ଔଷଧ ବେପାରୀ ତିଆରିକଲେ ତିନି ଚକିଆ ଇଲେକ୍ଟ୍ରିକ୍‌ ଯାନ, ଘଣ୍ଟା ପ୍ରତି ଗଡ଼ୁଛି ୪୦ କିଲୋମିଟର

ସୌର ଶକ୍ତିରେ ବି ଚାଲିବ ଏହି କାର୍‌

ରାଉରକେଲା: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ। ଏହି ଉକ୍ତିକୁ ସତ୍ୟତାରେ ପ୍ରମାଣିତ କରିଛନ୍ତି ସ୍ଥାନୀୟ ଛେଣ୍ଡ୍‌ କଲୋନିରେ ରହୁଥିବା ଭିକାରୀ ଚରଣ ସାହୁ(୫୯)। ନିଜସ୍ୱ ଜ୍ଞାନକୌଶଳରେ ତିଆରି କରିଛନ୍ତି ଅଭିନବ ତିନି ଚକିଆ ଇଲେକ୍ଟ୍ରିକ୍‌ ଯାନ। ଏହି ତିନିଚକିଆ ଯାନର ବିଶେଷତ୍ବ ହେଲା, ଏହା ଉଭୟ ଇଲେକ୍ଟ୍ରିକ୍‌ ଓ ‌ସୌର ଶକ୍ତିରେ ପରିଚାଳିତ ହେବ। ନିଜ ସମ୍ବଳରେ ମାତ୍ର ୨ ମାସ ଭିତରେ ଏହି ଯାନକୁ ତିଆରି କରିସ୍ମା ଦେଖାଇଛନ୍ତି। ଯାନର ଅର୍ଦ୍ଧାଧିକ କାମ ଶେଷ ହୋଇଥିବାବେଳେ ଟ୍ରାଏଲ୍‌ ବି ସରିଲାଣି। ଆଗାମୀ ୩ ମାସ ଭିତରେ ଏହି ଯାନ ସ୍ବୟଂସଂପୂର୍ଣ୍ଣ ହେବା ସହ ରାସ୍ତାରେ ଗଡ଼ିବ।

ଛେଣ୍ଡ୍‌ ସ୍ଥିତି କ୍ବାର୍ଟର ନଂ ଏଲ୍‌ସିଆର୍‌-୫୦୧ରେ ରହୁଥିବା ଶ୍ରୀ ସାହୁ ପେଶାରେ ଜଣେ ଆୟୁର୍ବେଦିକ ଔଷଧ ବ୍ୟବସାୟୀ। ତେବେ, କୌଣସି ଆୟୁର୍ବେଦ ପ୍ରତିଷ୍ଠାନରୁ ପାଠ ନପଢ଼ି କେବଳ ଅଭିଜ୍ଞତା ଆଧାରରେ ନିଜେ ଜଡିବୁଟିରୁ ଔଷଧ ପ୍ରସ୍ତୁତ କରି ରୋଗୀଙ୍କୁ ଦେଇଥାନ୍ତି। ସେହିଭଳି ସେ କୌଣସି ବୈଷୟିକ ପାଠ ପଢ଼ିନାହାନ୍ତି ସତ; କିନ୍ତୁ ଏବେ ସିଏ ଏକ ତିନି ଚକିଆ ଇଲେକ୍ଟ୍ରିକ୍‌ ଯାନ ତିଆରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପ୍ରକୃତରେ ଶ୍ରୀ ସାହୁଙ୍କର ସୋଲାର୍‌ ପାୱାର୍‌ ଉପରେ ଅହେତୁକ ଦୁର୍ବଳତା ରହିଛି। ପ୍ରାୟ ୭ ବର୍ଷ ହେଲା ସେ ଘରେ ସୌରଶକ୍ତି ପରିଚାଳିତ ଫ୍ୟାନ୍‌, କୁଲର୍‌, ଲାଇଟ୍‌ ଆଦି ବ୍ୟବହାର କରୁଛନ୍ତି। ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଇ ଚାଲିଥିବାରୁ ଏମିତି କିଛି ନୂଆ କରିବାର ସ୍ୱପ୍ନ ଦେଖିଥିଲେ ଶ୍ରୀ ସାହୁ। ପ୍ରାୟ ୨ ମାସ ପୂର୍ବେ ଇଲେକ୍ଟ୍ରିକ୍‌ ପରିଚାଳିତ ତିନି ଚକିଆ କାର୍‌ ତିଆରି କରିବାକୁ ପଦେକ୍ଷପ ଆରମ୍ଭ କରିଥିଲେ। ପରେ ନିଜସ୍ବ ସମ୍ବଳରେ ଯନ୍ତ୍ରପାତି ନୂଆଦିଲ୍ଲୀ, କୋଲକାତାରୁ ଆଣି କାର୍‌ ତିଆରିରେ ଲାଗିପଡ଼ିଥିଲେ। ଏହି କାର୍‌ର ନିର୍ମାଣ କାର୍ଯ୍ୟ ପ୍ରାୟ ୪୦ ପ୍ରତିଶତ ସମ୍ପନ୍ନ ହୋଇସାରିଲାଣି। ଏଥିରେ ୪୮ ଭୋଲ୍‌ଟ ଓ ୭୫୦ ରେଞ୍ଜ୍‌ର ମୋଟର ଖଞ୍ଜାଯାଇଛି। ଏହାସହ ୧୬୫ ଏମ୍ପାୟାର୍‌ ବ୍ୟାଟେରୀ ଲଗାଯାଇଛି।

ବ୍ୟାଟେରୀକୁ ପ୍ରାୟ ୭ ଘଣ୍ଟା ଚାର୍ଜ‌୍ କଲେ ପାଖାପାଖି ୧୨୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ୁଛି। ଏହାର ସ୍ପିଡ୍‌ ଲିମିଟ୍‌ ଘଣ୍ଟାପ୍ରତି ୪୦ କିଲୋମିଟର ରହିଛି। ଏହି କାର୍‌ର ମୋଟର କାମ୍‌ ଶେଷ ହୋଇସାରିଥିବାବେଳେ ଏଥର ବାହ୍ୟ କାମ ବାକି ରହିଛି। ସତସତିକା କାର୍‌ ଭଳି ଏଥିରେ କାଚ, କୁଲର, ୱାଇପର୍‌, ସିଟ୍‌ ଆଦି ଅତ୍ୟାବଶ୍ୟକ ବ୍ୟବସ୍ଥା ଉପଲବ୍ଧ ହେବ। ଏବେ ସୁଦ୍ଧା ୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ହୋଇସାରିଥିବାବେଳେ ଆହୁରି ୨ ଲକ୍ଷ ଟଙ୍କା ବ୍ୟୟ ହେବ। ଏହି କାର୍‌ ବର୍ତ୍ତମାନ ଇଲେକ୍ଟ୍ରିକ୍‌ ଦ୍ବାରା ଚାର୍ଜ‌୍ କରାଯାଉଥିବାବେଳେ ଭବିଷ୍ୟତରେ ଏହା ସୌରଶକ୍ତି ଦ୍ବାରା ପରିଚାଳିତ ହେବ।

ଏନେଇ ଭିକାରୀ ଚରଣ ସାହୁ କହିଛନ୍ତି, ସୌର ଶକ୍ତି ପରିଚାଚଳିତ ଯନ୍ତ୍ରପାତି ବ୍ୟବହାର କରିବାକୁ ମୋ’ର ପ୍ରବଳ ଇଚ୍ଛା ରହିଛି। ଏଣୁ ଘରେ କୁଲର୍‌, ବଲ୍‌ବ, ଫ୍ୟାନ ଆଦି ସୌର ଶକ୍ତି ଦ୍ବରା ଚାଲୁଛି। ଅଧୁନା ପେଟ୍ରୋଲ, ଡିଜେଲର ଦରର ‌ଅହେତୁକ ବୃଦ୍ଧି, ଦ୍ବାରା ଜନସାଧାରଣ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ସମାଧାନ ପାଇଁ ସୌର ଶକ୍ତି ପରିଚାଳିତ ତିନି ଚକିଆ କାର୍‌ ତିଆରି କରୁଛି। ବର୍ତ୍ତମାନ ଏହି କାର୍‌ ଇଲେକ୍ଟ୍ରିକ୍‌ ଦ୍ବାରା ଚାଲୁଥିବାବେଳେ ଆଗାମୀ ଦିନରେ ସୌର ଶକ୍ତି ଦ୍ବାରା ପରିଚାଳିତ ହେବ। ଏହି ତିନି ଚକିଆ ଯାନକୁ ସମ୍ପୂର୍ଣ୍ଣ ସୌରଚାଳିତ ଓ ଶୀତତାପ ନିୟନ୍ତ୍ରିତ କରିବାକୁ ଆଉ ୨/୩ ମାସ ସମୟ ଲାଗିବ। ତେବେ, କୌଣସି ବ୍ୟବସାୟିକ ଦୃଷ୍ଟିକୋଣରୁ ନୁହେଁ ଏହାକୁ ତିଆରି କରୁନି। ଗୋଟିଏ ବିଦ୍ୟୁତ ଓ ସୌରଚାଳିତ ଯାନ ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି; ଏଣୁ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାର ପ୍ରୋତ୍ସାହନ ମିଳିଲେ ସେ ତାଙ୍କର ଜ୍ଞାନକୌଶଳ ସମ୍ପୃକ୍ତ ସଂସ୍ଥାକୁ ଯୋଗାଇଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର