ଖୋର୍ଦ୍ଧା: ଜେଲ ନାଁରେ ବିଜୁଳି ବିଲ୍। କିନ୍ତୁ, ରାଜକୀୟ ଢଙ୍ଗରେ ମାଗଣାରେ ଅୟସ କରୁଛନ୍ତି ଜେଲ୍‌ ବାବୁ। ନିଜ କ୍ବାର୍ଟରସ୍‌କୁ ବିଦ୍ୟୁତ୍‌ ଆଦୌ ନ ଟାଣି, ବର୍ଷ ବର୍ଷ ହେଲା ଚୋରା ବିଜୁଳିରେ ବର୍ଷ ବର୍ଷ ହେଲା ଚଳି ଆସୁଛନ୍ତି। ନିକଟ ଅତୀତରେ ଜେଲ୍‌ର ବିଚାରାଧୀନ କଏଦୀଙ୍କୁ ବାହାର କାମରେ ଖଟାଇ ହରଡ଼ଘଣାରେ ପଡ଼ିଥିବା ଜେଲ୍ କର୍ତୃପକ୍ଷଙ୍କର ଏ ପ୍ରକାର ବିଜୁଳି ଚୋରି ଘଟଣା ଆହୁରି ଚର୍ଚ୍ଚାର ବିଷୟ ହୋଇଛି। ଜେଲ୍ ବିଜୁଳିରେ ଚଳିବା ପାଇଁ ଜେଲ୍‌ର ଏହି ବାବୁମାନଙ୍କୁ କିଏ ଅନୁମତି ଦେଇଛି? ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

Advertisment

ଜେଲ୍ ବିଜୁଳିରେ ଅୟସ କରୁଥିବା ଏହି ଜେଲ୍ ବାବୁ ଦୁଇ ଜଣ ହେଲେ ଜେଲ୍‌ର ସବ୍‌ ଆସିଷ୍ଟାଣ୍ଟ୍ ଜେଲର ଦୁଃଖିଶ୍ୟାମ ବେହେରା ଓ ନିକଟରେ ଚାକିରିରୁ ଅବସରଗ୍ରହଣ କରିଥିବା ଆସିଷ୍ଟାଣ୍ଟ୍ ଜେଲର ବିଜୟ କୁମାର ସାମନ୍ତରାୟ। ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ଜେଲ୍‌ର ମୋଟ୍ କ୍ବାର୍ଟରସ ସଂଖ୍ୟା ହେଲା ୧୬। ସେଥିରୁ ଚାରି ଗୋଟି ଅଫିସର କ୍ବାର୍ଟରସ ହୋଇଥିବା ବେଳେ ୧୨ଟି ୱାର୍ଡର କ୍ବାର୍ଟରସ ଅଛି। ମୋଟ୍ ୪ ଗୋଟି ଅଫିସର କ୍ବାର୍ଟରର୍ସ ଭିତରୁ ଗୋଟିଏରେ ଜେଲ୍‌ର ଭାରପ୍ରାପ୍ତ ସୁପରିଟେଣ୍ଡେଣ୍ଟ୍ ରହୁଥିବା ବେଳେ ଗୋଟିଏରେ ଜେଲ୍‌ର ଫାର୍ମାସିଷ୍ଟ ରହୁଛନ୍ତି। ଅନ୍ୟ ଦୁଇଟି ଅଫିସର କ୍ବାର୍ଟରର୍ସରେ ବର୍ତ୍ତମାନର ସବ୍‌ ଆସିଷ୍ଟାଣ୍ଟ୍ ଜେଲର ଶ୍ରୀ ବେହେରା ଓ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ୍ ଜେଲର ଶ୍ରୀ ସାମନ୍ତରାୟ ରହୁଛନ୍ତି। ରୋଚକ କଥା ହେଲା, ୱାର୍ଡରମାନେ ନିଜ କ୍ବାର୍ଟରର୍ସ ପାଇଁ ନିଜ ନାଁରେ ବିଜୁଳି ଟାଣିଛନ୍ତି। ନିଜ ବିଜୁଳିର ଖର୍ଚ୍ଚ ନିଜେ ବହନ କରୁଛନ୍ତି। ଏମିତିକି ଜେଲ୍ ସୁପରିଟେଣ୍ଡେଣ୍ଟ୍ ଏବଂ ଫାର୍ମାସିଷ୍ଟ ବି ନିଜ ପାଇଁ ନିଜେ ବିଦ୍ୟୁତ୍‌ ଟାଣିଛନ୍ତି। କିନ୍ତୁ, ସବ୍‌ ଆସିଷ୍ଟାଣ୍ଟ୍ ଜେଲର ଏବଂ ପୂର୍ବତନ ଆସିଷ୍ଟାଣ୍ଟ୍‌ ଜେଲର ଜେଲ୍‌ର ବିଜୁଳିରେ ମାଗଣା ଅୟସ କରୁଛନ୍ତି। କଏଦୀଙ୍କ ନାଁରେ ସରକାର ଭରଣା କରୁଥିବା ବିଜୁଳି ବିଲ୍‌ରେ ଏହି ଦୁଇ ବାବୁ ନିଜର ଟିଭି, ଫ୍ରିଜ୍‌ ଚଳାଇ ଆସିଛନ୍ତି। ଏମିତିକି, ବାବୁଙ୍କ କ୍ବାର୍ଟରର୍ସରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବି ଖଞ୍ଜା ହୋଇଛି।

ଦୁଇ ବାବୁଙ୍କ ମଧ୍ୟରେ ଦୁଃଖିଶ୍ୟାମ୍‌ ଗଲା ପ୍ରାୟ ବର୍ଷେ ହେଲା ବଦଳି ହୋଇ ଖୋର୍ଦ୍ଧା ଜେଲ୍‌କୁ ଆସିଲେଣି। ସେବେଠାରୁ ମାଗଣା ବିଜୁଳିରେ ବାବୁ ଅୟସ କରି ଆସୁଛନ୍ତି। ସେହିପରି ଶ୍ରୀ ସାମନ୍ତରାୟ ଗଲା ୨୦୨୦ ମସିହାରେ ଖୋର୍ଦ୍ଧା ଜେଲ୍‌କୁ ବଦଳି ହୋଇ ଆସିଲେ। ସେବେଠାରୁ ମାଗଣା ବିଜୁଳିରେ ଦିନ କାଟିଲେ। ଗଲା ଜାନୁଆରି ୩୧ତାରିଖରେ ଚାକିରିରୁ ଅବସରଗ୍ରହଣ କରିବା ପରେ ବି ଶ୍ରୀ ସାମନ୍ତରାୟଙ୍କୁ ମାଗଣା ବିଜୁଳିର ମୋହ ଛାଡ଼ିନି। ଚାକିରି ଛାଡ଼ିବା ପରେ ବି କ୍ବାର୍ଟରର୍ସକୁ ଶ୍ରୀ ସାମନ୍ତରାୟ ଆବୋରି ବସିଥିବା ବେଳେ ଆଜି ବି ଜେଲ୍ ବିଜୁଳିରେ ନିଜର ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଚଳାଉଛନ୍ତି। ଯାହା ପୂର୍ଣ୍ଣତଃ ବେଆଇନ୍‌ ହୋଇଥିବା ବେଳେ ଜେଲ୍‌ର ଭାରପ୍ରାକ୍ତ ସୁପରିଟେଣ୍ଡେଣ୍ଟ୍‌ କେମିତି ଏ ସବୁ ବେଆଇନ୍‌ କାମକୁ ଅନୁମତି ଦେଇଛନ୍ତି? ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଜେଲ୍‌ର ଭାରପ୍ରାପ୍ତ ସୁପରିଟେଣ୍ଡେଣ୍ଟ୍‌ ଶ୍ରୀ କୃଷ୍ଣଚନ୍ଦ୍ର ରାଉତଙ୍କୁ ପଚାରିବାରୁ ଏହାକୁ ବ୍ୟକ୍ତିଗତ ପ୍ରସଙ୍ଗ କହି ସେ ଏଡ଼ାଇ ଯାଇଛନ୍ତି। କିଏ କେଉଁଠୁ ବିଜୁଳି ଜାଳିଲା, ତାଙ୍କର ବ୍ୟକ୍ତିଗତ ପ୍ରସଙ୍ଗରେ ମୁଁ କିଛି ଜାଣିନାହିଁ ବୋଲି କହିଛନ୍ତି। ସେହିପରି ସବ୍‌ ଆସିଷ୍ଟାଣ୍ଟ୍‌ ଜେଲର ଶ୍ରୀ ବେହେରା କହିଛନ୍ତି, ମୁଁ ଏଠାକୁ ବଦଳି ହୋଇ ଆସିବା ପୂର୍ବରୁ ବିଜୁଳି ଟଣା ହୋଇଥିଲା। କେଉଁଠାରୁ ବିଦ୍ୟୁତ୍‌ ସଂଯୋଗ ଆସିଛି ସେ ବିଷୟରେ ମୁଁ ଜାଣିନାହିଁ। ସେହିପରି ପ୍ରାକ୍ତନ ଆସିଷ୍ଟାଣ୍ଟ୍‌ ଜେଲ୍‌ର ଶ୍ରୀ ସାମନ୍ତରାୟ କହିଛନ୍ତି, ପୁଅ ପାଠ ପଢ଼ୁଛି ବୋଲି କ୍ବାର୍ଟରର୍ସରେ ଅଛି। ମୁଁ ଆଉ ଦୁଇ ତିନି ମାସ ଭିତରେ କ୍ବାର୍ଟରର୍ସ ଛାଡ଼ିଦେବି। ବିଦ୍ୟୁତ୍‌ ସଂଯୋଗ ନେଇ ନ ଥିବା କଥା ସେ ସ୍ବୀକାର କରିଛନ୍ତି। ଦରକାର ପଡ଼ିଲେ ଖୁବ୍‌ଶୀଘ୍ର ବିଜୁଳି ଟାଣି ଦେବି ବୋଲି ସେ ପ୍ରକାଶ କରିଛନ୍ତି।