ତାଲାବନ୍ଦ ପାଇଁ ବିଦ୍ୟୁତ୍‌ ଗ୍ରାହକଙ୍କୁ ଆଶ୍ବସ୍ତି : ମାର୍ଚ ମାସ ବିଲ୍‌ ପଇଠ ତାରିଖ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ବୃଦ୍ଧି

ମୋଟର ଯାନ ଟିକସ ପୈଠ ଅବଧି ଜୁନ୍ ୩୦କୁ ଘୁଞ୍ଚିଲା

ଭୁବନେଶ୍ବର : ତାଲାବନ୍ଦ ସମୟରେ ବିଦ୍ୟୁତ ବିଲ୍‌ ପଇଠ କରିପାରିନଥିବା ଗ୍ରାହକଙ୍କକୁ ସରକାର ଆଶ୍ବସ୍ତ କରିଛନ୍ତି। ଏଥିପାଇଁ ବିଲ୍‌ ପଇଠ ତାରିଖକୁ କୋହଳ କରାଯାଇଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଅନୁମତି କ୍ରମେ ମାର୍ଚ୍ଚ ମାସ ପାଇଁ ଅନାଦେୟ ବିଲ୍‌ ଚଳିତମାସ ୧୫ ତାରିଖ ସୁଦ୍ଧା ଆଦାୟ କରାଯିବ। ଏ ନେଇ ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ଗ୍ରିଡକୋ ଅଧ୍ୟକ୍ଷ ଓ ରାଜ୍ୟର ସମସ୍ତ ବିଦ୍ୟୁତ୍‌ ବଣ୍ଟନ କମ୍ପାନିମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ସୁବିଧା ଘରୋଇ ଉପଭୋକ୍ତା ଓ କ୍ଷୁଦ୍ରଶିଳ୍ପ ଗ୍ରାହକମାନଙ୍କୁ ମିଳିବ। କୋଭିଡ଼୍‌-୧୯ ମହାମାରୀକୁ ଦୃଷ୍ଟିରେ ବିଦ୍ୟୁତ୍‌ ବିଲ୍‌ ପଇଠ କରିବା ତାରିଖ ବଣ୍ଟନ କମ୍ପାନିମାନେ ଆହୁରି ବଢ଼ାଇପାରିବେ ଓ ବିଳମ୍ବରେ ପଇଠ ପାଇଁ ବି ବିଲ୍‌ ରାଶି ଉପରେ ରିବେଟ୍‌ ମିଳିପାରିବ ବୋଲି ଶକ୍ତି ବିଭାଗ ସ୍ପଷ୍ଟ କରିଛି।

ମୋଟର ଯାନ ଟିକସ ପୈଠ ଅବଧି ଜୁନ୍ ୩୦କୁ ଘୁଞ୍ଚିଲା
ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣକୁ ମୁକାବିଲା କରିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମୋଟର ଯାନ କର ପୈଠ ତାରିଖକୁ ଆଗାମୀ ଜୁନ୍ ୩୦ ଯାଏ ଘୁଞ୍ଚାଇ ଦେଇଛନ୍ତି। ଲକ୍‌ ଡାଉନ୍ ଯୋଗୁ ଯେଉଁ ଷ୍ଟେଜ୍ କ୍ୟାରେଜ୍/କଣ୍ଟ୍ରାକ୍ଟ କ୍ୟାରେଜ୍‌ଗୁଡ଼ିକ ଏପ୍ରିଲ୍‌ ମାସ ପାଇଁ ସେମାନଙ୍କ ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସ ଦେଇ ନାହାନ୍ତି, ସେଗୁଡ଼ିକ ଏହି ଅବଧି ମଧ୍ୟରେ ଟିକସ ପଇଠ କରିବେ। ସେହିପରି ଯେଉଁ ମାଲ୍‌ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଏପ୍ରିଲ୍‌-ଜୁନ୍ ତ୍ରୈମାସିକ ମୋଟର ଯାନ ଟିକସ ପ୍ରଦାନ କରି ନାହାନ୍ତି, ସେମାନେ ମଧ୍ୟ ଏହି ଅବଧିରେ ଟିକସ ଦାଖଲ କରିବାକୁ କୁହାଯାଇଛି। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗାଡ଼ି ମାଲିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ଅବଧିକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର