ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ମାର୍ଚ୍ଚ ୨୩ରେ

ଏପ୍ରିଲ୍‌ ୨ରେ ସରୁଛି ୩ ସାଂସଦଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନର ତାତି ନ ଥମୁଣୁ ଆଉ ଏକ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଏପ୍ରିଲ୍‌ରେ ଓଡ଼ିଶାରୁ ଖାଲି ହେଉଥିବା ତିନିଟି ରାଜ୍ୟସଭା ସଦସ୍ୟ ପଦବି ପାଇଁ ମାର୍ଚ୍ଚ ୨୩ରେ ନିର୍ବାଚନ ହେବ। ଆଜି ଏ ନେଇ ନିର୍ବାଚନ କମିସନ୍‌ ତାରିଖ ଘୋଷଣା କରିଛନ୍ତି। ତିନିଟି ଯାକ ଆସନ ବିଜେଡି ପକ୍ଷକୁ ଯିବା ସ୍ପଷ୍ଟ ଥିଲେ ବି ଦଳର ସୁପ୍ରିମୋ କାହାକୁ ମନୋନୀତ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଓଡ଼ିଶାର ୩ଟି ଆସନ ସମେତ ଦେଶରେ ମୋଟ୍‌ ୫୮ଟି ଆସନ ପାଇଁ ୨୩ ତାରିଖରେ ନିର୍ବାଚନ ହେବ।

ମାର୍ଚ୍ଚ ୫ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବ। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି ମାର୍ଚ୍ଚ ୧୨। ମାର୍ଚ୍ଚ ୧୩ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ୍‌ ହେବ। ୨୩ ତାରିଖରେ ନିର୍ବାଚନ ହେବ।

ଓଡ଼ିଶାର ତିନି ଜଣ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଦିଲ୍ଲୀପ ତିର୍କୀ ଓ ଏ ଭି ସ୍ୱାମୀଙ୍କ କାର୍ଯ୍ୟକାଳ ୩ ତାରିଖରେ ଶେଷ ହେଉଛି। ଶ୍ରୀ ସିଂହଦେଓ ଓ ଶ୍ରୀ ତିର୍କୀ ବିଜେଡି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଯାଇଥିଲେ। ଶ୍ରୀ ସ୍ୱାମୀ ବିଜେଡି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ଏପ୍ରିଲ୍‌ ୨ ତାରିଖରେ ଶେଷ ହେଉଛି। ତେଣୁ ଶ୍ରୀ ପ୍ରଧାନଙ୍କୁ ବିଜେପି କେଉଁ ରାଜ୍ୟରୁ ରାଜ୍ୟସଭାକୁ ପଠାଇବ, ତାହା ଉପରେ ବି ରାଜ୍ୟବାସୀଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର