ସୁନ୍ଦରଗଡ଼: ଟାଟାପାୱାର ପଶ୍ଚିମ ଓଡ଼ିଶା ବିତରଣ କମ୍ପାନି ତରଫରୁ ସୁନ୍ଦରଗଡ଼ ବିଦ୍ୟୁତ୍ ବିଭାଜନ (ଡିଭିଜନ)ର ବିଦ୍ୟୁତ୍ ଦେୟ ସଂଗ୍ରହରେ ନିୟୋଜିତ ବୁଦ୍ଧମ ବିଲ୍ଡର୍ସ ସଂସ୍ଥାର ସଂଯୋଜକ ପ୍ରାୟ ୨୪.୪୭ ଲକ୍ଷ ଟଙ୍କା ଜମା ନକରି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସଂସ୍ଥା ପକ୍ଷରୁ ସୁନ୍ଦରଗଡ଼ ଟାଉନଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ସଂଯୋଜକ ଓ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁସାରେ, ଟାଟାପାୱାର ସୁନ୍ଦରଗଡ଼ ବିଦ୍ୟୁତ୍ ବିଭାଜନର ଗ୍ରାହକଙ୍କଠାରୁ ବିଦ୍ୟୁତ୍ ଦେୟ ସଂଗ୍ରହ ପାଇଁ ବୁଦ୍ଧମ ବିଲ୍ଡର୍ସଙ୍କୁ ନିୟୋଜିତ କରିଛନ୍ତି। ସଂସ୍ଥାର ଜଣେ ସଂଯୋଜକଙ୍କ ତତ୍ତ୍ବାବଧାନରେ ୧୨ ପରିଦର୍ଶକ (ସୁପରଭାଇଜର) ବିଦ୍ୟୁତ୍ ଦେୟ ସଂଗ୍ରହ କରିଥାନ୍ତି। ତେବେ, ନିକଟରେ ପରିଦର୍ଶକମାନେ ସଂଗୃହୀତ ରାଶି ୨୪.୪୭ ଲକ୍ଷ ଟଙ୍କା ସଂଯୋଜକଙ୍କୁ ଦେଇଥିଲେ ମଧ୍ୟ ସେ ତାକୁ ଜମା କରି ନଥିଲେ ବୋଲି ଅଭିଯୋଗ ହୋଇଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସଂଯୋଜକଙ୍କଠାରୁ ୨୪.୪୭ ଲକ୍ଷ ଟଙ୍କା ଭରଣା ବା ଆଦାୟ କରିବାକୁ ସଂସ୍ଥା ପୁଲିସକୁ ଅନୁରୋଧ କରିଥିବା ଜଣାପଡ଼ିଛି।