୧୨ ସୁଦ୍ଧା ଭୁବନେଶ୍ବର ସାରା ବିଜୁଳି

ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଫନିର ତାଣ୍ଡବଲୀଳାରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୫୦ରୁ ଅଧିକ ଲୋକଙ୍କ ଜୀବନହାନି ଘଟିଥିବା ବେସରକାରୀ ଭାବେ କୁହାଯାଉଛି। ଗତକାଲି ସରକାରୀ ଭାବେ ୩୭ଜଣ ମୃତ୍ୟୁବରଣ କରିଥିବା କୁହାଯାଇଥିଲା। ଆଜି ସେହି ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଆଜି ରାଜଧାନୀ ଭୁବନେଶ୍ବରର ମହାନଗର ନିଗମ ଅଞ୍ଚଳରେ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅତି ପ୍ରବଳ ବାତ୍ୟା ଯୋଗୁଁ ବିଦ୍ୟୁତ୍‌, ପାନୀୟଜଳ, ଗମନାଗମନ ଆଦି ଭୀଷଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏ ନେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଫଳରେ ସ୍ଥିତିରେ ଉନ୍ନତି ଘଟିଥିବା ମୁଖ୍ୟ ଶାସନ ସଚିବ ଭିଡିଓ ଯୋଗାଯୋଗ ଯୋଗେ କ୍ୟାବିନେଟ୍‌ ସଚିବଙ୍କୁ ଅବଗତ କରାଇଛନ୍ତିି। ଏହା ସତ୍ତ୍ବେ ଭୁବନେଶ୍ବର ଓ ପୁରୀରେ ଇଣ୍ଟରନେଟ୍‌ ସେବା, ବିଦ୍ୟୁତ୍‌ ସେବା ଓ ବ୍ୟାଙ୍କିଙ୍ଗ ସୁବିଧା ବିଶେଷ କରି ଏଟିଏମ୍‌ ସେବା ଅନେକାଂଶରେ ବ୍ୟାହତ ହୋଇପଡ଼ିଛି। ଏହାକୁ ସ୍ବାଭାବିକ କରିବା ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ କ୍ୟାବିନେଟ୍ ସଚିବଙ୍କୁ ଅନୁରୋଧ କରିଛନ୍ତିି ମୁଖ୍ୟ ସଚିବ।

ଆଜି ସନ୍ଧ୍ୟା ୬ଟାରେ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ କୁମାର ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଲେ, ଫନି ପ୍ରଭାବରେ ବିଏମ୍‌ସି ଅଞ୍ଚଳରେ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଫଳରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ପୁରୀରେ ସର୍ବାଧିକ ୨୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ୫ଜଣ, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ୪ ଲେଖାଏଁ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ‌ମୋଟ ୨୧ ଲକ୍ଷ ୭୬ ହଜାର ୯୮୮ଟି ପଶୁ ପକ୍ଷୀ ଫନିରେ ମରିଛନ୍ତି। ସେଥିମଧ୍ୟରେ ଅଛନ୍ତିି ୨୧ ଲକ୍ଷ ୭୫ ହଜାର ୩୮୩ଟି କୁକୁଡ଼ା ଥିବା ବେଳେ ୭୩୭ଟି ବଡ଼ ପଶୁ ଓ ୮୭୮ଟି ଛୋଟ ପଶୁ।

ଗତକାଲି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭୁବନେଶ୍ବର କି ପୁରୀ କେଉଁଠି କେବେ ବିଦ୍ୟୁତ୍‌ ସ୍ଥିତି ସ୍ବାଭାବିକ ହେବ ସେ ନେଇ କୌଣସି ସମୟସୀମା ଦେଇପାରିବେନି ବୋଲି କହିଥିଲେ। କିନ୍ତୁ ଏ ନେଇ ଆଜି ସଚିବ ଶ୍ରୀ ସିଂହ ବଡ଼ ଘୋଷଣା କରିଛନ୍ତି। ସେ କହିଲେ ଯେ ଆସନ୍ତା ୧୦ ତାରିଖ ସୁଦ୍ଧା ରାଜଧାନୀର ୮୦ ପ୍ରତିଶତ ଅଞ୍ଚଳରେ ବିଜୁଳି ଉପଲବ୍ଧ ହେବ। ୧୨ ତାରିଖ ସୁଦ୍ଧା ଏଠାରେ ସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ ହେବ ବୋଲି ସେ କହିଥିଲେ। ଆସନ୍ତା ୧୨ ତାରିଖରୁ ପୁରୀରେ ବିଦ୍ୟୁତ୍‌ ସେବାର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ ହେବ। କେଉଁ ଆଧାରରେ ସେ କହିଲେ ବୋଲି ପ୍ରଶ୍ନ ହେବାରେ ସେସୁ ଏ କଥା ସ୍ପଷ୍ଟ କରିସାରିଛି ବୋଲି ସେ କହିଥିଲେ। କେଉଁ ବିଦ୍ୟୁତ୍‌ ଜୋନ୍‌ରେ କେବେ ଚାର୍ଜ ହେବ ସେହି ତଥ୍ୟ ବି ସେ ଉପସ୍ଥାପନ କରି ଦମ୍ଭୋକ୍ତି ପ୍ରକାଶ କରିଥିଲେ।

ଭୁବନେଶ୍ବରରେ ବିପର୍ଯ୍ୟସ୍ତ ଟେଲିକମ୍‌ ସେବା ସ୍ଥିତିରେ ସୁଧାର ଆଣିବାକୁ ବିଏସ୍‌ଏନ୍‌ଏଲ୍‌, ଭୋଡ଼ା ଫୋନ୍‌, ଜିଓ ଓ ଏୟାରଟେଲ୍‌ କମ୍ପାନି ପଦକ୍ଷେପ ନେଉଥିବା ଶ୍ରୀ ସିଂହ ଦର୍ଶାଇଥିଲେ। ଏହି କମ୍ପାନିମାନଙ୍କର ୫ଟି ମାଷ୍ଟର ସୁଇଚିଂ ସେଣ୍ଟର ମଧ୍ୟରୁ ୪ଟି କାର୍ଯ୍ୟକ୍ଷମ ହୋଇଛି। ଏୟାରଟେଲ୍‌ କମ୍ପାନିର ବୈଷୟିକ ଅସୁବିଧା ରହିଛି। ବ୍ୟାଙ୍କ ସୁବିଧା ନିମନ୍ତେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଆଦିଙ୍କର ଏଟିଏମ୍‌ ସେବା କାର୍ଯ୍ୟ କରିବାକୁ ଆରମ୍ଭ କଲାଣି। ଭାରତୀୟ ରିଜର୍ଭ ବ୍ୟାଙ୍କ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଯଥେଷ୍ଟ ପରିମାଣରେ ନଗଦ ଟଙ୍କା ପଠାଇଥିବା ସୂଚନା ମିଳିଛି। ପୁରୀରେ ବ୍ୟାଙ୍କ ସୁବିଧା ବାଧାପ୍ରାପ୍ତ ହୋଇଥିବାରୁ ସେଠାରେ ମୋବାଇଲ୍‌ ଏଟିଏମ୍‌ ପଠାଯାଉଥିବା ସେ କହିଥିଲେ। ଆସନ୍ତାକାଲି ସୁଦ୍ଧା ଭୁବନେଶ୍ବର ସମେତ ପ୍ରଭାବିତ ସହରାଞ୍ଚଳରେ ପାନୀୟଜଳ ଯୋଗାଣ ସ୍ବାଭାବିକ ହେବ। ତେବେ ଗ୍ରାମାଞ୍ଚଳର ସ୍ଥିତି ସଂପର୍କରେ ସେ କିଛି କହିନଥିଲେ।

ବାତ୍ୟା ଯୋଗୁଁ ୧ କୋଟି ୫୦ ଲକ୍ଷ ୯୩ ହଜାର ୫୧୩ଜଣ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତିି। ପ୍ରାୟ ୫ ଲକ୍ଷ ୫ ହଜାର ୪୬୭ଟି ଘର ଭାଙ୍ଗିଛି। ବାତ୍ୟା ପୀଡ଼ିତ ତଥା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀମାନଙ୍କୁ ସରକାରୀ ଘୋଷଣା ଅନୁଯାୟୀ ଗତକାଲିଠାରୁ ୩ ଦିନ ପାଇଁ ରିଲିଫ ବଣ୍ଟନ ଆରମ୍ଭ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ରାଜ୍ୟ ମୁଖ୍ୟ ଅଗ୍ନି ନିର୍ବାପକ ଅଧିକାରୀ ସୁକାନ୍ତ ସେଠୀ କହିଥିଲେ ଯେ ଭୁବନେଶ୍ବରରେ ୪୫୦ଜଣ ଅଗ୍ନିସେବା କର୍ମଚାରୀ ଗଛକଟା ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ‌େହାଇଛନ୍ତିି। ତେବେ ଟେଲିକମ୍‌ ସେବା ବ୍ୟାହତ ହୋଇଥିବାରୁ ୧୦୧ ଅଗ୍ନିସେବା ଫୋନ୍‌ ଅଚଳ ଥିବା ଦର୍ଶାଇ ସେ କହିଲେ ଯେ ଯଦି କେହି ବ୍ୟକ୍ତି ଗଛ ପଡ଼ିଥିବା ଯୋଗୁଁ ଅସୁବିଧାରେ ପଡ଼ିଥିବେ, ଅଗ୍ନିସେବା ବିଭାଗକୁ ଯୋଗାଯୋଗ କଲେ ତୁରନ୍ତ ସେହି ସମସ୍ୟାର ସମାଧାନ କରିହେବ।

ଏ ପଟେ ସଚିବାଳୟରେ ରେଲ୍‌ନେଟ୍‌ ଓ ପିଜିସିଆଇଏଲ୍‌ କମ୍ପାନି ଇଣ୍ଟରନେଟ୍‌ ସେବା ତୁରନ୍ତ ଆରମ୍ଭ କରିବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କ୍ୟାବିନେଟ୍‌ ସଚିବ ପ୍ରଦୀପ ସିହ୍ନାଙ୍କ ସହଯୋଗ କାମନା କରିଥିଲେ। ପୁରୀରେ ଥିବା ସମୁଦାୟ ୨୭୩ଟି ଏଟିଏମ୍‌ ମଧ୍ୟରୁ ମାତ୍ର ୨୦ଟି କାର୍ଯ୍ୟକ୍ଷମ ରହିଛି। ସେଗୁଡ଼ିକ ଯଥାଶୀଘ୍ର କିପରି କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ସଂପୃକ୍ତ ବ୍ୟାଙ୍କମାନଙ୍କୁ ନିର୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ। ବିଦ୍ୟୁତ୍‌ ସେବା ପୁନରୁଦ୍ଧାର ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଇତି ମଧ୍ୟରେ ଆନ୍ଧ୍ର ପ୍ରଦେଶରୁ ୨୦୦, ପଶ୍ଚିମବଙ୍ଗରୁ ୫୦, ତେଲେଙ୍ଗାନାରୁ ୫୦ ବିଦ୍ୟୁତ୍‌ ଗ୍ୟାଙ୍ଗ ଆସି ପହଞ୍ଚିଛନ୍ତିି। ପ୍ରତି ଗ୍ୟାଙ୍ଗରେ ୧୦ଜଣ କୁଶଳୀ ଶ୍ରମିକ ରହିଛନ୍ତିି। କର୍ଣ୍ଣାଟକରୁ ଅଧିକ ୧୦୦ଟି ଗ୍ୟାଙ୍ଗ ପଠାଇବା ପାଇଁ କ୍ୟାବିନେଟ୍‌ ସଚିବଙ୍କୁ ଶ୍ରୀ ପାଢ଼ୀ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ‌ବାତ୍ୟା ପରବର୍ତୀ ପଦକ୍ଷେପ ସଂପର୍କରେ ଗଣମାଧ୍ୟମକୁ ଗତ ୪ ଦିନ ଧରି ଯେଉଁଭଳି ସୂଚନା ଦେଉଥିଲେ, ଆଜି ସେଥିରେ ପରିବର୍ତନ କରିଛନ୍ତି। ପୂର୍ବରୁ ସ୍ବତନ୍ତ୍ର ରିଲିଫ କମିସନର କିମ୍ବା ତାଙ୍କ ତରଫରୁ ୨ଜଣ ବରିଷ୍ଠ ଅଧିକାରୀ ରାଜୀବ ଭବନରୁ ଗଣମାଧ୍ୟମକୁ ସୂଚନା ଦେଉଥିଲେ। ଆଜି ପୂର୍ବାହ୍ନ ଓ ସନ୍ଧ୍ୟାରେ ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ କୁମାର ସିଂହ ଓ ତାଙ୍କ ସହିତ ବିଏମ୍‌ସି କମିସନର ସମର୍ଥ ବର୍ମା, ସୂଚନା ଓ ଲୋକସଂପର୍କ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ତଥ୍ୟମାନ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର