ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ୍‌ ବିଭାଗର ପ୍ରସ୍ତୁତି, କର୍ମଚାରୀଙ୍କ ଛୁଟି ବାତିଲ, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପାଇଁ ବିଦ୍ୟୁତ୍‌ ବିଭାଗ ସଜାଗ ହୋଇଛି। ବାତ୍ୟା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଓ ବାତ୍ୟା ପରେ ତ୍ବରିତ ପୁନରୁଦ୍ଧାର କାମ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଛି ବିଦ୍ୟୁତ୍‌ ବିଭାଗ। ରାଜ୍ୟରେ ଥିବା ୨୦ ଡିଭିଜନ୍‌ରେ ୨୦ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳ‌େ ଭୁବନେଶ୍ବର ମୁଖ୍ୟାଳୟରେ ୨୪ଘଣ୍ଟିଆ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହୋଇଛି। ବରିଷ୍ଠ ଅଧିକାରୀମାନେ ଦାୟିତ୍ବ ନେଇଛନ୍ତି। ସରକାର ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର୍‌ମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି। ସେମାନଙ୍କ ନିର୍ଦ୍ଦେଶ ମୁତାବକ, ବାତ୍ୟାର ମୁକାବିଲା ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।

ସମସ୍ତ ଅଧିକାରୀମାନଙ୍କୁ ଛୁଟି ବାତିଲ କରାଯାଇଛି। ଯେଉଁମାନେ ଛୁଟିରେ ଥିଲେ ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ବୁଝା‌ମଣା ନ କରିବା ପାଇଁ ବିଭାଗ ପ୍ରସ୍ତୁତି କରିଛି। ବିଭିନ୍ନ ଡିଭିଜନ୍‌ ଅଧୀନରେ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବା ପରେ ପରେ ହିଁ ସଂଯୋଗ ଦେବା ସହ ଅଧିକ ପବନ ‌ହେଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଟିମ୍‌ ବ୍ୟବସ୍ଥା କରିବ। ଗଛ ଡାଳ ପଡ଼ି ସଂଯୋଗ ବିଚ୍ଛିନ୍ନ ହେଲେ ତୁରନ୍ତ ଡାଳ କାଟିବା ପାଇଁ ସମସ୍ତ ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ କର୍ମଚାରୀ ଅଭାବ ପଡ଼ିଲେ ପ୍ରଭାବିତ ହୋଇନଥିବା ବା କମ୍‌ ପ୍ରଭାବିତ ହୋଇଥିବା ଅଞ୍ଚଳରୁ କର୍ମଚାରୀଙ୍କୁ ଅଣାଯିବା ପାଇଁ ଯୋଜନା ରହିଛି। ଏଥିପାଇଁ ବିଭିନ୍ନ ଡିଭିଜନ୍‌ ଅଧୀନରେ ଥିବା ନିୟନ୍ତ୍ରଣ କକ୍ଷ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସହ ଯୋଗସୂତ୍ରରେ ରହିବେ। ବାରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ, ନିୟନ୍ତ୍ରଣ କକ୍ଷ କାମ କରିବ। ଆବଶ୍ୟକ ମୁତାବକ କଟର୍‌ ସହ ତାର, ଖୁଣ୍ଟି ଓ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ସରଞ୍ଜାମ ପ୍ରସ୍ତୁତ ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତବର୍ଷ ଫନି ସମୟରେ ବିଦ୍ୟୁତ୍‌ ବିଭାଗ ସର୍ବାଧିକ କ୍ଷତି ସହିଥିଲା। ଏହାକୁ ମୁକାବିଲା କରିବା ସହ ପୁନରୁଦ୍ଧାର କାମରେ ବିଭାଗ ବେଶ୍‌ ଅଭିଜ୍ଞତା ହାସଲ କରିଥିଲା। ଖୁବ୍‌ କମ୍‌ ଦିନରେ ବିଦ୍ୟୁତ୍‌ ସଂଯୋଗ ଦେବା ସହ ପୁନରୁଦ୍ଧାର କାମ ମଧ୍ୟ ଶୀଘ୍ର ହୋଇଥିଲା। ସହର ସହ ଗ୍ରାମାଞ୍ଚଳରେ ବିଜୁଳି ପହଞ୍ଚାଇବାରେ ବିଭାଗ ରେକର୍ଡ କରିଥିଲା। ଏହି ସମୟର ଅଭିଜ୍ଞତା ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବିଭାଗକୁ ପ୍ରସ୍ତୁତ କରିଛି ବୋଲି ଜଣେ ବରି‌ଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର