ବାଉଁଶ ଖୁଣ୍ଟରେ ବିଦ୍ୟୁତ୍‌ ତାର, ବିପଦକୁ ଡାକୁଛି ବିଦ୍ୟୁତ୍ ବିଭାଗ

ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍, ଉପଭୋକ୍ତା ମହଲରେ ଅସନ୍ତୋଷ

ଦଶରଥପୁର: ବାଉଁଶ ଖୁଣ୍ଟରେ ଟଣାଯାଇଛି ବିଦ୍ୟୁତ୍‌ ତାର। ସବୁ ନିୟମକାନୁନକୁ ମୋଡ଼ିମକଚି ବିଦ୍ୟୁତ୍ ବିତରଣ କମ୍ପାନି ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଯୋଗାଉଛି। ଅଭି‌େଯାଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଯାଜପୁର ଭଳି ଅଗ୍ରଣୀ ଜିଲ୍ଲାର ଦଶରଥପୁର ବ୍ଲକ୍‌ରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ତାହା ଗାଁ-ଗହଳିରେ କେତେ ପରିମାଣରେ କାର୍ଯ୍ୟକାରୀ ହେଉଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦଶରଥପୁର ବ୍ଲକ ଅଞ୍ଚଳରେ ଫନି ବାତ୍ୟାରେ ବହୁ ବିଦ୍ୟୁତ୍‌ ଖୁଣ୍ଟ ଧରାଶାୟୀ ହୋଇଥିଲା। ଫନି କ୍ଷତ ଭରଣା ପାଇଁ ସରକାର ତ୍ବରିତ୍‌ ପଦ‌େକ୍ଷପ ନେଇଥିବାବେଳେ ଶକ୍ତି ବିଭାଗ ତରଫରୁ ବିଦ୍ୟୁତ୍‌ ଖୁଣ୍ଟ ଯୋଗାଇ ଦିଆଯାଇଥିଲା। ମାତ୍ର, କଂକ୍ରିଟ ଖୁଣ୍ଟ ବଦଳରେ ବିଦ୍ୟୁତ୍‌ ବିଭାଗ ବାଉଁଶ ଖୁଣ୍ଟରେ କାମ ଚଳାଇ ଦେଉଛି। ଦାୟିତ୍ବ‌େର ଥିବା ଏକ ଠିକା ସଂସ୍ଥା ଏହିଭଳି କାର୍ଯ୍ୟ କରିଥିବା ଅଭିଯୋଗରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ଳକ୍‌ ଅନ୍ତର୍ଗତ ପାଲଟପୁର ପଞ୍ଚାୟତ ନୀଳକଣ୍ଠପୁର ଛକ, ସାଠିବାଟି, ମଂଗଳପୁର ବସ୍‌ଷ୍ଟାଣ୍ତ, କନିକାପଡ଼ା ପଞ୍ଚାୟତର ନାଗାପାଟଣା ଭଳି ବହୁ ସ୍ଥାନରେ ବାଉଁଶ ଖୁଣ୍ଟ ଲଗାଯାଇଛି। ଦଶରଥପୁର ପଞ୍ଚାୟତର ମଲ୍ଲିପୁର, ଦଶରଥପୁର ବ୍ଲକ୍‌ ଛକ, ରାମବାଗ, କଟିକଟା ଆଦି ସ୍ଥାନରେ ବାଉଁଶ ଖୁଣ୍ଟରେ ବିଦ୍ୟୁତ୍‌ ତାର ଟଣାଯାଇଛି। କରାଣ୍ତିପୁର ଠାରେ ଦୀର୍ଘଦିନ ହେବ ଏକ ବିଦ୍ୟୁତ ଖୁଣ୍ଟି ନଇଁ ପଡ଼ିଥିଲେ ମଧ୍ୟ ଏହାକୁ ସଜଡା ଯାଉନାହିଁ। ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଏକ ଗଛମୂଳରେ ବନ୍ଧାହୋଇ ରଖାଯାଇଛି। ସେହି ସ୍ଥାନରେ ଚାଷ କରାଯାଉଥିବାବେଳେ ବାସଗୃହ ମଧ୍ୟ ରହିଛି। ଏହିଭଳି ବ୍ଲକର ଶତାଧିକ ସ୍ଥାନରେ ବାଉଁଶ ଖୁଣ୍ଟ ଭରସାରେ ବିଦ୍ୟୁତ୍ ଯୋଗାଣ କରାଯାଉଛି। ଏ ସଂପର୍କରେ ବିଭାଗୀୟ ଏସଡିଓ ବ୍ରଜକିଶୋର ଧଳଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ସେ ଏଠାକୁ ନୂଆ ଆସିଛନ୍ତି। କେଉଁଠି ସମସ୍ୟା ଅଛି ସେ ସଂପର୍କରେ ଅବଗତ ନାହାନ୍ତି। ତେବେ ଖୁଣ୍ଟ ଆସିଲେ ତୁରନ୍ତ ଏହାକୁ ବଦଳାଯିବ। ତେବେ, କେବେ ବାଉଁଶ ଖୁଣ୍ଟର ଅପସାରଣ କରାଯିବ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର