ଗଞ୍ଜାମରେ ନିର୍ବାଚନୀ ହିଂସା: ସରପଞ୍ଚ ସମର୍ଥକଙ୍କୁ ଅପହରଣ କରି ମାଡ଼

ଉଦ୍ଧାର କଲା ପୁଲିସ

ଗଞ୍ଜାମ : ଗଞ୍ଜାମ ବ୍ଲକ୍‌ ରମ୍ଭା ଥାନା ରାମଚନ୍ଦ୍ରପୁରରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକ ତଥା ବିଜେପି କର୍ମୀ ଜୟକୃଷ୍ଣ ବେହେରାଙ୍କୁ ଘରୁ ଅପହରଣ କରି ନେଇ ନିର୍ଧୁମ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତେବେ ଖବର ପାଇ ତୁରନ୍ତ ରମ୍ଭା ଥାନା ପୁଲିସ ଜୟକୃଷ୍ଣଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିଛି। ଘଟଣାପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଏ ନେଇ କେସ୍‌ ନଂ ୪୧/୨୨ ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଦୁଇ ଭାଇଙ୍କୁ ଖୋଜୁଥିବା ପୁଲିସ ସୂଚନା ଦେଇଛି।

ସୂଚନା ଅନୁସାରେ, ସାନରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଦଣ୍ଡପାଣି ବେହେରାଙ୍କୁ ବିଜେପି କର୍ମୀ ଜୟକୃଷ୍ଣ ବେହେରା ସମର୍ଥନ କରିବା ସହ ତାଙ୍କ ପାଇଁ ପ୍ରଚାର କରୁଥିଲେ। ଜୟକୃଷ୍ଣ ରମ୍ଭା ସହରର ଲକ୍ଷ୍ମୀପୁର ସାହିରେ ରହୁଥିବା ବେଳେ ମଧୁରଚୁଆଁ ଗ୍ରାମ ସାନସାହିର ଦୁଇଭାଇ ସୁନୀଲ ବେହେରା ଓ ଅନୀଲ ବେହେରା ଗତକାଲି ରାତିରେ ଆସି ଗ୍ରାମରେ ବୈଠକ ହେଉଛି କହି ଜୟକୃଷ୍ଣଙ୍କୁ ଘରୁ ଡାକି ନେଇଥିଲେ। ଦୁଇଭାଇ ଏକ ବାଇକ୍‌ରେ ଜୟକୃଷ୍ଣଙ୍କୁ ପଛରେ ବସାଇ ମଧୁରଚୁଆଁ ଗ୍ରାମକୁ ନ ନେଇ ଦ୍ରୁତଗତିରେ କଣ୍ଟାପଡ଼ା ରାସ୍ତାରେ ନେଇ ଯାଇଥିଲେ। ସେଠାରେ ଏକ ଅନ୍ଧାରିଆ ସ୍ଥାନରେ ଜୟକୃଷ୍ଣଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଦଣ୍ଡପାଣିଙ୍କ ପାଇଁ ପ୍ରଚାର କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏ ସମୟରେ ସେହି ରାସ୍ତା ଦେଇ ଯାଉଥିବ‌ା କିଛି ଯୁବକଙ୍କୁ ଦେଖି ଜୟକୃଷ୍ଣ ପାଟି କରିବାରୁ ସେମାନେ ଅଟକି ଯାଇଥିଲେ। ଅଭିଯୁକ୍ତ ଦୁଇ ଭାଇ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ବେଳେ ଜୟକୃଷ୍ଣ କୌଶଳ କ୍ରମେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ।

ଜୟକୃଷ୍ଣ ପ୍ରାଣ ଭୟରେ ହାଟବୁରୁଡ଼ି ନିକଟ ରେଳଫାଟକ ନିକଟକୁ ଆସି ସେଠାରେ ଜଣେ ବ୍ୟକ୍ତିଙ୍କୁ ମୋବାଇଲ୍‌ ମାଗି ତାଙ୍କ ଭାଇଙ୍କୁ ଫୋନ୍‌ କରିଥିଲେ। ଅନ୍ୟପଟେ ଜୟକୃଷ୍ଣ ବହୁ ସମୟ ଧରି ତାଙ୍କ ପତ୍ନୀ ଗାଁ ଲୋକଙ୍କୁ ଏ ସମ୍ପର୍କରେ ଜଣାଇବା ସହ ରମ୍ଭା ପୁଲିସକୁ ମଧ୍ୟ ତୁରନ୍ତ ଜଣାଇଥିଲେ। ଖବର ପାଇ ରମ୍ଭା ଥାନାଧିକାରୀ ଦୀପ୍ତି ରଂଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ଜୟକୃଷ୍ଣଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ଜୟକୃଷ୍ଣଙ୍କ ପକ୍ଷରୁ ରମ୍ଭା ଥାନାରେ ଅପହରଣକାରୀ ଦୁଇଭାଇ ସୁନୀଲ ଓ ଅନୀଲଙ୍କ ବିରୋଧରେ ଏତଲା ହୋଇଛି।

ସମ୍ବନ୍ଧିତ ଖବର