ଘଟଣାକୁ ପତ୍ନୀ ସାବିତ୍ରୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସ୍ବାମୀ ଦଳବଦଳ କରିଥିବାରୁ ତାଙ୍କୁ ଷଡ଼୍ଯନ୍ତ୍ର କରି ହତ୍ୟା କରାଯାଇଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କର ପତ୍ନୀ ସାବିତ୍ରୀ। ସ୍ବାମୀ ପୂର୍ବରୁ ବିଜେଡିରେ ଥିଲେ, ଏବେ ବିଜେପିରେ ଯୋଗ ଦେବାରୁ ତାଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି ବୋଲି ପତ୍ନୀ ସାବିତ୍ରୀ କାନ୍ଦି କାନ୍ଦି କହିଛନ୍ତି। ସ୍ବାମୀଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡବିଧାନ କରି ନ୍ୟାୟ ପ୍ରଦାନ କରିବାକୁ ସେ ଗୁହାରି କରିଛନ୍ତି। ମୃତ ଦିଲ୍ଲୀପଙ୍କ ବାପା ରାମଚନ୍ଦ୍ର ପାହାନ ମଧ୍ୟ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହତ୍ୟା ଘଟଣା ପରେ ଉଭୟ ବିଜେଡି ଓ ବିଜେପି କର୍ମୀ ମହଲରେ ନିରାଶା ଦେଖାଦେଇଛି। ଖଲ୍ଲିକୋଟରେ ମଧ୍ୟ ଆଜି ରାସ୍ତାଘାଟ ଶୂନଶାନ୍ ଥିଲା।
କୌଣସି ଦଳୀୟ ପ୍ରଚାର ଗାଡ଼ି ଦେଖିବାକୁ ମିଳି ନଥିଲା। ନିର୍ବାଚନକୁ ଆଉ ଦୁଇଦିନ ବାକି ରହିଥିବା ବେଳେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଘଟିଥିବା ଏହି ହିଂସାକାଣ୍ଡ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୁଲିସ ଜିଡି ଗୁରୁତ୍ବର ସହ ନେଇଛନ୍ତି। ବର୍ତ୍ତମାନ ଖଲ୍ଲିକୋଟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଫେରାର୍ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/arrest.jpg)