ଯୋଡ଼ା: କେନ୍ଦୁଝର ଜିଲ୍ଲାର ଯୋଡ଼ା, ଚମ୍ପୁଆ ଏବଂ ପାଟଣା ବ୍ଲକ୍ରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ଏହା ପୂର୍ବରୁ ଯୋଡ଼ା ବ୍ଲକ୍ର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବଳଦା ପଞ୍ଚାୟତର ଗୁରୁଡ଼ା ଗ୍ରାମରେ ଜଣେ ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ବିପକ୍ଷ ପ୍ରାର୍ଥୀଙ୍କୁ ଆକ୍ରମଣ କରିବା ସହ ପ୍ରଚାର ଗାଡ଼ି, ବାଇକ୍ ଏବଂ ଆସବାବପତ୍ର ଭାଙ୍ଗି ଦେଇଛନ୍ତି। ସେହିପରି ଭଦ୍ରାସାହି ପଞ୍ଚାୟତ କାଶିଆ ବୁରୁହଟିଂରେ ଏକ ଗୋଷ୍ଠୀ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ବାଧ୍ୟ କରିଥିଲେ। ଲୋକେ ନ ମାନିବାରୁ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସୁରକ୍ଷା ଦାବିରେ ବୁରୁହଟିଂବାସୀ ସୋମବାର ବଡ଼ବିଲ ଥାନା ଘେରାଉ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବଳଦା ପଞ୍ଚାୟତ ଗୁରୁଡ଼ା ଗ୍ରାମରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସରପଞ୍ଚ ପ୍ରାର୍ଥୀ ବରୁଣ ନାଏକ ଓ ତାଙ୍କ ସମର୍ଥକମାନେ ବଳଦା ଗ୍ରାମରେ ହୋଇଥିବା ଅସ୍ଥାୟୀ ନିର୍ବାଚନ କାର୍ଯ୍ୟାଳୟରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ବିପକ୍ଷ ପ୍ରାର୍ଥୀ ରଞ୍ଜିତ କୁମାର ନାଏକ ଓ ତାଙ୍କ ସହଯୋଗୀ କିଛି ଗୁଣ୍ଡାଶ୍ରେଣୀର ଲୋକଙ୍କୁ ନେଇ ସେଠାରେ ପହଞ୍ଚି ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପ୍ରଚାର ଗାଡ଼ି ଓ ସମର୍ଥକଙ୍କ ୧୦ଟି ବାଇକ୍ ଭାଙ୍ଗି ଦେଇଥିଲେ। ଏପରିକି ଗ୍ରାମର ସାଧାରଣ ଲୋକଙ୍କୁ ଘରୁ ଉଠାଇ ମାଡ଼ ମାରିବା ସହ ମହିଳାଙ୍କୁ ମଧ୍ୟ ଟଣାଓଟରା କରିଥିଲେ। ଆକ୍ରମଣରେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକ ଟିନୁ ଗୋପ, ରାଜେନ ହାଇବୁର ଆହତ ହୋଇ ଯୋଡ଼ାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହିପରି ଗ୍ରାମର ଅନାମୀ ପାତ୍ର, ସାଜନ ହାଇବୁରୁ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।
