ଅମ୍ବାଭୋନା ବ୍ଲକରେ ବିପର୍ଯ୍ୟସ୍ତ ବିଦ୍ୟୁତ ସେବା : ଉପଭୋକ୍ତା ଅଧିକ, ବିଜୁଳି କମ୍

ଅମ୍ବାଭୋନା : ଅମ୍ବାଭୋନା ବ୍ଲକରେ ଦିନକୁ ଦିନ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲ୍ଲା ସଦର ମହକୁମାଠାରୁ ୫୦ କିମି ଦୂରେ ଥିବା ଭୁକ୍ତା ବିଦ୍ୟୁତ ସେକ୍ସନ ଗତ ୧୯୮୦ ମସିହାରୁ ଆରମ୍ଭ ହୋଇଛି। କିନ୍ତୁ ବିଦ୍ୟୁତ ସମସ୍ୟାରେ ସୁଧାର ଆସିଲା ନାହିଁ। ଦୁଇବର୍ଷ ହେଲା ଏକ ଘରୋଇ ଠିକା ସଂସ୍ଥା ଦ୍ବାର ନୂଆ ଗ୍ରିଡ୍ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଯାହା ଏବେ ଅଧପନ୍ତରିଆ ଅବସ୍ଥାରେ। ସୁକୁଡ଼ାରୁ ଭୁକ୍ତା ପର୍ଯ୍ୟନ୍ତ ୧୭୩ଏମ୍ଏମ୍ ତାର ଟଣା ଆରମ୍ଭ ହୋଇନାହିଁ। ଫଳରେ ସମ୍ବରଧରା ଜଂଗଲ ଭିତରେ ବାରମ୍ବାର ତାର ଛିଣ୍ଡି ଯାଉଛି। ଭଟଲିସ୍ଥିତ ଗ୍ରିଡ଼ୋଲା ଠାରେ ୨୦ ଏକର ଜମି ଚିହ୍ନଟ କରି ବିରାଟ ଗ୍ରିଡ ନିର୍ମାଣ ପାଇଁ ଯୋଜନା ଥିଲେ ହେ‌ଁ ତାହା କାର୍ଯ୍ୟକାରୀ ହୋଇନାହିଁ। ଅମ୍ବାଭୋନା ବ୍ଲକର ୧୫ଟି ପଞ୍ଚାୟତକୁ ବିଜୁଳି ‌ଯୋଗାଣ ପାଇଁ କଣ୍ଡପଲା ଠାରେ ନୂଆ ଗ୍ରିଡ ନିର୍ମାଣ ହୋଇଛି। ତେବେ ଏହା ଚାର୍ଜ ହୋଇନାହିଁ। ଅମ୍ବାଭୋନା ବ୍ଲକ ଡୁଂଗୁରି, ଭୁକ୍ତା, ରୁଚିଦା ଆଦି ଫିଡର୍ ସକାଶେ ୩୩ହଜାର କେଭି ବିଜୁଳି ଯୋଗାଇବା ଧାର୍ଯ୍ୟ ଥିଲା। କିନ୍ତୁ ମାତ୍ର ୨୨ହଜାର କେଭି ବିଜୁଳି ଯୋଗାଣ ହେଉଥିବାରୁ ଲୋ-ଭୋଲଟେଜ୍ ସମସ୍ୟା ଲାଗି ରହୁଛି। ଅର୍ଥାତ ଉପଭୋକ୍ତା ସଂଖ୍ୟା ଅନୁସା‌େର ବିଜୁଳି ଯୋଗାଣ ହେଉନାହିଁ। ଅମ୍ବାଭୋନା ବ୍ଲକରେ ୮ହଜାରରୁ ଅଧିକ ବିଜୁଳି ଉପଭୋକ୍ତା, ୮ଶହ ଡିପ୍ ବୋରୱେଲ, ୨୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ, ୩ଟି ମେଗା ଜଳଯୋଗାଣ ପ୍ରକଳ୍ପ ରହିଛି। କିନ୍ତୁ ଏତିକି ବ୍ୟବସ୍ଥାକୁ ବିଜୁଳି ନିଅଣ୍ଟ। ବ୍ଲକର ଅଧିକାଂଶ ଗାଁକୁ ବିଜୁଳି ସଂଯୋଗ ନାହିଁ। ସ୍ଥିତି ଏଭଳି ଯେ ଜଂଗଲ ଭିତରେ ଥିବା ଗ୍ରାମବାସୀ ଗାଁ ଛାଡ଼ି ଅନ୍ୟତ୍ର ବସବାସ କରୁଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର