ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ବ୍ଲକ୍ ଭେଡ଼ାବାହାଲ ଠାରେ ଉଚ୍ଚ ଶକ୍ତି ସମ୍ପନ୍ନ ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ (ୟୁଏମପିପି) ପାଇଁ ଜମି ଅଧିଗ୍ରହଣ ସରିଥିଲା। ଜମିର କ୍ଷତିପୂରଣ ବି ପାଇ ସାରିଥିଲେ ବିସ୍ଥାପିତ। କିନ୍ତୁ ପ୍ରକଳ୍ପ ଆରମ୍ଭ ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଥିଲା। ୧୪ ବର୍ଷ ସେମିତି ଝୁଲି ରହିବା ପରେ ଶେଷକୁ ପ୍ରକଳ୍ପକୁ ବାତିଲ କରି ଦିଆଯାଇଛି। ପ୍ରକଳ୍ପର ନିର୍ମାଣ ଦାୟିତ୍ବ ମୁଣ୍ଡେଇଥିବା ଓଡ଼ିଶା ସମନ୍ନିତ ଶକ୍ତି କମ୍ପାନି (ଓଆଇପିଏଲ)ର ନିର୍ଦ୍ଦେଶକ ବୋର୍ଡ ନିକଟରେ ଏହି ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟକୁ ସୂଚୀତ କରି ଦେଇଥିବା ସୂଚନା ମିଳିଛି।
ପ୍ରକଳ୍ପ ବାତିଲ ହେବା ପରେ ସୁନ୍ଦରଗଡ଼ରେ ୪ ହଜାର ମେଗାୱାଟ୍ ତାପଜ ବିଦ୍ୟୁତ ଉତ୍ପାଦନ ନେଇ ଯେଉଁ ଆଶା ସୃଷ୍ଟି ହୋଇଥିଲା, ତାହା ପବନରେ ମିଳେଇ ଯାଇଛି। ଅନ୍ୟପଟେ ପ୍ରକଳ୍ପ ପାଇଁ ୧୪ ବର୍ଷ ଧରି ଆଶା ଓ ଆଶଙ୍କାରେ ରହିଥିବା ବିସ୍ଥାପିତ ଏବେ ନିଜ ଅନିଶ୍ଚିତ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କାରଣ ବିସ୍ଥାପିତ ଗାଁ ହୋଇଥିବାରୁ ଏଠାରେ ଉନ୍ନୟନମୂଳକ କାର୍ଯ୍ୟ ଉପରେ କଟକଣା ଥିବା ବେଳେ ଅଧିଗ୍ରହଣ ହୋଇଥିବା ଜମିର ମାଲିକାନା ଆଉ ବିସ୍ଥାପିତଙ୍କ ପାଖରେ ନାବହିଁ। ଏସ୍ଥିତିରେ ସେମାନେ ଭୂମିହୀନ ହୋଇଯାଇଛନ୍ତି। ୨୦୦୮ରେ ୨୯ଶହ କୋଟି ଅଟକଳରେ ସୁନ୍ଦରଗଡ଼ ସଦର ବ୍ଲକ୍ ଭେଡ଼ାବାହାଲ ଠାରେ ୪ ହଜାର ଉଚ୍ଚ ଶକ୍ତି ସମ୍ପନ୍ନ (ମେଗାୱାଟ) ବିଶିଷ୍ଟ ବୃହତ ତାପଜ ବିଦ୍ୟୁତ ପ୍ରକଳ୍ପ (ୟୁଏମପିପି) ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଲଙ୍କାହୁଡ଼ା ପଞ୍ଚାୟତର ଲଙ୍କାହୁଡ଼ା, କୋପସିଂହା, ରୂପିଡିହି ଗାଁ ସମ୍ପୂର୍ଣ୍ଣ ଏବଂ ଭେଡ଼ାବାହାଲ, କନ୍ଦାବାହାଲ, କିରେଇର ଆଂଶିକ ଜମି ଆବଶ୍ୟକ ହେଲା।
୨୦୧୦ ଜାନୁଆରି ୧୫ରେ ଲଙ୍କାହୁଡ଼ାର ତତ୍କାଳୀନ ସରପଞ୍ଚ ସୁଜାତା ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗ୍ରାମସଭାରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସର୍ତ୍ତମୂଳକ ଭାବେ ଜମି ଦେବାକୁ ସହମତି ପ୍ରକାଶ ପାଇଥିଲା। ଏହା ପରେ ୨୦୧୩ ଅଗଷ୍ଟ ୧୩ରୁ ଜମି ଅଧିଗ୍ରହଣ କଲା ଇଡକୋ। ମୋଟ ୨୭୩୩.୫୪୦ ଏକର ଜମି ଅଧିଗ୍ରହଣ କରାଗଲା। ପ୍ରକଳ୍ପରେ ଲଙ୍କାହୁଡ଼ା, କୋପସିଂହା, ରୁପିଡିହିରୁ ୩ ହଜାର ପରିବାର ବିସ୍ଥାପିତ ତାଲିକାରେ ସାମିଲ ହେଲେ। କେବଳ ଜମିର କ୍ଷତିପୂରଣ ବାବଦକୁ ୬୧୧ କୋଟି କ୍ଷତିପୂରଣ ଦିଆଯାଇଥିଲା। କିନ୍ତୁ ଘରବାଡ଼ି କ୍ଷତିପୂରଣ ଅପେକ୍ଷାରେ ଥିଲେ ବିସ୍ଥାପିତ। ଅନ୍ୟପଟେ ୨୦୧୧ରେ ଏଥିପାଇଁ ଟେଣ୍ଡର ଡକାଯାଇଥିଲେ ମଧ୍ୟ କେହି ଆବେଦନ ନକରିବାରୁ ତାହା ବାତିଲ ହୋଇଯାଇଥିଲା। ଦ୍ବିତୀୟ ଥର ଡକାଯାଇଥିବା ଟେଣ୍ଡରରେ ମଧ୍ୟ କେହି ଭାଗ ନେଇ ନଥିଲେ। ଫଳରେ ପ୍ରକଳ୍ପ ସେମିତି ପଡ଼ି ରହିଲା। ଏହା ମଧ୍ୟରେ ପ୍ରକଳ୍ପର ବ୍ୟୟ ଅଟକଳ ୨୯ ଶହ କୋଟିରୁ ୪୦ ହଜାର କୋଟିକୁ ବଢ଼ି ଯାଇଥିବାରୁ ଓଆଇପିଏଲ ତାକୁ ବାତିଲ କରି ଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।