ବକେୟା ବିଦ୍ୟୁତ୍‌ ବିଲ୍‌ ବାବଦରେ ଗୋଟିଏ ଦିନରେ ୨ କୋଟି ଟଙ୍କା ସଂଗ୍ରହ କଲା ୱେସ୍କୋ

ସମ୍ବଲପୁର: ବକେୟା ବିଦ୍ୟୁତ୍‌ ସଂଗ୍ରହ କରିବା ନେଇ ୱେସ୍କୋ ଆଜିଠାରୁ ଧରପଗଡ଼ ଆରମ୍ଭ କରିଛି। ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ବକେୟା ବିଦ୍ୟୁତ୍‌ ବିଲ୍‌ ବାବଦରେ ୨ କୋଟି ଟଙ୍କାରୁ ଅଧିକ ଆଦାୟ କରିଥିବା ଜଣାଯାଇଛି। ୱେସ୍କୋ ମହାପ୍ରବନ୍ଧକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଆଜି ପ୍ରଥମ ଦିନରେ ପ୍ରାୟ ୨୦୦୦ ଲୋକଙ୍କ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି।

ଆଜିଠାରୁ ବକେୟା ବିଦ୍ୟୁତ୍‌ ବିଲ ସଂଗ୍ରହ ଅଭିଯାନ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୩୦ଟି ଟିମ୍‌ ସହରାଞ୍ଚଳରେ ଘରକୁ ଘର ଯାଇ ବକେୟା ବିଦ୍ୟୁତ୍‌ ବିଲ ସଂଗ୍ରହ କରିଛନ୍ତି। ଯେଉଁ ଉପଭୋକ୍ତାମାନେ ଆଜି ବିଦ୍ୟୁତ୍‌ ବିଲ୍‌ ପୈଠ କରି ନାହାନ୍ତି, ସେମାନଙ୍କର ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି।

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଓ ରକ୍ଷଣାବେକ୍ଷଣର ଦାୟିତ୍ୱ ନେଇଥିବା ୱେସ୍କୋକୁ ବକେୟା ବିଦ୍ୟୁତ୍‌ ବିଲ ସଂଗ୍ରହ କରିବା ପାଇଁ କିଛି ଦିନ ପୂର୍ବରୁ ଆଦେଶ ହୋଇଥିଲା। ଏହି କ୍ରମରେ ୱେସ୍କୋ ପକ୍ଷରୁ ନିକଟରେ ବିଦ୍ୟୁତ୍‌ ବିଲ ପୈଠ କରିବା ପାଇଁ ମାଇକ୍‌ ଯୋଗେ ପ୍ରଚାର କରାଯାଇଥିଲା। ବକେୟା ବିଦ୍ୟୁତ୍‌ ବିଲ ସଂଗ୍ରହ ଅଭିଯାନ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର