ରାଉରକେଲା:  ସରକାର ବିଜୁଳି ବିଭାଗକୁ ଘରୋଇ ସଂସ୍ଥାକୁ ଟେକି ଦେବା ପରେ ବଢ଼ିଯାଇଛି ଶୋଷଣ। ପୂର୍ବାପେକ୍ଷା ବିଜୁଳି ଦେୟ ବୃଦ୍ଧି ପାଇଛି। ସେହି ଅନୁଯାୟୀ କିନ୍ତୁ ସେବା ମିଳୁନି। ଅପର‌ପକ୍ଷେ ବିଭିନ୍ନ ଆଳ ଦେଖାଇ ଗ୍ରାହକମାନଙ୍କୁ ଶୋଷଣ କରାଯାଉଛି। କେତେବେଳେ ବିଳମ୍ବ ରିଡିଂ ହେଉ ଅବା ବିଲ୍‌ ଠିକ୍‌ ସମୟରେ ଦିଆଯାଉ ନଥିବାରୁ ଗ୍ରାହକମାନଙ୍କ ଉପରେ ବିଲ୍‌ ବୋଝ ବଢ଼ୁଛି। ରିହାତି ମଧ୍ୟ ମିଳୁନି। ମାସ ମାସ ଧରି ଏଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ସାଧାରଣ ଗ୍ରାହକ କିଛି ଅନ୍ୟାନ୍ୟ ସଂସ୍ଥା। ରିଡିଂ ଓ ବିଲ୍‌ ବଣ୍ଟନ ଦାୟିତ୍ବ ଅନ୍ୟ ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ବିଲ୍‌ ଦେଲେ ଗ୍ରାହକମାନଙ୍କୁ ପ୍ରତ୍ୟେକ ବିଲ୍‌ରେ କିଛି ରିହାତି ମିଳିଥାଏ। ପରେ ବିଲ୍‌ ପୈଠ କଲେ ରିହାତି ମିଳି ନଥାଏ।

Advertisment

ରିହାତି ମିଳୁଥିବାରୁ ଗ୍ରାହକମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଲ୍‌  ଜମା କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ, ବିଲ୍‌ ବଣ୍ଟନ ଦାୟିତ୍ବରେ ଥିବା ଘରୋଇ ସଂସ୍ଥାର ଅବହେଳାରୁ ଗ୍ରାହକ ଓ ବିଭିନ୍ନ ସଂସ୍ଥା ଠିକ୍‌ ସମୟରେ ବିଲ୍‌ ପାଉନାହାନ୍ତି। ଏମିତିକି ରିହାତି ତାରିଖର ଦିନକ ପୂର୍ବରୁ ‌ଲୋକଙ୍କ ଘରେ ଓ ବିଭିନ୍ନ ସଂସ୍ଥାରେ ବିଲ୍‌ ପହଞ୍ଚୁଛି। ଫଳରେ ରିହାତି ପାଇବାରୁ ଶତାଧିକ ଗ୍ରାହକ ବଞ୍ଚିତ ହେଉଛନ୍ତି। ନିକଟରେ ଏକ ସଂସ୍ଥାର ୩୨ ହଜାର ୮୬୭ ଟଙ୍କା ବିଲ୍‌ ଆସିଥିଲା। ମାତ୍ର ବିଲ୍‌ ଠିକ୍‌ ସମୟରେ ନ ପହଞ୍ଚିବାରୁ  ୩୩ ହଜାର ୨୮୮ ଟଙ୍କା ଅର୍ଥାତ୍‌  ୪୨୧ ଟଙ୍କା ଅଧିକ ଦେବାକୁ ପଡିଥିଲା। ଯଦି ୩୨ ହଜାର ବିଲ୍‌ରେ ୪୨୧ ଟଙ୍କା ଅଧିକ ନିଆଯାଉଛି। ଏମିତି ଭାବେ ଶହ ଶହ ବିଲ୍‌ରେ ଲକ୍ଷ ଲକ୍ଷ ଟଙ୍କା ଲୁଟା ଯାଉଥିବା ଅଭିଯୋଗ ହେଉଛି। କେବଳ ସଂସ୍ଥା ନୁହେଁ ସାଧାରଣ ଖାଉଟି ମଧ୍ୟ ସମାନ ଶୋଷଣର ଶିକାର ହେଉଛନ୍ତି।

ପ୍ରତ୍ୟେକ ବିଲ୍‌ରେ ୧୦ ଟଙ୍କାରୁ ଆରମ୍ଭ କରି ୧୦୦  ଟଙ୍କା ପର୍ଯ୍ୟନ୍ତ ଅଧିକ ଲୁଟ୍‌ କରାଯାଉଛି। ଏମିତି ଗଣ୍ଡା ଗଣ୍ଡ ଅଭିଯୋଗ ରହିଛି। ସଂସ୍ଥାର ମାଲିକ ଓ ଖାଉଟିମାନେ ବିଳମ୍ବ ବିଲ୍‌ ବଣ୍ଟନକୁ ନେଇ ବିଭାଗୀୟ ଅଧିକାରୀଙ୍କ ଦୃ୍ଷ୍ଟି ଆକର୍ଷଣ କରୁଛନ୍ତି। ବିଭାଗୀୟ ଅଧିକାରୀ, ଆସନ୍ତା ଦିନରେ ଏମିତି ହେବ ନାହିଁ କହି କାମ ସାରି ଦେଉଛନ୍ତି। ପରବର୍ତ୍ତୀ ସମୟରେ ସ୍ଥିତି ଯଥା ପୂର୍ବଂ, ତଥା ପରଂ ଭଳି ରହିଯାଉଛି। ସେହି ସମାନ ସମସ୍ୟା ଉପୁଜିଛି ରିଡିଂରେ। ମାସକରେ ରିଡିଂ ନେବା ପରିବର୍ତ୍ତେ ଅଧିକାଂଶ ସମୟରେ ଦେଢ଼ ମାସରେ ରିଡିଂ ଯାଉଥିବାରୁ ସ୍ଲାବ ରେଟ୍‌ ବଢ଼ିଯାଉଛି। ଉଭୟ ସଂସ୍ଥା ଓ ସାଧାରଣ ଖାଉଟିକୁ ଅଧିକ ବିଲ୍‌ ଦେବାକୁ ପଡୁଛି।

ତେ‌ବେ ଘରୋଇ ସଂସ୍ଥାର ଏଭଳି ଜୁଲୁମ୍‌ ପ୍ରତିବାଦରେ ରାଜନୈତିକ ଦଳ ଓ ସାଧାରଣ ଖାଉଟି ଏକଜୁଟ ହେବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ରାଉରକେଲା ଇଲେକ୍ଟ୍ରି ଡିଭିଜନ୍‌ ଅଧୀନରେ ମୋଟ ୧୩ଟି ସେକ୍ସନ ରହିଛି। ଉଦିତନଗର, ପାୱାର ହାଉସ୍‌ରୋଡ, ମେନ ରୋଡ, ବିଶ୍ରା ରୋଡ, ବାସନ୍ତୀ କଲୋନି (୧), ବାସନ୍ତୀ କଲୋନି(୨), ମଧୁସୂଦନପାଲି, ଶକ୍ତିନଗର, କୋଏଲନଗର, ଝିପାଣିପାଣି, ନୟାବଜାର, ବନ୍ଧମୁଣ୍ଡା, ବିଶ୍ରା ଇଲେକ୍ଟ୍ରିକାଲ ସେକ୍ସନ। ରାଉରକେଲା ଇଲେକ୍ଟ୍ରିକାଲ ଡିଭିଜନ୍‌ ଅଧୀନରେ  ପ୍ରାୟ ୭୧ ହଜାରରୁ ଅଧିକ ବିଦ୍ୟୁତ୍‌ ଉପଭୋକ୍ତା ରହିଛନ୍ତି। ଏଥି ମଧ୍ୟରୁ ୯ ହଜାର ୨୯୭ରୁ ଅଧିକ ବାଣିଜ୍ୟିକ, ୨୪୨ରୁ ଅଧିକ ଶିଳ୍ପସଂସ୍ଥା ଓ ୬୧ ହଜାର ୪୯୮ରୁ ଅଧିକ ଘରୋଇ ଉପଭୋକ୍ତା ରହିଛନ୍ତି। ରାଉରକେଲା ବର୍ଷକୁ ପ୍ରାୟ ୧୭ଶହରୁ ଅଧିକ ନୂଆ ବିଜୁଳି ସଂ‌ଯୋଗ କରାଯାଉଛି।