ସେହିପରି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ରଞ୍ଜିତ ଓ ତାଙ୍କ ସହଯୋଗୀମାନେ ଉଠାଇ ନେଇ ରାତିସାରା ଅନ୍ୟ ଏକ ସ୍ଥାନରେ ରଖିବା ପରେ ଆଜି ସକାଳେ ଆଣି ଛାଡ଼ି ଦେଇଥିଲେ। ରାତିରେ ମାର୍ପିଟ ଦେଖି ନିରୀହ ଗ୍ରାମବାସୀ ଭୟରେ ଜଙ୍ଗଲରେ ଯାଇ ଲୁଚିଥିଲେ। ସରପଞ୍ଚ ପ୍ରାର୍ଥୀ ରଞ୍ଜିତ ନିଜ ସପକ୍ଷରେ ଭୋଟ୍ ଦେବାକୁ ସେମାନଙ୍କ ଉପରେ ଚାପ ପକାଉଥିଲା। ସେମାନେ ମନା କରିବାରୁ ଏପରି କାଣ୍ଡ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବାମେବାରୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/post_attachments/wp-content/uploads/2022/02/12-1.jpg)
ଗ୍ରାମରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଘଟଣାର ତଦନ୍ତ ଚାଲିଥିବା ବାମେବାରୀ ଥାନା ଅଧିକାରୀ ମନୋରଞ୍ଜନ ବିଶି ପ୍ରକାଶ କରିଛନ୍ତି। ଏନେଇ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କୁ ପଚାରିବାରୁ, ପରାଜୟ ଭୟରେ ବିରୋଧୀ ଗୋଷ୍ଠୀ ରକ୍ତମୁଖା ହୋଇଛନ୍ତି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ଶ୍ରୀମତୀ ମହାନ୍ତ କହିଛନ୍ତି। ସେହିପରି ସୋମବାର ବଡ଼କାଳିମାଟି ପଞ୍ଚାୟତରେ ଜଣେ ନେତାଙ୍କ ବାସଭବନରେ ଟଙ୍କା ବଣ୍ଟା ଓ ବାହାରୁ ଗୁଣ୍ଡା ଆଣି ରଖିବା ସନ୍ଦେହ କରି ସ୍ଥାନୀୟ ଗ୍ରାମର ହଜାରେରୁ ଊର୍ଦ୍ଧ୍ବ ଲୋକେ ସମ୍ପୃକ୍ତ ନେତାଙ୍କୁ ଘେରାଉ କରିଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଜଲହରି ପଞ୍ଚାୟତ ଖଣ୍ଡବନ୍ଧ ଗ୍ରାମରେ ଟଙ୍କା ବଣ୍ଟା ସନ୍ଦେହରେ କିଛି ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ହୋଇଛି। ଗ୍ରାମରେ ଉତ୍ତେଜନା ଦେଖାଦେବାରୁ ପୁଲିସ ମୁତୟନ କରାଯାଇଛି।
ସେହିପରି ଭଦ୍ରାସାହି ପଞ୍ଚାୟତରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ରବିବୋ ସକାଳ ପ୍ରାୟ ୯ଟା ସମୟରେ କାଶିଆ ବୁରୁହଟିଂବାସୀଙ୍କ ସହ ଏକ ନିର୍ଦ୍ଦିଷ୍ଟ ଦଳର ଗୋଷ୍ଠୀଙ୍କ ମଧ୍ୟରେ ନିର୍ବାଚନକୁ ନେଇ ପ୍ରଥମେ ବଚସା ଓ ପରେ ମାର୍ପିଟ ହୋଇଥିଲା। ପରେ ରାତି ପ୍ରାୟ ୧୦ଟା ସମୟରେ ସେରେଣ୍ଡା ଓ ଭଦ୍ରାସାହି ଅଞ୍ଚଳରୁ ୫ଟି ଗାଡ଼ିରେ କିଛି ଅସାମାଜିକ ଆସି ହଟିଂର ପହଞ୍ଚିଥିଲେ। ମହିଳାଙ୍କୁ ଗାଳିଗୁଲଜ ଓ ଠେଲାପେଲା କରିଥିଲେ। ସେମାନଙ୍କ ନିର୍ଦ୍ଦେଶ ନ ମାନି ଠିକଣା ଚିହ୍ନରେ ଭୋଟ୍ ନଦେଲେ ହଟିଂରେ ରହିବାକୁ ଦିଆଯିବ ନାହିଁ ବୋଲି ଧମକ ଦେଇଥିଲେ। ଏନେଇ ହଟିଂବାସୀ ବଡ଼ବିଲ ଥାନାରେ ଜଣାଇବା ସହ ସୁରକ୍ଷା ଦାବିରେ ଥାନା ଘେରାଉ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/11-2.jpg)