ନିର୍ବାଚନୀ ହିଂସା; ପୁଲିଂ ଏଜେଣ୍ଟଙ୍କୁ ମାଡ଼

ରସୁଲପୁର: ରସୁଲପୁର ବ୍ଲକ୍‌ରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସରିଥିଲେ ବି କେତେକ ସ୍ଥାନରେ ହିଂସା ଘଟିଥିବା ଖବର ମିଳିଛି। ରାହାମ୍ବା ପଞ୍ଚାୟତରେ ପୁଲିଂ ଏଜେଣ୍ଟମାନଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦିଆଯାଇଛି। ଏହି ପଞ୍ଚାୟତ ମିର୍ଜାପୁର ଗ୍ରାମର ୪, ୫ ଓ ୭ ନଂ ବୁଥ୍‌ରେ  ସରପଞ୍ଚ ପ୍ରାର୍ଥୀ ଚନ୍ଦନ କୁମାର ରାଉତଙ୍କ ପୁଲିଂ ଏଜେଣ୍ଟ ଜଟାଧାରୀ ରାଉତ, ରଶ୍ମିରଞ୍ଜନ ରାଉତ ଓ କୁଳମଣି ରାଉତଙ୍କୁ ଅନ୍ୟତମ ସରପଞ୍ଚ ପ୍ରାର୍ଥୀ ସରୋଜ ରାଉତଙ୍କ ସମର୍ଥକମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।

ସରୋଜଙ୍କ ସମର୍ଥକମାନେ ଭୋଟିଂରେ ଅନିୟମିତତା କରିବାକୁ ଚାହୁଁଥିବାରୁ ଏହି ଏଜେଣ୍ଟମାନେ ପ୍ରତିରୋଧ କରିଥିଲେ। ପୁଲିଂ ସରିବା ପରେ ଏଜେଣ୍ଟମାନେ ବାହାରିବା ସମୟରେ ସରୋଜଙ୍କ ସମର୍ଥକ ପ୍ରକାଶ ସାମଲ, ଅକ୍ଷୟ ସାମଲ, ନିରଞ୍ଜନ ନାୟକ, ବୈକୁଣ୍ଠ ରାଉତ, ନିଲୁ ମହାରଣାଙ୍କ ସମେତ ୧୫ରୁ ଅଧିକ ଲୋକ ସଂଘବଦ୍ଧ ଭାବରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। କିଛି ଲୋକ ମାରଣାସ୍ତ୍ର ଧରି ଗୋଡ଼ାଇବାରୁ ସେମାନେ ଜୀବନ ବଞ୍ଚାଇବାକୁ ଜଣକଘରେ ଆଶ୍ରୟ ନେଇଥିଲେ। ସେମାନଙ୍କ ମଧ୍ୟରୁ କୁଳମଣି ରାଉତଙ୍କୁ ଧରି ସେମାନେ ପ୍ରବଳ ମାଡ଼ ମାରିଥିଲେ। ପରେ ସେମାନେ ଜୀବନ ବଞ୍ଚାଇ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ। ଚନ୍ଦନ ରାଉତଙ୍କ ଅଉ ଜଣେ ଏଜେଣ୍ଟ ମିର୍ଜାପୁର ଗ୍ରାମର ଅବିନାଶ ନାଥଙ୍କୁ ସେମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଜଟାଧାରୀ, ରଶ୍ମିରଞ୍ଜନ ଓ କୁଳମଣି କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ସରପଂଚ ପ୍ରାର୍ଥୀ ସରୋଜ ରାଉତଙ୍କୁ ମଧ୍ୟ ଡିହକୁରାଂଶ ଗ୍ରାମରେ ଚନ୍ଦନ ରାଉତଙ୍କ ସମର୍ଥକ ମାଡ଼ ମାରିବା ସହ ଅଟକ ରଖିଥିଲେ ବୋଲି ଅଭିଯୋଗ ହୋଇଛି। ଉଭୟ ଘଟଣାରେ ପୁଲିସ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ କହିଛନ୍ତି। ସେହିପରି ଏହି ବ୍ଲକ୍‌ର ଜାବରା, ଶ୍ରୀବନ୍ତପୁର,ରାଜେନ୍ଦ୍ରପୁର, ନରସିଂହପୁର ପଞ୍ଚାୟତରେ ନିର୍ବାଚନୀ ହିଂସା ଘଟିଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର