ଜୁନାଗଡ଼ରେ ନିର୍ବାଚନୀ ହିଂସା: ଥାନା ଆଗରେ ବିଜେପିର ରାସ୍ତାରୋକ

ଭବାନୀପାଟଣା/ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ବୁଧବାର ରାତି ପ୍ରାୟ ୧୧ଟାରେ ନିର୍ବାଚନୀ ହିଂସାକାଣ୍ଡ ଘଟିଛି। ଏଥିରେ ବିଜେଡି କର୍ମକର୍ତ୍ତାଙ୍କ ହାତ ରହିଥିବା ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍‌ଏସିର ୱାର୍ଡ ନମ୍ବର ୨ର ବିଜେଡି କାଉନସିଲର ପ୍ରାର୍ଥୀ ସଚିନ ଅନ୍ଦାନୀ ତାଙ୍କ ସମର୍ଥକମାନଙ୍କୁ ଧରି ରାତି ପ୍ରାୟ ୧୧ଟାରେ ବିଜେପି କାଉନସିଲର ପ୍ରାର୍ଥୀ ବିକାଶ ରଞ୍ଜନ ପଟ୍ଟନାୟକଙ୍କ ଘରେ ପହଞ୍ଚି ଥିଲେ। ଘର ଭିତରକୁ ଯାଇ ବିଜେପି ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନଙ୍କୁ ମାଡ଼ ମାରି ଜିନିଷପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଜୁନାଗଡ଼ ଥାନା ସମ୍ମୁଖରେ ରାସ୍ତାରୋକ କରାଯାଇଛି। ଜାତୀୟ ରାଜପଥ ୨୬ରେ ଉତ୍ତେଜନା ପ୍ରକାଶ ପାଇଛି। ଜୁନାଗଡ଼ ଥାନା ପକ୍ଷରୁ ବିଜେଡି ସମର୍ଥକମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିଜେଡି ସମର୍ଥକମାନେ ଥାନା ପରିସରରେ ରହି ପାଲଟା ଏତଲା ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ମନ୍ତ୍ରୀଙ୍କ ଇଙ୍ଗିତରେ ବିଜେଡି କର୍ମୀମାନେ ଗୁଣ୍ଡାଗିରି କରୁଥିବା ବିଜେପି ଅଭିଯୋଗ କରିଛି। ନିର୍ବାଚନୀ ହିଂସା ଯୋଗୁ ଜୁନାଗଡ଼ ସହରରେ ଉତ୍ତେଜନା ଜାରି ରହିଛି। ଏ ନେଇ ପୁଲିସ କିଛି ମୁହଁ ଖୋଲୁ ନଥିବା ବେଳେ ଗତ କିଛିଦିନ ତଳେ ବିଜେପି ପ୍ରାର୍ଥୀଙ୍କୁ ମନ୍ତ୍ରୀଙ୍କ ଇଙ୍ଗିତରେ ବିଜେଡି କର୍ମୀମାନେ ଧମକ ଦେଉଥିବା ନେଇ କଳାହାଣ୍ଡି ପୁଲିସ ଏସ୍‌ପିଙ୍କଠାରେ ଲିଖିତ ଅଭିଯୋଗ ହୋଇଥିଲା। ରାତି ପ୍ରାୟ ୧୨ଟାରେ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି।

ସମ୍ବନ୍ଧିତ ଖବର