ବରଗଡ଼ : ଛତିଶଗଡ଼ ରାଜ୍ୟରେ ନିର୍ବାଚନ ହେଲେ ଏହାର ସିଧାସଳଖ ପ୍ରଭାବ ବରଗଡ଼ ଜିଲ୍ଲାରେ ପଡ଼ୁଥିବା ନଜିର ରହିଛି। ସମାନ ହିସାବରେ, ଏଠାକାର ନିର୍ବାଚନର ଉଷ୍ଣତା ପଡ଼ୋଶୀ ଛତିଶଗଡ଼ରେ ଅନୁଭୂତ ହୋଇଥାଏ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହି ପଡ଼ୋଶୀ ରାଜ୍ୟର ସମ୍ଭାବ୍ୟ ପ୍ରଭାବକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି।ବରଗଡ଼ ଜିଲ୍ଲାର ପଦ୍ମପୁର ନିର୍ବାଚନମଣ୍ଡଳୀର ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁର, ଭଟଲି ନିର୍ବାଚନମଣ୍ଡଳୀର ସୋହେଲା, ଭଟଲି ଏବଂ ଅମ୍ବାଭୋନା ବ୍ଲକ୍ ଛତିଶଗଡ଼ ସୀମାକୁ ଲାଗିଛି। ଗତ ପଞ୍ଚାୟତ ନିର୍ବାଚନ ବେଳେ ଛତିଶଗଡ଼ରେ ତତ୍କାଳୀନ ବିଜେପି ସରକାରଙ୍କ ତୁଙ୍ଗ ନେତାମାନେ ବରଗଡ଼ ଜିଲ୍ଲାକୁ ଆସି ମାରାଥନ୍ ପ୍ରଚାର କରିଥିଲେ। ଏପରିକି ନିର୍ବାଚନ ଶେଷ ହେବାଯାଏ ଡେରା ପକାଇ ରହିଥିଲେ। ଇତିମଧ୍ୟରେ ଛତିଶଗଡ଼ର ରାଜନୈତିକ ଚିତ୍ରପଟ ବଦଳିଯାଇଛି। ଏବେ କଂଗ୍ରେସ ଦଳ କ୍ଷମତାରେ ରହିଛି। ଗତ ସାଧାରଣ ନିର୍ବାଚନ ବେଳେ ଛତିଶଗଡ଼ରୁ କିଛି କଂଗ୍ରେସ ନେତା ବି ବରଗଡ଼ ଜିଲ୍ଲାର ସୀମାନ୍ତ ବ୍ଲକ୍ଗୁଡ଼ିକରେ ପ୍ରଚାର କରିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ବେଳେ ମଧ୍ୟ ଉଭୟ ବିଜେପି ଏବଂ କଂଗ୍ରେସ ଏହି ଫର୍ମୁଲା ପ୍ରୟୋଗ କରିବା ସମ୍ଭାବନା ରହିଛି। କାରଣ ଉଭୟ ଦଳରେ ହାତଗଣତି ପ୍ରଭାବିତ କଲା ଭଳି ନେତା ଅଛନ୍ତି।
ତେବେ, ଗତ ନିର୍ବାଚନରେ ଉଭୟ ଦଳର ପଡ଼ୋଶୀ ନେତାଙ୍କୁ ରୋକିବାରେ ବିଜେଡି ସକ୍ଷମ ହୋଇଥିଲା। ବିଜେପୁର ନିର୍ବାଚନମଣ୍ଡଳୀ ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସମ୍ପର୍କ ରହିଥିବାରୁ ସେତେବେଳେ ପଡ଼ୋଶୀ ନେତମାନେ ବିଜେପୁର ପର୍ଯ୍ୟନ୍ତ ପ୍ରଚାରକୁ ତ୍ବରାନ୍ବିତ କରିଥିଲେ। କିନ୍ତୁ, ଏହାକୁ ସଫଳତାର ସହ ବିଜେଡି ରୋକିବାରେ ସଫଳ ହୋଇଥିଲା।
ଆଗକୁ ଯଦି ପୁଣି ବିଜେପି ଏବଂ କଂଗ୍ରେସ ଏହି ରଣନୀତି ଗ୍ରହଣ କରନ୍ତି, ବିଜେଡି ପୁରୁଣା କୌଶଳରେ ଏହାକୁ ପ୍ରତିରୋଧ କରିବାକୁ ପ୍ରସ୍ତୁତି ଚଳାଉଥିବା ଶୁଣିବାକୁ ମିଳୁଛି। ଜିଲ୍ଲାର ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ନିର୍ବାଚନର ଇତିହାସ ଦେଖିଲେ, ଏଠାରେ କୌଣସି ମୁହୂର୍ତ୍ତରେ ବି ରାଜନୀତି ପାଣିପାଗ କଡ଼ ଲେଉଟାଏ। ତେଣୁ ପୁରୁଣା ରେକର୍ଡ ଦେଖି କୌଣସି ଦଳ ଏହାକୁ ହାଲୁକା ଭାବେ ଗ୍ରହଣ କରୁନାହାନ୍ତି।