ନିର୍ମାଣାଧୀନ ରାସ୍ତା ମଝିରେ ଖୁଣ୍ଟ ପୋତିଲା ବିଦ୍ୟୁତ ବିଭାଗ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୋଦଭଟ୍ଟା ଗ୍ରାମର ଏକ ନିର୍ମାଣାଧୀନ ରାସ୍ତା ମଝିରେ ବିଦ୍ୟୁତ ବିଭାଗ ପକ୍ଷରୁ ଏକ ଖୁଣ୍ଟ ପୋତାଯାଇଛି। ଏଥିଯୋଗୁଁ ଯାତାୟାତ ସମୟରେ ସ୍ଥାନୀୟ ବାସିନ୍ଦା ହଇରାଣ ହେଉଛନ୍ତି। ସୂଚନା ଅନୁଯାୟୀ, ରାଇଘର ସଦର ମହକୁମା ୮ନମ୍ବର ଓ୍ଵାର୍ଡର କୋଦଭଟ୍ଟା ଗ୍ରାମରେ କମଲ ହାଲଦାରଙ୍କ ଘର ଠାରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ପର୍ଯ୍ୟନ୍ତ ମନରେଗା ଯୋଜନାରେ ଉନ୍ନତିକରଣ ଚାଲିଛି। ଏହି ନିମନ୍ତେ ୩ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ତେବେ ଏହି ରାସ୍ତା ବ୍ୟକ୍ତିଗତ ଜମି ଦେଇ ନିର୍ମାଣ କରାଯାଉଥିବା ଅଭିଯୋଗ ହେବା ପରେ କାର୍ଯ୍ୟ ଅଧାରେ ଅଟକି ରହିଛି। ଏହାର କୌଣସି ସମାଧାନ ନହେବା ପୂର୍ବରୁ ବିଦ୍ୟୁତ ବିଭାଗ ଏହି ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ପୋତି ତାର ଟାଣି ସାରିଲାଣି। ଅଧପନ୍ତରିଆ ରାସ୍ତାକୁ ମଝିରେ ମଝିରେ ବିଦ୍ୟୁତ ଖୁଣ୍ଟ ପୋତାଯାଇଥିବାରୁ ଯାତାୟାତ ସମୟରେ ସ୍ଥାନୀୟ ବାସିନ୍ଦା ବହୁ ହଇରାଣ ହେଉଛନ୍ତି। ଏଥିଯୋଗୁଁ ଯାନବାହାନ ଚଳାଚଳରେ ସମସ୍ୟା ଦେଖାଦେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଶୀଘ୍ର ଏହି ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ଗୁଡିକୁ ହଟାଇବା ନିମନ୍ତେ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର