ଭୋରରୁ ତାଣ୍ଡବ : ଟ୍ୱିନ୍‌ ସିଟିବାସୀଙ୍କ ନିଦ ଭାଙ୍ଗିଲା ବଜ୍ରପାତ, ଉପୁଡ଼ିଲା ବିଦ୍ୟୁତ୍‌ ଖୁଣ୍ଟି, ଭାଙ୍ଗିଲା ଗଛ, ଚାରି ପାଞ୍ଚ ଦିନ ଏମିତି ସ୍ଥିତି ହୋଇପାରେ

ମାଟିରେ ଲୋଟିଲା ପାନବରଜ, କୁକୁଡ଼ା ଫାର୍ମ

ଭୁବନେଶ୍ବର : ମଧ୍ୟରାତି ପର୍ଯ୍ୟନ୍ତ ସବୁ କିଛି ଠିକ୍‌ଠାକ୍‌ ଥିଲା। ଲୋକେ ଖାଇ ପିଇ ଶୋଇଥିଲେ। ତଥାକଥିତ ପାଣିପାଗ ବିଶେଷଜ୍ଞମାନେ କେହି କିଛି ନିର୍ଦିଷ୍ଟ ଭାବେ ପୂର୍ବାନୁମାନ କରିନଥିଲେ। ହଠାତ୍‌ ରାତି ପ୍ରାୟ ସାଢ଼େ ୨ଟା ବେଳକୁ ଆକାଶରୁ ଖସିଲା ବଜ୍ର। ଘଡ଼ଘଡ଼ି ସହ ପବନ। ତା’ ସାଙ୍ଗକୁ ତୁହାକୁ ତୁହା ବର୍ଷା। ପ୍ରାୟ ତିନି ଘଣ୍ଟା ଧରି ହୋଇଥିବା ଏହି କାଳବୈଶାଖୀ ଭୁବ‌ନେଶ୍ବର ସମେତ ଖୋର୍ଧା, କଟକ ଓ ପୁରୀ ଜିଲ୍ଲାବାସୀଙ୍କ ନିଦ ଭାଙ୍ଗି ଦେଇଥିଲା। ପ୍ରବଳ ବର୍ଷା ‌ହେବାରୁ କାହା ଘରେ ପାଣି ପଶିଥିଲା ତ ଆଉ କାହା ଘର ଉପରେ ଗଛ ଭାଙ୍ଗି ପଡ଼ିଥିଲା। ବାତ୍ୟା ‘ଅମ୍ଫାନ’ ବେଳେ ଏହି ୩ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ଥିଲା। କିନ୍ତୁ ଏହି ପାହାନ୍ତିଆ ତାଣ୍ଡବ ବେଳେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୮୦ କିମି ରହିଥିଲା। ବେଳେ ବେଳେ ୯୦ କିମି ବି ଟପି ଯାଉଥିଲା। ସର୍ବାଧିକ ୯୩ କିମି ବେଗରେ ପବନ ବହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କାଳବୈଶାଖୀରେ ସେଭଳି ବଡ଼ଧରଣର କ୍ଷତି ହୋଇ ନ ଥିଲେ ମଧ୍ୟ ବହୁ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡ଼ିଛି। କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିବା ଯୋଗୁଁ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଖୋର୍ଧା ଜିଲ୍ଲାର ବା‌ଲିପାଟଣା, ବାଲିଅନ୍ତା ଅଞ୍ଚଳରେ ପାନ ଓ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଚାଷୀଙ୍କ ପାନ ବରଜ ଓ ଭାଙ୍ଗିବା ସହ କୁକୁଡ଼ା ଫାର୍ମ ମାଟିରେ ଲୋଟିଛି। ଶତାଧିକ କୁକୁଡ଼ା ମରିଥିବା ବି ସୂଚନା ମିଳିଛି। ୩ଘଣ୍ଟା ଧରି ବର୍ଷା ଲାଗି ରହିବା ଦ୍ବାରା ରାଜଧାନୀର ଅନେକ ଅଞ୍ଚଳରେ ପାଣି ଲହଡ଼ି ମାରିଥିଲା। ସହରର ଅନେକ ସ୍ଥାନରେ ନାଳ କାମ ସରି ନଥିବାରୁ ସକାଳୁ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ସେହିପରି ପ୍ରବଳ ପବନରେ ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ୍ ଖୁଣ୍ଟ, ଟ୍ରାନ୍ସଫର୍ମର, ତାର ଛିଣ୍ଡି ପଡିଥିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ କେତେକ ସ୍ଥାନରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇ ନ ଥିବା ସୂଚନା ମିଳିଛି।

ସେହିପରି କଟକ ସହର ତଳି ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ସହରର ମୁଖ୍ୟ ନାଳରେ କୁଢ଼କୁଢ଼ ଆବର୍ଜନା ଜମା ହୋଇ ରହିଥିବାରୁ ସ୍ଥିତି ଅଣାୟତ୍ତ ହୋଇଥିଲା। କିଛି ସ୍ଥାନରେ ଲୋକଙ୍କ ଘରେ ପାଣି ପଶି ଯାଇଥିଲା। ପୁରୀ ଜିଲ୍ଲାର ନିମାପଡ଼ା, ଗୋପ ଓ ପିପିଲ ବ୍ଲକରେ ବ୍ୟାପକ କ୍ଷତି ହୋଇଛି। ଲୋକଙ୍କ ଘର ବି ଭାଙ୍ଗିଯାଇଛି। ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବାରୁ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଥିଲା। ବାଲେଶ୍ବର, ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର ଜିଲ୍ଲାରେ ଝଡ଼ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ବାଲେଶ୍ବରର କେତେକ ସ୍ଥାନରେ ଲୋକଙ୍କ ଜୀବନ ଯାଇଥିବା ନେଇ ଅଭିଯୋଗ ହୋଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଲାଗି ରହିବ। ପାହାନ୍ତିଆ ତାଣ୍ଡବ ପରେ ଭୁବନେଶ୍ବର ଓ କଟକରେ ଆଜି ଦିନର ତାପମାତ୍ରା ୪ ଡିଗ୍ରି ହ୍ରାସ ପାଇଥିଲା। ଶୁକ୍ରବାର ସକାଳ ୮ଟା ସୁଦ୍ଧା ବାଲେଶ୍ବରର ସୋରରେ ୬୮ମିମି ବର୍ଷା ହୋଇଥିବା ବେଳେ ଜଳେଶ୍ୱରରେ ୪୧, ଢ଼େଙ୍କାନାଳର ହିନ୍ଦୋଳରେ ୬୬, ପୁରୀ ଜିଲ୍ଲା ଗୋପରେ ୬୪, ପିପିଲିରେ ୪୨, ଭଦ୍ରକ ଜିଲ୍ଲା ବାସୁଦେବପୁର‌ରେ ୬୨, କଟକରେ ୬୦, କଣ୍ଟାପଡ଼ାରେ ୫୨, ୪ ଓ ଭୁବନେଶ୍ୱରରେ ୩୬.୫ ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର