ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଥାନୁଆଳ ପଞ୍ଚାୟତରେ ରବିବାର ନିର୍ବାଚନୀ ହିଂସା ଘଟିଛି। ବିଜେଡି ପ୍ରଚାର ଗାଡ଼ିକୁ ବିରୋଧୀ ଦଳ ସମର୍ଥକ ଭଙ୍ଗାରୁଜା କରିଛନ୍ତି। ଗାଡ଼ି କାଚକୁ ଭାଙ୍ଗିବା ସହିତ ଏଥିରେ ଲଗା ଯାଇଥିବା ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ବ୍ୟାନରକୁ ଚିରି ଫିଙ୍ଗି ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ ରବିବାର ଅପରାହ୍ଣରେ ମୁରାରୀପୁର ଗ୍ରାମରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ସ୍ମୃତିରେଖା ବେହେରା, ଥାନୁଆଳ ପଞ୍ଚାୟତ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ନର୍ମଦା ସ୍ବାଇଁ ଓ ସମିତିସଭ୍ୟା ପ୍ରାର୍ଥୀ ସ୍ନେହଲତା ଦୋରାଙ୍କ ସମର୍ଥକମାନେ ଭୋଟ୍ ପାଇଁ ପ୍ରଚାର କରୁଥିଲେ। ଏହି ସମୟରେ ଅସନ୍ତୁଷ୍ଟ ବିଜେଡି ସରପଞ୍ଚ ପ୍ରାର୍ଥୀ କୁନ୍ତଳା ସେଠୀଙ୍କ ପ୍ରଚାର ଗାଡ଼ି ବିଜେଡି ରାଲିକୁ ଅତିକ୍ରମ କରୁଥିଲା। ଏହି ଗାଡ଼ିକୁ ବିଜେଡି ସମର୍ଥକମାନେ ଛାଡ଼ି ନଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ କଳିଝଗଡ଼ା ଲାଗିବା ସହ କଥା ମାରପିଟ୍ ପର୍ଯ୍ୟନ୍ତ ବଢ଼ିଯାଇଥିଲା। ପରେ ଉପସ୍ଥିତ ଲୋକମାନେ ସେମାନଙ୍କୁ ବୁଝାସୁଝା କରି ବିଦା କରି ଦେଇଥିଲେ।
ଏହାର କିଛି ସମୟ ପରେ ଥାନୁଆଳ ହାଟ ପଡ଼ିଆ ନିକଟରେ ବିଜେଡି ପ୍ରଚାର ଗାଡ଼ିକୁ ପ୍ରତିପକ୍ଷ ସମର୍ଥକମାନେ ଭଙ୍ଗାରୁଜା କରିବା ସହିତ ଏଥିରେ ଲାଗିଥିବା ବ୍ୟାନରକୁ ଚିରି ଦେଇଥିଲେ। ଫଳରେ ସେଠାରେ ମଧ୍ୟ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।