ଚନ୍ଦନଭାଟିରେ ନିର୍ବାଚନୀ ହିଂସା: ୫ ଗୁରୁତର, ପୁଲିସ ଗାଡ଼ି ଭଙ୍ଗାରୁଜା

ବଲାଙ୍ଗୀର: ବଲାଙ୍ଗୀର ସଦର ବ୍ଲକ୍‌ ଚନ୍ଦନଭାଟି ଗାଁରେ ନିର୍ବାଚନୀ ହିଂସାରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଶୁକ୍ରବାର ରାତିତମାମ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା। ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ଗଣ୍ଡଗୋଳ ରୋକିବାକୁ ଯାଇଥିବା ପୁଲିସ ଟିମକୁ ବି ମାଡ଼ ମାରିବାକୁ ଉତ୍ତ୍ୟକ୍ତ ଯୁବକମାନେ ପଛାଇ ନଥିଲେ। ଜଣେ ପୁଲିସ କର୍ମଚାରୀ ସଂଜୟ ମାଡ଼କାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଶନିବାର ପୁଲିସ ଗାଁରେ ଫ୍ଲାଗମାର୍ଚ୍ଚ କରିଥିବା ବେଳେ କ୍ୟାମ୍ପ କରି ଫୋର୍ସ ଗାଁରେ ଅଛନ୍ତି।

ପ୍ରକାଶ ଯେ ଚଳିତ ପଞ୍ଚାୟତ ନିର୍ବାଚନରେ ଚନ୍ଦନଭାଟି ଗାଁରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ସୀତା ମେହେରଙ୍କୁ ପରାସ୍ତ କରି ବଘଲା ଗାଁର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ପଙ୍କଜିନୀ ମେହେର ବିଜୟୀ ହୋଇଥିଲେ। ସେହି ଦିନଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ପରାଜିତ ପ୍ରାର୍ଥିନୀ ସୀତାଙ୍କ ସ୍ୱାମୀ ସଂକୀର୍ତ୍ତନ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନରେ ବିଜୟୀ ହୋଇଥିଲେ। ତା’ପରେ ସମର୍ଥକଙ୍କ ସହିତ ଶୋଭାଯାତ୍ରା କରିଥିଲେ ସଂକୀର୍ତ୍ତନ।

ଶୋଭାଯାତ୍ରା ସମୟରେ କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ବିଜୟୀ ନାଏବ ସରପଞ୍ଚ ସଂକୀର୍ତ୍ତନଙ୍କ ସମର୍ଥକମାନେ ବିଜୟୀ ସରପଞ୍ଚ ପଙ୍କଜିନୀଙ୍କ ସମର୍ଥକ ବୁଲେଖ ସାହୁ, ରିଙ୍କୁ ମେହେର, ଭୀମସେନ ମେହେର, ନେତ୍ର ମେହେର, ପର୍ଶୁରାମ ମେହେର ପ୍ରମୁଖଙ୍କୁ ନିର୍ଧୂମ ମାଡ଼ ମାରିଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଫଳରେ ସରପଞ୍ଚ ଗୋଷ୍ଠୀର ପାଞ୍ଚଜଣ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏତିକିରେ ମାରପିଟ ସରିନଥିଲା। ବିଳମ୍ବିତ ରାତିରେ ଚନ୍ଦନଭାଟି ଗାଁରେ ଚାଲିଥିବା ଗଣ୍ଡଗୋଳ ସମ୍ପର୍କରେ ଖବର ପାଇ ବଲାଙ୍ଗୀର ସଦର ପୁଲିସର ଏକ ଟିମ୍‌ ଗାଁରେ ପହଞ୍ଚିଥିଲା।

ଏସ୍‌ଆଇ ବାସୁଦେବ ଭୋଇ, ଏଏସ୍‌ଆଇ ରବୀନ୍ଦ୍ର କୁମ୍ଭାର ଓ ଅଷ୍ଟମ ସୁନା, ବ୍ରଜେଶ ପଟେଲ (ହୋମଗାର୍ଡ), ସହଦେବ ମାଝୀ ଓ ସଂଜୟ ମାଡକାମୀ(ଓଏପିଏଫ୍‌) ଗାଁକୁ ଯାଇଥିଲେ। ପୁଲିସ ଗାଡ଼ିକୁ ଦେଖିବା ପରେ ହଠାତ ଟେକାପଥର ମାଡ଼ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଫଳରେ ପୁଲିସ ଗାଡ଼ିର କାଚ ଭାଙ୍ଗିଯାଇଥିଲା। ତିନିଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ସଂଜୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଗତରାତିରୁ ବ୍ୟାପକ ପୁଲିସ ଫୋର୍ସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଏବେବି ଚନ୍ଦନଭାଟି ଗାଁରେ ପୁଲିସ ଫୋର୍ସ ମୁତୟନ ଅଛନ୍ତି ଓ ପୂରରା ପଞ୍ଚାୟତରେ ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଅଟକ କିଂବା ଗିରଫ କରି ନଥିବା ଜଣାପଡ଼ିଛି। ମାଡ଼ ମାରିଥିବା ଯୁବକ ସବୁ ଫେରାର ଥିବା ପୁଲିସ ସୂତ୍ରରୁ ପ୍ରକାଶ। ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର