ଶେରଗଡ଼ : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅଧୀନ ହିଞ୍ଜିଳିକାଟୁ ଏବଂ ଶେରଗଡ଼ ବ୍ଲକ୍‌ର ସମସ୍ତ ଉଚ୍ଚବିଦ୍ୟାଳୟକୁ ରାଜ୍ୟ ସରକାର ସ୍ମାର୍ଟସ୍କୁଲ୍‌ରେ ପରିଣତ କରିଥିଲେ। ଏହାକୁ ମଡ଼େଲ୍ ଭାବେ ଗ୍ରହଣ କରି ରାଜ୍ୟର ସମସ୍ତ ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ବିଭିନ୍ନ ପର୍ଯ୍ୟାୟରେ ଉଦ୍‌ଘାଟନୀ ଉତ୍ସବରେ ସାମିଲ ହୋଇଥିଲେ। ତେବେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏବେ ସ୍ମାର୍ଟସ୍କୁଲ୍ ପରିଚାଳନା ଓ ଅବ୍ୟବସ୍ଥାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠି ଅବ୍ୟବସ୍ଥା ଜଳଜଳ ହୋଇ ଦିଶୁଛି।
Advertisment
ଏଭଳି ପରିସ୍ଥିତିରେ ଶେରଗଡ଼ ବ୍ଲକ୍ ସଦରମହକୁମାର ସର୍ବପୁରାତନ ଏବଂ ବୃହତ୍ ବିଦ୍ୟାଳୟ ମହାତ୍ମାଗାନ୍ଧୀ ଉଚ୍ଚବିଦ୍ୟାଳୟର ୧ ଲକ୍ଷ ୯୩ହଜାର ବିଦ୍ୟୁତ୍ ବିଲ୍ ପୈଠ ହୋଇପାରି ନଥିବାରୁ ଗତ ୫ ତାରିଖରୁ ବିଦ୍ୟୁତ୍ ବିଭାଗ ସଂଯୋଗ ବିଚ୍ଛିନ୍ନ କରିଦେଇଛି। ଫଳରେ ଏହି ସ୍ମାର୍ଟସ୍କୁଲ୍‌ରେ ପାଠ ପଢ଼ୁଥିବା ୬୫୦ରୁ ଅଧିକ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇ-ପାଠାଗାର, ବିଜ୍ଞାନାଗାର, କମ୍ପ୍ୟୁଟର୍ ପ୍ରକୋଷ୍ଠ, ଭୋକେସନାଲ୍ ଗୃହ ଏବଂ ୧୫ଟି ସ୍ମାର୍ଟ ଶ୍ରେଣୀଗୃହ ଅନ୍ଧାରରେ ରହିଛି। ସମସ୍ତ କୋଠରି ବର୍ତ୍ତମାନ ଯେମିତି ଅଲୋଡ଼ା ପାଲଟିଯାଇଛି। ସେହିପରି ବରମୁଣ୍ଡଳୀ ଉନ୍ନୀତ ସ୍ମାର୍ଟ ଉଚ୍ଚବିଦ୍ୟାଳୟ କର୍ତ୍ତୃପକ୍ଷ ୨୬ହଜାର ଟଙ୍କା ବିଦ୍ୟୁତ୍ ବିଲ୍ ଏଯାବତ୍ ପୈଠ କରି ନଥିବାରୁ ଏଠାରେ ବି ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।