୧୫ ହଜାର ଟଙ୍କାରେ, ନିର୍ବାଚନ ଜିତିଲେ ମକରନ୍ଦ

ରାୟଗଡା: ହାରିଗଲେ କୋଟିପତି ବିଧାୟକ ପ୍ରାର୍ଥୀ, ଜିତିଲେ ଗରିବ ପ୍ରାର୍ଥୀ। ତାହା ପୁଣି ମାତ୍ର ୧୫ ହଜାର ଟଙ୍କାରେ ଏବଂ ବିନା କୌଣସି ରାଜନୈତିକ ଦଳର ସମର୍ଥନରେ। ବିଶ୍ବାସ ଲାଗୁନଥିଲେ ବି ଏ କଥା ସତ। ଲୋକଙ୍କ ଆସ୍ଥା, ବିଶ୍ବାସ, ଲୋକ ସଂପର୍କ ଆଗରେ ଟଙ୍କା ଓ ବାହୁ ବଳ କିପରି ତୁଚ୍ଛ ହୋଇଯାଏ, ତାହା ରାୟଗଡା ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲୀଙ୍କ ବିଜୟରୁ ପ୍ରମାଣିତ ହୋଇଛି। ଯାହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚା। ଓଡ଼ିଶାରୁ ଏକ ମାତ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିଣିଛନ୍ତି ମକରନ୍ଦ ମୁଦୁଲୀ। ପ୍ରତିଦ୍ବନ୍ଦ୍ବୀ ଥିବା ବିଜେଡ଼ିର ଭେଟରାନ୍ ନେତା ତଥା ପୂର୍ବତନ ମନ୍ତ୍ରୀ, ରାୟଗଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲାଲ୍ ବିହାରୀ ହିମିରିକାଙ୍କୁ। ନିର୍ବାଚନ ଲଢ଼ିବା ପାଇଁ ମକରନ୍ଦଙ୍କ ପାଖରେ ଟଙ୍କା ନଥିଲା କି ନଥିଲେ ଦଳ ଦଳ କର୍ମୀ। ହାଇଟେକ୍ ପ୍ରଚାର ତ ଦୂରର କଥା । ନିର୍ବାଚନ ମଣ୍ଡଳୀର କୌଣସି ଗାଁରେ କରି ନାହାନ୍ତି ସଭା, ସମିତି। ନିଜ କର୍ମକୁ ଆଦରି ନିର୍ବାଚନ ମଣ୍ଡଳୀର ଗାଁକୁ ଗାଁ ବୁଲି କରିଥିଲେ ଭୋଟ ଭିକ୍ଷା। ସହଯୋଗ କରିଥିଲେ ପରିବାର ଓ ବନ୍ଧୁବର୍ଗ। ଦୁଇ ଦଶନ୍ଧି ଧରି କାଶୀପୁରର ବିକାଶକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ମକରନ୍ଦଙ୍କୁ ସମର୍ଥନ ଦେବାକୁ ଭୁଲିନଥିଲେ କାଶୀପୁର ଭୋଟର। ଯେଉଁଥି ପାଇଁ କାଶୀପୁରବାସୀଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ମକରନ୍ଦ। ୨୦୧୯ ନିର୍ବାଚନରେ ରାୟଗଡା ନିର୍ବାଚନ ମଣ୍ଡଳୀରେ ହୋଇଥିଲା ତୀବ୍ର ପ୍ରତିଦ୍ବନ୍ଦିତା। ବିଜେଡ଼ିରୁ ଲାଲ୍ ବିହାରୀ ହିମିରିକା, କଂଗ୍ରେସରୁ ଆଦିବାସୀ ନେତା ଆପଲସ୍ବାମୀ କାଡ୍ରେକା, ବିଜେପିରୁ ଯୁବ ନେତା ବସନ୍ତ ଉଲ୍ଲାକା, ବିଏସପିରୁ ପୂର୍ଣବତୀ ମାଝୀ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମକରନ୍ଦ ମୁଦୁଲୀ। ମକରନ୍ଦଙ୍କୁ ଛାଡିଲେ ଅନ୍ୟ ସମସ୍ତ ପ୍ରତିଦ୍ବନ୍ଦୀଙ୍କ ନାଁ କୋଟି ପତି ଓ ଲକ୍ଷପତି ତାଲିକାରେ ରହିଛି। ପ୍ରାର୍ଥିପତ୍ର ଦାଖଲ କରିଥିବା ସତ୍ୟପାଠରୁ ମିଳିଥିବା ସୂଚନାନୁଯାୟୀ କଂଗ୍ରେସ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରେକା, ବିଜେଡ଼ି ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକାଙ୍କ ନାଁ କୋଟିପତି ଏବଂ ବିଜେପି ପ୍ରାର୍ଥି ବସନ୍ତ ଉଲ୍ଲକା, ବିଏସପି ପ୍ରାର୍ଥୀ ପୂର୍ଣବତୀ ମାଝୀଙ୍କ ନାଁ ଲକ୍ଷପତି ତାଲିକାରେ ରହିଛି। ମକରନ୍ଦଙ୍କ ହାତରେ ୧୫ ହଜାର ଟଂକା ସହିତ ୨ ଏକର ଜମି ଥିବା ଜଣାପଡିଛି। କଂଗ୍ରେସ ପ୍ରାର୍ଥି ଆପଲସ୍ବାମୀ କାଡ୍ରେକାଙ୍କ ମୋଟ ସଂପତ୍ତିର ମୂଲ୍ୟ ୧ କୋଟି ୪୪ ଲକ୍ଷ ୫ ହଜାର ୬୩୭ ଟଂକା, ଲାଲ୍ ବିହାରୀ ହିମିରିକାଙ୍କ ସଂପତ୍ତିର ମୋଟ ମୂଲ୍ୟ ୧ କୋଟି ୩୬ ଲକ୍ଷ ୫ ହଜାର ୪୬୧ ଟଂକା, ବିଜେପି ପ୍ରାର୍ଥି ବସନ୍ତ ଉଲ୍ଲକାଙ୍କ ସଂପତ୍ତିର ମୂଲ୍ୟ ୪୧ ଲକ୍ଷ ୩୪ ହଜାର ୫୮୫ ଟଙ୍କା, ବିଏପସି ପ୍ରାର୍ଥୀ ପୂର୍ଣବତୀ ମାଝୀଙ୍କ ମୋଟ ସଂପତ୍ତିର ମୂଲ୍ୟ ୧୩ ଲକ୍ଷ ବୋଲି ଉଲ୍ଲେଖ ଅଛି। ମତଦାନ ପୂର୍ବରୁ ଲାଲ୍ ବିହାରୀ ହିମିରିକାଙ୍କ ପାଇଁ ରାଜ୍ୟ ସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଭିକ୍ଷା କରିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ଆପଲସ୍ବାମୀଙ୍କ ପାଇଁ ୟୁପିଏ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ, ବିଜେପି ପ୍ରାର୍ଥୀ ବସନ୍ତ ଉଲ୍ଲାକାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିଲେ। କିନ୍ତୁ ସ୍ବାଧୀନ ପ୍ରାର୍ଥୀ ମକରନ୍ଦଙ୍କ ପାଇଁ ସେ ନିଜେ ହିଁ ଷ୍ଟାର୍ ପ୍ରଚାରକ ଥିଲେ । ଯାହା ନିର୍ବାଚନୀ ଫଳାଫଳରୁ ପ୍ରମାଣିତ। ନିର୍ବାଚନରେ ମକରନ୍ଦ ସର୍ବାଧିକ ୫୨ ହଜାର ୭୫୧ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପ୍ରତିଦ୍ବନ୍ଦୀ ଲାଲ୍ ବିହାରୀ ହିମିରିକା ୪୭ ହଜାର ୯୧୩ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଆପଲସ୍ବାମୀ ୩୯ ହଜାର ୬୨୫ ଏବଂ ବିଏସପି ପ୍ରାର୍ଥୀ ପୂର୍ଣବତୀ ୪ ହଜାର ୭୧ ଭୋଟ ପାଇଛନ୍ତି। ବର୍ତମାନର ପରିସ୍ଥିତିରେ ବିନା ଟଙ୍କା ଓ ବାହୁ ବଳରେ ନିର୍ବାଚନ ଜିତିବା ସମ୍ଭବପର ନଥିବା ବେଳେ ରାୟଗଡା ବିଧାନସଭା ଆସନରୁ ବିନା ଟଙ୍କା ଓ ବାହୁ ବଳରେ ଜିତିଥିବା ମକରନ୍ଦ କେବଳ ଓଡ଼ିଶା କାହିଁକି ସାରା ଭାରତ ବର୍ଷ ପାଇଁ ନୂଆ ପରିଚୟ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର