ନବ ନିର୍ବାଚିତ ବିଧାୟକଙ୍କୁ ନେଇ ଇଲେକ୍ସନ୍‌ ୱାଚ୍‌ ରିପୋର୍ଟ : ୫୪ ପୁନଃ ନିର୍ବାଚିତ ବିଧାୟକଙ୍କ ସଂପତ୍ତି ବଢ଼ିଛି

୪୯ ବିଧାୟକଙ୍କ ନାମରେ ଗୁରୁତର ଅପରାଧିକ ମାମଲା, ୧୬ଶ ବିଧାନସଭାକୁ ଆସିବେ ୯୫ କୋଟିପତି ବିଧାୟକ, ୨ଜଣ ୫ମ ଶ୍ରେଣୀ ପାସ୍‌ ବିଧାୟକ

ଭୁବନେଶ୍ବର : ୨୦୧୪ର ୫୪ଜଣ ବିଧାୟକ ଯେତିକି ସଂପତ୍ତି ଅର୍ଜନ କରିଥିଲେ, ଷୋଡ଼ଶ ବିଧାନସଭାକୁ ପୁନଃନିର୍ବାଚିତ ସେମାନଙ୍କର ସ୍ଥାବର ଅସ୍ଥାବର ସଂପତ୍ତି ବୃଦ୍ଧି ପାଇଛି। ଏହି ତାଲିକାର ସର୍ବାଗ୍ରେ ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ୬ଜଣ ବିଧାୟକଙ୍କର ହ୍ରାସ ପାଇଛି ସଂପତ୍ତି। ୯୫ଜଣ ବିଧାୟକ ହେଉଛନ୍ତି କୋଟିପତି। ସବୁଠାରୁ ଚିନ୍ତାଜନକ ପ୍ରସଙ୍ଗ ହେଉଛି ଯେ ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୪୬ଜଣ ବିଧାୟକଙ୍କ ମଧ୍ୟରୁ ୬୭ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟ‌ରୁ ୪୯ଜଣଙ୍କ ବିରୁଦ୍ଧରେ ରହିଛି ହତ୍ୟା, ଅପହରଣ, ଦୁର୍ଷ୍କମ ଭଳି ଗୁରୁତର ଅପରାଧ। ଏହି ବିଧାନସଭାକୁ ୨ଜଣ ପଞ୍ଚମ ଶ୍ରେଣୀ ପାସ୍‌ ଯୋଗ୍ୟତାଧାରୀ ବିଧାୟକ ନିର୍ବାଚିତ ହୋଇଛନ୍ତି। ମହିଳା ପ୍ରତିନିଧିତ୍ବ ପ୍ରସଙ୍ଗ ସଦ୍ୟ ସମାପ୍ତ ନିର୍ବାଚନରେ ଚର୍ଚାକୁ ଆସିଥିଲେ ହେଁ ମୋଟ ୧୪୬ଜଣ ବିଧାୟକଙ୍କ ମଧ୍ୟରେ ଅଛନ୍ତି ମାତ୍ର ୧୩ଜଣ ମହିଳା। ମୋଟାମୋଟି ଦେଖିଲେ, ଦାଗୀ ଓ କୋଟିପତି ବିଧାୟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

୨୦୧୯ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ଓଡ଼ିଶା ଇଲେକ୍ସନ୍‌ ୱାଚ୍‌-ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର) ରିପୋର୍ଟରେ ଏହିଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟାବଳୀ ଅନୁଯାୟୀ ବିଜେଡିର ୧୧୨ ବିଧାୟକଙ୍କର ହାରାହାରି ସଂପତ୍ତିର ମୂଲ୍ୟ ୫.୨୮ କୋଟି ଟଙ୍କାରୁ ଅଧିକ। ବିଜେପିର ୨୩ ବିଧାୟକଙ୍କର ସଂପତ୍ତିର ମୂଲ୍ୟ ୧ କୋଟିରୁ ଅଧିକ ଥିବା ବେଳେ କଂଗ୍ରେସର ୯ଜଣ ବିଧାୟକଙ୍କର ୫ କୋଟିରୁ ଅଧିକ। ବିଜେଡିରେ ୭୧ଜଣ ବିଧାୟକ କୋଟିପତି ଥିବା ବେଳେ ବିଜେପିରେ ୯ଜଣ ଓ କଂଗ୍ରେସର ୭ଜଣ କୋଟିପତି। ନବ ନିର୍ବାଚିତ ୧୪୬ଜଣ ବିଧାୟକଙ୍କ ମଧ୍ୟରୁ ୯୫ଜଣ ଅର୍ଥାତ୍‌ ୬୫ ପ୍ରତିଶତ କୋଟିପତି। ୨୦୧୪ରେ ବିଜେଡି ବିଧାୟକ ୫୬ଜଣ ବିଧାୟକଙ୍କର ହାରାହାରି ସଂପତ୍ତି ମୂଲ୍ୟ ୨ କୋଟିରୁ ଅଧିକ ଥିବା ବେଳେ ୨୦୧୯ ନିର୍ବାଚନରେ ପୁନଃନିର୍ବାଚିତ ସେହି ସଂଖ୍ୟକ ବିଧାୟକଙ୍କର ହାରାହାରି ସଂପତ୍ତି ୫ କୋଟି ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଏହି ବୃଦ୍ଧି ହାର ୧୨୪.୨୬ ପ୍ରତିଶତ। ୨୦୧୪ ନିର୍ବାଚନରେ ବିଜେପିର ବିଧାୟକ ଥିବା ଜଣେ ମାତ୍ର ନିର୍ବାଚିତ ହୋଇଛନ୍ତିି। ତାଙ୍କର ସଂପତ୍ତିି ମୂଲ୍ୟ ହାରାହାରି ୮୬.୮୪ ପ୍ରତିଶତ ବୃଦ୍ଧି ପାଇଛି।

୨୦୦୯ରେ ୩୩ ଜଣ ବିଧାୟକ କୋଟିପତି ଥିଲେ। ୨୦୧୪ରେ ସେହି ସଂଖ୍ୟା ୭୬କୁ ବୃଦ୍ଧି ପାଇଲା। ୨୦୧୯ ଅର୍ଥାତ୍‌ ସଦ୍ୟସମାପ୍ତ ନିର୍ବାଚନରେ ୯୫ଜଣ କୋଟିପତି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତିି। ବିଜେଡିରୁ ୭୯ଜଣ ବିଧାୟକ କୋଟିପତି ଥିବା ବେଳେ ବିଜେପିର ୨୩ଜଣ ବିଧାୟକଙ୍କ ମଧ୍ୟରୁ ୯ଜଣ ଓ କଂଗ୍ରେସର ୯ଜଣ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୭ଜଣ ହେଉଛନ୍ତି କୋଟିପତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ଥାବର ଅସ୍ଥାବର ସଂପତ୍ତିର ମୂଲ୍ୟ ୬୩ କୋଟିରୁ ଅଧିକ ଥିବା ବେଳେ ତାଙ୍କ ପଛକୁ ଅଛନ୍ତି ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ। ତାଙ୍କ ସଂପତ୍ତିର ମୂଲ୍ୟ ୩୩ କୋଟିରୁ ଅଧିକ। ତା’ ତଳେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ସଂପତ୍ତି ୩୧ କୋଟିରୁ ଅଧିକ। ତେବେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ରାୟଗଡ଼ାର ମକରନ୍ଦ ମୁଦୁଲିଙ୍କର ସଂପତ୍ତିର ମୂଲ୍ୟ ସର୍ବନିମ୍ନ ପ୍ରାୟ ୧୫ ହଜାର ଟଙ୍କା।

ଶିକ୍ଷାଗତ ଯୋଗ୍ୟତା ଦେଖିଲେ, ୨ଜଣ ୫ମ ପାସ୍‌ ବିଧାୟକଙ୍କ ସମେତ ୪୩ଜଣ ୫ମରୁ ଦ୍ବାଦଶ ପାସ୍‌ କରିଥିବା ଦର୍ଶାଇଛନ୍ତିି। ୧୦୧ଜଣ ଗ୍ରାଜୁଏଟ୍‌ କିମ୍ବା ତଦୁର୍ଦ୍ଧ୍ବ ଏବଂ ୨ଜଣ ବିଧାୟକ ଡିପ୍ଲୋମାଧାରୀ। ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୨ଜଣଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ, ୧୩ଜଣଙ୍କର ବୟସ ୩୧ରୁ ୪୦ ବର୍ଷ, ୧୨୩ଜଣଙ୍କର ଅର୍ଥାତ୍‌ ୮୪ ପ୍ରତିଶତ ବିଧାୟକଙ୍କର ବୟସ ୪୧ରୁ ୭୦ ବର୍ଷ ମଧ୍ୟରେ ଏବଂ ୮ଜଣଙ୍କର ବୟସ ୭୧ରୁ ୮୦ ବର୍ଷ। ୧୪୬ଜଣ ବିଧାୟକଙ୍କ ମଧ୍ୟରୁ ମାତ୍ର ୧୩ଜଣ ହେଉଛନ୍ତି ମହିଳା। ମହିଳାଙ୍କ ପ୍ରତିନିଧିତ୍ବ ହାର ମାତ୍ର ୧୩ ପ୍ରତିଶତ। ୨୦୧୪ରେ ୧୪୭ଜଣ ବିଧାୟକଙ୍କ ମଧ୍ୟରୁ ୧୧ଜଣ ମହିଳା ବିଧାୟକ ଥିଲେ।

ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୪୬ଜଣ ବିଧାୟକଙ୍କ ମଧ୍ୟରୁ ୬୭ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ୨୦୧୪ରେ ୫୨ଜଣ ବିଧାୟକଙ୍କ ନାମରେ ମାମଲା ଥିଲା ବୋଲି ସେମାନେ ଘୋଷଣା କରିଥିଲେ। ଅର୍ଥାତ୍‌ ୨୦୧୪ରେ ୩୫ ପ୍ରତିଶତ ବିଧାୟକ ଦାଗୀ ଥିଲେ। ୨୦୧୯ରେ ସେହି ହାର ୪୬ ପ୍ରତିଶତରେ ପହଞ୍ଚିଛି। ସେହିପରି ୨୦୧୪ରେ ୪୧ଜଣ ବିଧାୟକଙ୍କ ନାମରେ ଗୁରୁତର ମାମଲା ଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୪୯କୁ ବୃଦ୍ଧି ପାଇଛି। ୨୦୧୯ ନିର୍ବାଚନ ଜିତିଥିବା ବିଜେଡିର ୧୧୨ଜଣ ବିଧାୟକଙ୍କ ମଧ୍ୟରୁ ୪୬ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ସେମାନେ ନିଜେ ଘୋଷଣା କରିଥିବା ବେଳେ ୩୩ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି। ସେହିପରି ବିଜେପିର ୨୩ଜଣ ବିଧାୟକଙ୍କ ମଧ୍ୟରୁ ୧୪ଜଣଙ୍କ ନାମରେ ମାମଲା, ୧୦ଜଣଙ୍କ ନାମରେ ଗୁରୁତର ମାମଲା ରହିଛି। କଂଗ୍ରେସର ୯ଜଣ ବିଧାୟକଙ୍କ ମଧ୍ୟରୁ ୬ଜଣଙ୍କର ନାମରେ ମାମଲା ଏବଂ ୫ଜଣଙ୍କ ନାମରେ ଗୁରୁତର ମାମଲା ରହିଛି।

ସୂଚନାଯୋଗ୍ୟ, ଗୁରୁତର ଅପରାଧିକ ମାମଲା ମଧ୍ୟରେ ୫ ବର୍ଷ ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ, ହତ୍ୟା, ଅପହର, ଦୁଷ୍କର୍ମ, ମହିଳା ବିରୋଧୀ ଅପରାଧ, ଦୁର୍ନୀତି ନିବାରଣ ଆଇନ ଅଧୀନ ଅପରାଧ ଇତ୍ୟାଦି ଅନ୍ତର୍ଭୁକ୍ତ। ନବ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୨ଜଣ ସେମାନଙ୍କର ନାମରେ ହତ୍ୟା ମାମଲା ଥିବା ସେମାନଙ୍କର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ୧୧ଜଣ ବିଧାୟକ ସେମାନଙ୍କର ନାମରେ ହତ୍ୟା ଉଦ୍ୟମ ମାମଲା ଥିବା ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର