ଗଞ୍ଜାମରେ ନିର୍ବାଚନୀ ହିଂସା: ୨୨ ଗିରଫ, ୩ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ମତଦାନ ବେଳେ ଦେଖା ଦେଇଥିବା ନିର୍ବାଚନ ହିଂସାକାଣ୍ଡ ଘଟଣାରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏ ନେଇ ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ଟି ମାମଲା ରୁଜୁ ହୋଇଛି। ପୁଲିସ ବର୍ତ୍ତମାନ ସୁଦ୍ଧା ୨୨ଜଣଙ୍କୁ ଗିରଫ କରିଛି। ସେହିପରି ଗତକାଲି ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମଣ୍ଡଳ ଗ୍ରାମରେ ଦେଖା ଦେଇଥିବା ରାଜନୈତିକ ହିଂସାକାଣ୍ଡ ଘଟଣାରେ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଏ ସଂକ୍ରାନ୍ତରେ ମୋଟ ୩ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ପୁଲିସ ତରଫରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରେ ଗତ ୨୦ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହୋଇଛି। ନିର୍ବାଚନର ଦିନକ ପୂର୍ବରୁ ଜିଲ୍ଲାର ଭଞ୍ଜନଗର ଥାନା ଡିହପଢ଼ାଳ ପଞ୍ଚାୟତର ବେତାରଗାଁ ଗ୍ରାମରେ ବିଜେଡି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ରାଜନୈତିକ ହିଂସାକାଣ୍ଡ ଘଟିଥିଲା। ବିଜେଡି କର୍ମୀଙ୍କ ଠେଙ୍ଗା ଆକ୍ରମଣରେ ବିଜେପି କର୍ମୀ ତଥା ଡିହପଢ଼ାଳ ସରପଞ୍ଚଙ୍କ ସ୍ବାମୀ ସୁବାସ ଚନ୍ଦ୍ର ବରାଡ଼ଙ୍କ ସମେତ ୪ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଭଞ୍ଜନଗର ପୁଲିସ ଉଭୟ ପକ୍ଷଙ୍କ ଏତଲା କ୍ରମେ ଦୁଇଟି ମାମଲା ରୁଜୁ କରିଥିଲା। ଉଭୟ ମାମଲାରେ ପୁଲିସ ମୋଟ ୧୦ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟପକ୍ଷରେ ମତଦାନ ଦିନ ତାରସିଂ ଥାନା ଅନ୍ତର୍ଗତ ବେରୁହାଁବାଡ଼ି ଗ୍ରାମର ବୁଥ୍‌ ନମ୍ବର-୪୭ରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏହି ଘଟଣାରେ ତାରସିଂ ଥାନା ପୁଲିସ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେହିପରି, ସୋରଡ଼ା ଥାନା ଅନ୍ତର୍ଗତ ରେନ୍ତି ଗ୍ରାମରେ ନିର୍ବାଚନକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସେହି ଘଟଣାରେ ମଧ୍ୟ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗତକାଲି ସୋରଡ଼ା ଥାନା ଅନ୍ତର୍ଗତ ବୁଗୁଡ଼ା ଗ୍ରାମରେ ମଧ୍ୟ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଥିଲା। ଏହି ଘଟଣାରେ ପୁଲିସ ଉଭୟ ପକ୍ଷର ଅଭିଯୋଗ କ୍ରମେ ଦୁଇଟି ମାମଲା ରୁଜୁ କରିଥିବା ବେଳେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରକାଶଥାଉ କି ଗତ ୧୫ତାରିଖ‌ ରାତିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ପୋଷ୍ଟର୍‌ ମରାକୁ କେନ୍ଦ୍ର କରି ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିଲେ। ଫଳରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମଧ୍ୟ ପୁଲିସ ମୋଟ ୧୧ଜଣଙ୍କୁ ଗିରଫ କରିଛି। ଏସ୍‌ଆଇଟି (ସ୍ବତନ୍ତ୍ର ଅନୁସଂଧାନକାରୀ ଦଳ) ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର