ଯୋଡ଼ା: ନିର୍ବାଚନ ବୈତରଣୀ ପାର ହେବାପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଗ୍ୟାରେଣ୍ଟି ଦେଉଛନ୍ତି। ବିଜେପି ମୋଦୀ ଗ୍ୟାରେଣ୍ଟି ଦେଉଥିବା ବେଳେ ବିଜେଡି ନବୀନ ଗ୍ୟାରେଣ୍ଟି ଦେଉଛି। କଂଗ୍ରେସ ମଧ୍ୟ ଭୋଟରଙ୍କୁ ୧୦ ଗ୍ୟାରେଣ୍ଟି ଦେଇଛି। କ୍ଷମତାକୁ ଆସିବା ପରେ ସବୁ ରାଜନୈତିକ ଦଳ ଭୋଟରଙ୍କୁ ବିଭିନ୍ନ ସୁବିଧା ‌ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଚାଲିଛନ୍ତି। ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଛଟେଇ ହୋଇଥିବା ୫୦ ହଜାର ଶ୍ରମିକଙ୍କୁ ରୋଜଗାର ଗ୍ୟାରେଣ୍ଟି କାହାର ତାକୁ ନେଇ ପ୍ରଶ୍ନ ଉଠିଛି। ଯାହା ଜିଲ୍ଲାର ବହୁଚର୍ଚ୍ଚିତ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହେବ ବୋଲି ଚର୍ଚ୍ଚା ହେଉଛି।

Advertisment

ମୂଲ୍ୟବାନ ଖଣିଜ ସମ୍ପଦ ବିଶେଷ କରି ଉନ୍ନତମାନର ଲୁହାପଥର ପାଇଁ ଦେଶବିଦେଶରେ ଯୋଡ଼ା ଖଣି ଅଞ୍ଚଳ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବଡ଼ବଡ଼ ଅନ୍ତଃରାଷ୍ଟ୍ରୀୟ କମ୍ପାନିମାନେ ଏଠାରେ ଖଣି ଲିଜ୍‌ ନେଇ ଖଣିଜ ଉତ୍ତୋଳନ କରୁଛନ୍ତି। ଯୋଡ଼ା ଖଣି ମଣ୍ଡଳରେ ୯୭ଟି ଖଣି ରହିଥିଲା। ଏସବୁ ଖଣିରେ ପୂର୍ବରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫୦ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ନିଯୁକ୍ତି ପାଇଥିଲେ। କେନ୍ଦ୍ର ସରକାରଙ୍କ ନୂତନ ଖଣି ନୀତି ଆସିବା ପରେ ୨୦୨୦ରେ ରାଜ୍ୟ ସରକାର ଖଣି ନିଲାମ କରିଥିଲେ। ଖଣି ନୂଆ ଲିଜ୍‌ଧାରୀଙ୍କ ହାତକୁ ଚାଲିଯାଇଥିଲା। ବର୍ତ୍ତମାନ ୩୩ଟି ଖଣି କାର୍ଯ୍ୟକ୍ଷମ ରହିଛି। ଖଣି କର୍ତ୍ତୃପକ୍ଷ ଯାନ୍ତ୍ରିକ ଖନନ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ସେହିପରି ନୂଆ ଲିଜ୍‌ଧାରୀ ଖଣି ହାତେଇବା ପରେ ପୂର୍ବରୁ ସେଠାରେ କାମ କରୁଥିବା ଶ୍ରମିକମାନଙ୍କୁ ଛଟେଇ କରିଛନ୍ତି। ଫଳରେ ୫୦ ହଜାରରୁ ଅଧିକ ଖଣି ଶ୍ରମିକ ଏବେ କାମ ନପାଇ ବେକାର ହୋଇ ବସିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଛନ୍ତି।

ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ଜୋରଦାର ପ୍ରଚାର କରୁଛନ୍ତି। ଖଣି ଅଞ୍ଚଳରେ ବିକାଶକୁ ପ୍ରସଙ୍ଗ କରି ଭୋଟ ମାଗୁଛନ୍ତି।‌ ହେ‌ଲେ ଖଣିରେ ସ୍ଥାନୀୟ ଯୁବକଯୁବତୀଙ୍କ ନିଯୁକ୍ତି ଓ ବେକାର ହୋଇ ବସିଥିବା ୫୦ ହଜାର ଶ୍ରମିକଙ୍କ କଥା କେହି ଉଠାଉନାହାନ୍ତି ବୋଲି ଭୋଟରମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ପେଟପାଟଣା କଥା ବୁଝିବା ପାଇଁ କୌଣସି ରାଜନୈତିକ ଦଳ ଗ୍ୟାରେଣ୍ଟି ଦେଉନଥିବା କହିଛନ୍ତି। ଶ୍ରମିକ ନେତା ମହେଶ୍ୱର ରାଉତ କହିଛନ୍ତି, ନିଲାମ ହେବା ପୂର୍ବରୁ ଗୋଟିଏ ଗୋଟିଏ ଖଣିରେ ୫ ହଜାରରୁ ଅଧିକ ଶ୍ରମିକ କାମ କରୁଥିଲେ। ନୂଆ ଲିଜ୍‌ଧାରୀମାନେ ଖଣିରେ ପୂର୍ବରୁ କାମ କରୁଥିବା ଶ୍ରମିକଙ୍କୁ ଛଟେଇ କରିଦେଲେ। କୌଣସି ରାଜନୈତିକ ଦଳ ଏହି ପ୍ରସଙ୍ଗରେ ମୁହଁ ଖୋଲିଲେ ନାହିଁ। ଖଣି ଶ୍ରମିକଙ୍କ ନିଯୁକ୍ତି ପାଇଁ ସରକାର ମଧ୍ୟ କୌଣସି ନିୟମ କଲେନି। ଯାହାଦ୍ୱାରା କମ୍ପାନିମାନେ ଶ୍ରମିକ ବଦଳରେ ଯନ୍ତ୍ର ସାହାଯ୍ୟରେ ଖଣିଜ ଉତ୍ତୋଳନ କରୁଛନ୍ତି। କାମଧନ୍ଦା ହରାଇବା ପରେ ଖଣି ଶ୍ରମିକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି।

ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ କହିଛନ୍ତି, ଖଣି କମ୍ପାନି ଗୁଡ଼ିକ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ରହୁନାହିଁ। କମ୍ପାନି ଗୁଡ଼ିକ ଯନ୍ତ୍ର ସାହାଯ୍ୟରେ ଖଣି ଖନନ କରିବା ଦ୍ବାରା ଶ୍ରମିକମାନେ କାମଧନ୍ଦା ହରାଉଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଖଣିରେ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ବ ଦେବ ବୋଲି ଶ୍ରୀ ଲାଗୁରୀ କହିଛନ୍ତି। ସେହିପରି ବରିଷ୍ଠ ବିଜେପି ନେତା ରବୀନ୍ଦ୍ର କୁମାର ଦାସ କହିଛନ୍ତି, ଖଣି ଅଞ୍ଚଳରେ ସୃଷ୍ଟି ହୋଇଥିବା ବେକାରୀ ସମସ୍ୟା ପାଇଁ କେବଳ ରାଜ୍ୟ ସରକାର ଦାୟୀ। କାମଧନ୍ଦା ହରାଇଥିବା ଖଣି ଶ୍ରମିକଙ୍କ ପରିବାର ଏବେ ଭୋକଉପାସରେ ଛଟପଟ ହେଉଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି। ଯୋଡ଼ା ଅଞ୍ଚଳର ବିଭିନ୍ନ ଖଣିରେ ନୂଆ ନିଯୁକ୍ତି ଓ ଛଟେଇ ଶ୍ରମିକଙ୍କ ରୋଜଗାର ଦେବା ଗ୍ୟାରେଣ୍ଟି କାହାର ସେନେଇ ନେତାଙ୍କୁ ପ୍ରଶ୍ନ କରିବାକୁ ଭୋଟର ପ୍ରସ୍ତୁତ ହେଉଛନ୍ତି।