ଟାରିଫ୍ ନିର୍ଧାରଣରେ ଗ୍ରାହକଙ୍କୁ ଶୋଷଣ ତଥ୍ୟ ଅମୂଳକ: ମନ୍ତ୍ରୀ

ଭୁବନେଶ୍ବର: ବିଦ୍ୟୁତ ଆଇନ, ୨୦୦୩ ଅଧାରରେ ଟାରିଫ୍ ନିର୍ଧାରଣ କରିବାର ଦାୟିତ୍ବ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)ଙ୍କ ଉପରେ ନ୍ୟସ୍ତ କରାଯାଇଛି। ଆୟୋଗ ବିଦ୍ୟୁତ ଶୁଳ୍କ ନିର୍ଧାରଣ କଲାବେଳେ ବିଦ୍ୟୁତ ଆଇନ ୨୦୦୩, ଟାରିଫ୍ ପଲିସି ଓ ଟାରିଫ୍ ରେଗୁଲେସନମାନଙ୍କୁ ବିଚାରକୁ ନେଇଥାନ୍ତି। ଏହି ସମୟରେ ପୂର୍ବ ବର୍ଷର ବିଦ୍ୟୁତର ବିକ୍ରୟ ପରିମାଣ, ଲୋଡ ଫ୍ୟାକ୍ଟର, ଡିମାଣ୍ଡ ଓ ବିଗତ ବର୍ଷର ବିଲିଂ ରେଟ ହିସାବକୁ ନେଇ ପରବର୍ତୀ ବର୍ଷର ବିଦ୍ୟୁତ ବିକ୍ରୟ ପରିମାଣର ଆକଳନ କରାଯାଇଥାଏ। ଏହାପରେ ଆସନ୍ତାବର୍ଷର ନିଟ୍‌ ରାଜସ୍ବ ଆବଶ୍ୟକତା ଓ ବିକ୍ରି ଯୋଗ୍ୟ ବିଦ୍ୟୁତ ପରିମାଣକୁ ହିସାବକୁ ନିଆଯାଇଥାଏ। ତେଣୁ ଗ୍ରାହକଙ୍କୁ ଟାରିଫ ନିର୍ଧାରଣ ବେଳେ ଶୋଷଣ କରାଯାଉଥିବା ମନ୍ତବ୍ୟ ତଥ୍ୟ ଉପରେ ପର୍ଯ୍ୟବେସିତ ନୁହେଁ। ଏହା ସଂପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ ଗ୍ରସ୍ ରାଜସ୍ବ ଆବଶ୍ୟକତାରୁ ପରବର୍ତୀ ବର୍ଷ ବିତରଣ କମ୍ପାନିମାନେ କେତେ ପରିମାଣରେ ଅନ୍ୟାନ୍ୟ ସୂତ୍ରରୁ ଆୟ କରିବେ ତହିଁରୁ ଡିପିଏସ୍, ପେନାଲ୍‌ଟି, ସରଚାର୍ଜ ପ୍ରଭୃତିକୁ ବାଦ୍ ଦେଲେ ନିଟ୍‌ ରାଜସ୍ବ ଆବଶ୍ୟକତା ବାହାରିଥାଏ। ଏହାପରେ ନିଟ୍ ରାଜସ୍ବ ଆବଶ୍ୟକତା ଓ ଆସନ୍ତାବର୍ଷ ବିକ୍ରିଯୋଗ୍ୟ ବିଦ୍ୟତ ପରିମାଣକୁ ହିସାବକୁ ନେଇ ହାରହାରି ଟାରିଫ ବାହାର କରାଯାଇଥାଏ। ଏହାଫଳରେ ଯାହା ପରବର୍ତୀ ବର୍ଷରେ ବିଲିଂ ରେଟ୍‌ ଆସେ ତାହା ଆକଳନ କରାଯାଇଥିବା ହାରହାରି ଟାରିଫଠାରୁ ବହୁ ସମୟରେ ଅଧିକ ହୋଇଥାଏ। ଏହାଛଡ଼ା ଆୟୋଗ ଆକଳନ କରିଥିବା ବିଦ୍ୟୁତ ବିକ୍ରୟ ପରିମାଣ, ଲୋଡ ଫ୍ୟାକ୍ଟର, ଡିମାଣ୍ଡ ଓ କଞ୍ଜୁମର ମିକ୍ସରେ ଯଦି ପରବର୍ତୀ ବର୍ଷରେ କିଛି ପରିବର୍ତନ ହୁଏ ତେବେ ହାରହାରି ଟାରିଫଠାରୁ ହାରାହାରି ବିଲିଂ କମ୍ ବା ବେଶି ହୋଇପାରେ।

ବିତରଣ କମ୍ପାନିମାନେ ଆୟୋଗ ଧାର୍ଯ୍ୟ କରିଥିବା ଟାରିଫ୍ ଅନୁଯାୟୀ ବିଦ୍ୟୁତ ବିଲ କରିଥାନ୍ତି। ମାତ୍ର ଯଦି ସମଗ୍ର ବିତରଣ କମ୍ପାନିକୁ ଦେଖାଯାଏ ତେବେ ଉପରୋକ୍ତ କାରଣରୁ ବିଲିଂ ପର ୟୁନିଟ୍‌ କମ୍ ବା ବେଶି ହୋଇଥାଏ। ଯଦି କୌଣସି ବିଦ୍ୟୁତ ବିତରଣ କମ୍ପାନି କୌଣସି ବର୍ଷ ଆୟୋଗ ଧାର୍ଯ୍ୟ କରିଥିବା ଆୟଠାରୁ ଅଧିକ ଆୟ କରନ୍ତି ତେବେ ତାହା ବିତରଣ କମ୍ପାନିଙ୍କର ଭେଷ୍ଟିଂ ଅର୍ଡର ଓ ଆୟୋଗଙ୍କ ଟାରିଫ ରେଗୁଲେସନ ସର୍ତମତେ ବିଚାର କରାଯାଏ। ଯାହାକୁ ଟ୍ରଇଂ ଅପ୍ କୁହାଯାଏ। ତେଣୁ ଟାରିଫ ନିର୍ଧାରଣ କଲାବେଳେ ଯଦି ବିଗତ ବର୍ଷ ବିତରଣ କମ୍ପାନିମାନେ ଅଧିକ ରାଜସ୍ବ ଆଦାୟ କରିଥାନ୍ତି ତାହା ବିଚାରକୁ ନିଆଯାଇ ପରବର୍ତୀ ବର୍ଷର ରାଜସ୍ବ ଆବଶ୍ୟକତାରୁ ବାଦ୍ ଦିଆଯାଏ। ଯାହାଫଳରେ ଉପଭୋକ୍ତାମାନଙ୍କ ଉପରେ କମ୍ ଟାରିଫ ପଡ଼ିଥାଏ। ଚଳିତ ୨୦୨୨/୨୩ବର୍ଷର ଶୁଳ୍କ ନିର୍ଧାରଣ ବେଳେ ଆୟୋଗ ବିତରଣ କମ୍ପାନିମାନେ ଗତବର୍ଷ ଅଧିକ ୩୫୦ କୋଟି ଟଙ୍କା ଆୟ କରିଥିବାରୁ ବିତରଣ କମ୍ପାନିମାନଙ୍କର ବାର୍ଷିକ ରାଜସ୍ବ ଆବଶ୍ୟକତାଠାରୁ ବାଦ୍ ଦେଇଛନ୍ତି। ଯାହାଫଳରେ ଟାରିଫ୍ ବୃଦ୍ଧିକୁ ରୋକାଯାଇପାରଛି।
ଉଲ୍ଲେଖ ଯେ ବିଦ୍ୟୁତ ଆଇନ, ୨୦୦୩ରେ ଘରୋଇ ବିଦ୍ୟୁତ ବିତରଣ କମ୍ପାନିରେ ସରକାରଙ୍କ ଅଡିଟ୍‌ ପାଇଁ କୌଣସି ବ୍ୟବସ୍ଥା ନାହିଁ।

ସମ୍ବନ୍ଧିତ ଖବର