ଭୁବନେଶ୍ବର: ରାଜ୍ୟରେ ଆଗୁଆ ସାଧାରଣ ନିର୍ବାଚନ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିବାବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ବୟାନ ଏହାକୁ ଅଧିକ ଚର୍ଚ୍ଚାର ଖୋରାକ୍ ଯୋଗାଇଛି। ଶ୍ରୀ ଧଳ ଆଗୁଆ ନିର୍ବାଚନ ହେବା ନେଇ କିଛି କହିନଥିଲେ ବି କହିଛନ୍ତି ଯେ ନଭେମ୍ବର ୧୫ପରେ ଯେତେବେଳେ ବି ନିର୍ବାଚନ ହେବ ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ। ଆସନ୍ତା ଡିସେମ୍ବରରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ସମୟରେ ଯଦି ଓଡ଼ିଶାରେ ନିର୍ବାଚନ ହେବ ତେବେ କିଛି ସମସ୍ୟା ହେବନି ବୋଲି ଶ୍ରୀ ଧଳ ସଙ୍କେତ ଦେଇଛନ୍ତି।
ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଧଳ କହିଛନ୍ତି, ଆମ ଗଣତନ୍ତ୍ରରେ ନିର୍ବାଚନ ଏକ ବଡ଼ ପର୍ବ। ଏନେଇ ଦୀର୍ଘ ଦିନ ଧରି ପ୍ରସ୍ତୁତି କରିବାକୁ ପଡ଼େ। କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା, ବିଭିନ୍ନ ସାମଗ୍ରୀ କିଣିବା, ଇଭିଏମ୍, ଭିଭିପ୍ୟାଟ୍ ଯାଞ୍ଚ କରିବା, ଭୋଟର ତାଲିକା ସଂଶୋଧନ ଭଳି ବହୁତ କାମ କରିବାକୁ ପଡ଼େ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଯେତିକି ଇଭିଏମ୍ ଦରକାର ତାହା ପହଞ୍ଚିଯାଇଛି। ୯ଟି ଜିଲ୍ଲା ପାଇଁ ଭିଭିପ୍ୟାଟ୍ ବି ପହଞ୍ଚିଯାଇଛି। ସେପ୍ଟେମ୍ବର ମାସରେ ବାକି ସବୁ ଜିଲ୍ଲାରେ ଏହା ପହଞ୍ଚିଯିବ। ଏବେ ସବୁ ନୂଆ ଇଭିଏମ୍ ଆସିଥିବାରୁ ଅକ୍ଟୋବରରୁ ଏହାର ଯାଞ୍ଚ କରାଯିବ। ନଭେମ୍ବର ୧୫ତାରିଖ ସୁଦ୍ଧା ଏହି ଯାଞ୍ଚ ପ୍ରକ୍ରିୟା ସରିବ। ଏହା ମଧ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଓ ବାକି କାମ ବି ସରିବ। ତେଣୁ ନଭେମ୍ବର ୧୫ ସୁଦ୍ଧା ନିର୍ବାଚନ ହୋଇପାରିବନି। ଏହାପରେ ଯେବେବି ନିର୍ବାଚନ କରିବା ନେଇ ଭାରତ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ ଆମେ ପ୍ରସ୍ତୁତ ଅଛୁ। ହେଲେ ଆମର ଯେଉଁ ପ୍ରକ୍ରିୟା ଚାଲିଛି ତାହା ଆଗୁଆ ନିର୍ବାଚନ ପାଇଁ ନୁହେଁ। ଏହା ଏକ ନିୟମିତ ପ୍ରକ୍ରିୟା।
ସେହିପରି ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବାକୁ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ସେପ୍ଟେମ୍ବର ୧୩ରେ ଓଡ଼ିଶା ଆସିବେ। ସେମାନେ ୩୦ଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାାରୀଙ୍କ ସହ ଆଲୋଚନା କରିବେ। ଅପରପକ୍ଷେ ସବୁ ରାଜନୈତିକ ଦଳ ଏବେ କହିଛନ୍ତି ଯେ ଆମେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ। ଯେତେବେଳେ ନିର୍ବାଚନ ହେଲେ ବି ଆମେ କ୍ଷମତାକୁ ଆସିବୁ।