ମରାମତି ନାମରେ ବିଦ୍ୟୁତ କାଟ: ହନ୍ତସନ୍ତ ହେଉଛନ୍ତି ଉପଭୋକ୍ତା

ଜୟପୁର: ବିଭିନ୍ନ ଘରୋଇ ଅନୁଷ୍ଠାନ ଓ ସରକାରୀ ଦପ୍ତର ଉପରେ ପଡି ରହିଛି କୋଟି କୋଟି ଟଙ୍କାର ବକେୟା ବିଲ। ବାରମ୍ବାର ନୋଟିସ କଲେ ମଧ୍ୟ ବିଲ ପୈଠ କରୁନାହାନ୍ତି। ରାଜନେତାଙ୍କ ଚାପ ପକାଇ ଘରୋଇ ଅନୁଷ୍ଠାନ ଗୁଡିକ ବିଲ ପୈଠରେ ବିଳମ୍ବ କରୁଥିବା ବେଳେ ସରକାରୀ କାର୍ଯ୍ୟାଳୟକୁ ନୋଟିସ ଜାରି କରି ଥକିଲେଣି ବିଦ୍ୟୁତ ବିଭାଗ। କିନ୍ତୁ କେହି ଶୁଣୁନାହାନ୍ତି। ଫଳରେ ଏହାର ବୋଝ ମୁଣ୍ଡାଇବାକୁ ପଡୁଛି ସାଧାରଣ ଉପଭୋକ୍ତାଙ୍କୁ। ଆଗକୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଥିବା ବେଳେ ସକାଳୁ ଓ ସନ୍ଧ୍ୟାରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ୍‌ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

କୋରାପୁଟ ଜିଲ୍ଲାର ଜୟପୁର ପ୍ରମୁଖ ସହର ତଥା ବାଣିଜ୍ୟ ପେଣ୍ଠସ୍ଥଳୀ ହୋଇଥିଲା ବେଳେ ପ୍ରାୟ ୧ଲକ୍ଷ ଲୋକ ବସବାସ କରୁଛନ୍ତି। ଜୟପୁର ଉପଖଣ୍ଡ ଅଧୀନରେ ୨ଟି ସବଷ୍ଟେସନ, ଜୟପୁର ବ୍ଲକରେ ୩ଟି, ବୋରିଗୁମ୍ମାରେ ୩ଟି, କୋରାପୁଟରେ ୨ଟି, ଲକ୍ଷ୍ମୀପୁରରେ ୩ଟି ଓ ସୁନାବେଡାରେ ୪ଟି ସବଷ୍ଟେସନ ରହିଛି। ଓଟିପିସିଲର ୨ଟି ୟୁନିଟ ଅଚଳ ଥିବାରୁ ରାଜ୍ୟରେ ପ୍ରତିଦିନ ପିକ୍‌ ଟାଇମ ଯଥା ସକାଳୁ ଓ ସନ୍ଧ୍ୟାରେ ଘଣ୍ଟାଏ ଲେଖାଏଁ ବିଦ୍ୟୁତ କାଟ ହେଉଛି। କିନ୍ତୁ ଖାଲି ଯେ ଘଣ୍ଟାଏ ଲେଖାଏଁ ବିଦ୍ୟୁତ କାଟ ହେଉଛି ତାହା ନୁହେଁ। ଏହାଠାରୁ ଢେରଗୁଣା ଅଧିକ ସମୟ ବିଦ୍ୟୁତ କାଟୁଥିବା ଅଭିଯୋଗ ହୋଇଛି।

ଦଶମ ଶ୍ରେଣୀ ଛାତ୍ରୀ ଲିଜାରାଣୀ ମହାନ୍ତି କହିଛନ୍ତି ଯେ ଫେବ୍ରୁଆରିରେ ବୋର୍ଡ ପରୀକ୍ଷା। ସନ୍ଧ୍ୟାରେ ବିଦ୍ୟୁତ କାଟ୍‌ ଯୋଗୁଁ ନାହିଁ ନଥିବା ହଇରାଣ ହେବାକୁ ପଡୁଛି। ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ବିଦ୍ୟୁତ କାଟ ଯୋଗୁଁ ପାଠପଢାରେ ଘୋର ବିଭ୍ରାଟ ହେଉଛି ବୋଲି ସେ କହିଛନ୍ତି। ସନ୍ଧ୍ୟା ସମୟ ପାଠପଢା ପାଇଁ ଉପଯୁକ୍ତ ସମୟ ହୋଇଥିବା ବେଳେ ଏହି ସମୟରେ ବିଦ୍ୟୁତ କାଟ କରାଯିବା ଅନୁଚିତ ବୋଲି ସେ କହିଛନ୍ତି। ଅଭିଭାବକ ସ୍ମୃତି ରଞ୍ଜନ ଦଳେଇ କହିଛନ୍ତି ଯେ ସକାଳୁ ବିଦ୍ୟୁତ କାଟ ହେଲେ ବିଶେଷ କିଛି ଅସୁବିଧା ନାହିଁ। କିନ୍ତୁ ସନ୍ଧ୍ୟା ସମୟରେ ବିଦ୍ୟୁତ କାଟ କରାଯିବା ଦ୍ୱାରା ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କାଳ ସଦୃଶ ବୋଲି ସେ କହିଛନ୍ତି।

ଏନେଇ ସାଉଥକୋ ପକ୍ଷରୁ କୁହାଯାଇଛି ଯେ ରାଜ୍ୟସ୍ତରରେ ବିଦ୍ୟୁତ ଉତ୍ପାଦନରେ ସମସ୍ୟା ରହିଛି। ତେଣୁ ପିକ୍‌ ଆଓ୍ଵାରରେ ବିଦ୍ୟୁତ କାଟ ଜାରି ରହିଛି। ଏହାସହ ଜୟପୁରରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଚୋରି ହେଉଛି। ବେଳେବେଳେ ଟିମ ମଧ୍ୟ ଚଢାଉ କରି ଏହାକୁ ଧରୁଛନ୍ତି। କିନ୍ତୁ ସବୁବେଳେ ଏହା ସମ୍ଭବପର ହେଉନାହିଁ। ଅନ୍ୟପକ୍ଷରେ ବିଭିନ୍ନ ସରକାରୀ ଦପ୍ତରରେ କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ ବାକି ରହିବା ଫଳରେ ଏହାର ପରିଣାମ ସଦୃଶ ବଦ୍ୟୁତ କାଟ ହେଉଛି। ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ସ୍ତରରେ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଗଲେ ଏହି ପକ୍ରିୟା ବନ୍ଦ ହୋଇଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର