ଭୁବନେଶ୍ବର : ରବିବାର ଅର୍ଥାତ୍ ୧୨ ତାରିଖ ସୁଦ୍ଧା ଭୁବନେଶ୍ବରରେ ବିଦ୍ୟୁତ୍ ଯୋଗାଣ ସଂପୂର୍ଣ୍ଣ ହେବ ବୋଲି କହିଥିଲେ। କିନ୍ତୁ ଆଜିସୁଦ୍ଧା ସ୍ଥିତି ପୂରା ସ୍ବାଭାବିକ ହୋଇପାରିଲାନି। ଫନି ଯିବାର ୧୧ ଦିନ ପରେ ବି ରାଜଧାନୀର ଆହୁରି କିଛି ଅଞ୍ଚଳ ଅନ୍ଧାରରେ ରହିଛି। ବିଜୁଳି ନଥିବାରୁ ଅସହ୍ୟ ଗରମ ଗୁଳୁଗୁଳି ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଦେଇଛି। ସିଧାସଳଖ ଭାବେ ନହେଲେ ବି ପରୋକ୍ଷରେ ବାସ୍ତବ ସ୍ଥିତିକୁ ସ୍ବୀକାର କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ମୁଖପାତ୍ର କହିଛନ୍ତି ଶତ ପ୍ରତିଶତ ବିଦ୍ୟୁତ୍ ଯୋଗାଣରେ ସ୍ଥିରତା ଓ ସୁଧାର ଆସିପାରି ନାହିଁ। ଦିନେ ଦୁଇଦିନ ଭିତରେ ବିଦ୍ୟୁତ୍ ଯୋଗାଣରେ ସ୍ଥିରତା ଆସିପାରିବ ବୋଲି ସେ ପୁଣି ଭରସା ଦେଇଛନ୍ତିି।
ଆଜି ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ କୁମାର ସିଂହ କହିଲେ ଯେ ଭୁବନେଶ୍ବର କଳିଙ୍ଗ ନଗର କଲୋନୀର କିଛି ଅଂଶ, ଏସ୍ବିଆଇ କଲୋନୀ, ବାରଙ୍ଗ, ଗୋଠପାଟଣା, ଚନ୍ଦକା ଶିଳ୍ପାଞ୍ଚଳ, ଉତ୍ତରା ଆଦି ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣରେ ସ୍ଥିରତା ଆସିପାରି ନାହିଁ। କିଛି ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବେଳେ ତ୍ରୁଟି ଉପୁଜୁଛି। ତେବେ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବିଦ୍ୟୁତ୍ ଭିତ୍ତିଭୂମି ଓ ବ୍ୟବସ୍ଥାର ପୁନରୁଦ୍ଧାର ପର୍ଯ୍ୟାୟ ଅତିକ୍ରମ କରି ବର୍ତମାନ ଯୋଗାଣରେ ସ୍ଥିରତା ଓ ସୁଧାର ଆଣିବା ପାଇଁ ଉଦ୍ୟମ ଜାରି ରହିଛି।
ବିଦ୍ୟୁତ୍ ଯୋଗାଣ ଜନିତ ତଥ୍ୟ ଉପସ୍ଥାପନ କରି ସେ କହିଲେ, ଭୁବନେଶ୍ବରର ସହରାଞ୍ଚଳର ବିସିଡିଡି-୧ ଅନ୍ତର୍ଗତ ୪୪ଟି ଫିଡରରୁ ସମସ୍ତ ଫିଡର କାର୍ଯ୍ୟକ୍ଷମ ହୋଇ ପାରିଛି। ଏହି ଡିଭିଜନ ଅନ୍ତର୍ଗତ ୫୮ ହଜାର ୭୭୨ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୫୫୭୩୨ଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି। ବିସିଡିଡି-୨ ଅନ୍ତର୍ଗତ ୬୬ ଫିଡର ଅନ୍ତର୍ଭୁକ୍ତ ୯୭ ହଜାର ଉପଭୋକ୍ତା ଓ ବିଇଡି ଅଧୀନ ୮୭ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୭୩ ହଜାର ୮୫୫ଜଣଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି।
କଟକ ସହରର ସିଡିଡି-୧ ଅନ୍ତର୍ଭୁକ୍ତ ୭୨ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୭୧୮୭୬ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବେଳେ ସିଡିଡି-୨ରେ ୭୦ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୪୪୮୨୦ଜଣ ଉପଭୋକ୍ତା ପାଇଛନ୍ତି ବିଦ୍ୟୁତ୍ ସେବା। କଟକ ସିଇଡି ଡିଭିଜନ ଅନ୍ତର୍ଭୁକ୍ତ ସହରାଞ୍ଚଳର ୪୫୭୬୦ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି। ୧୫ ତାରିଖ ସୁଦ୍ଧା ଜଗତ୍ପୁର ଶିଳ୍ପାଞ୍ଚଳଳ ନିଆଳୀ ସବ୍ଷ୍ଟେସନର ଅଧୀନ ଅଞ୍ଚଳରେ ବିଦ୍ୟୁତ୍ ସେବା ଉପଲବ୍ଧ ହେବ ବୋଲି ଶ୍ରୀ ସିଂହ କହିଥିଲେ।
ପୁରୀ ଜିଲ୍ଲାର ବିଦ୍ୟୁତ୍ ବ୍ୟବସ୍ଥା ଅନ୍ୟ ଜିଲ୍ଲାମାନଙ୍କ ତୁଳନାରେ ସ୍ବତନ୍ତ୍ର ଦର୍ଶାଇ ସେ କହିଲେ ଯେ ପ୍ରଳୟଙ୍କରୀ ବାତ୍ୟା ଯୋଗୁଁ ୨୨୦ କେଭିର ଗୋଟିଏ ଓ ୧୩୨ କେଭିର ୨ଟି ଟ୍ରାନ୍ସମିସନ ଲାଇନ୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୧୫ ତାରିଖ ସୁଦ୍ଧା ଗୋଟିଏ ଟ୍ରାନ୍ସମିସନ ଲାଇନ ଚାଲୁ କରିବାକୁ ଓପିଟିସିଏଲ୍କୁ ନିର୍ଦେଶ ଦିଆଯାଇଛି। ଏହା କାର୍ଯ୍ୟକାରୀ ହେବା ଦ୍ବାରା ୧୫ ତାରିଖରୁ ହିଁ ପୁରୀରେ ବିଦ୍ୟୁତ୍ ସଂଯୋଗ ସ୍ଥାପନ ଜୋରଦାର କରାଯିବ।
ବାତ୍ୟା ଫନି ଯୋଗୁଁ ଶିକ୍ଷାନୁଷ୍ଠାନ ସବୁଠାରୁ ଅଧିକ କ୍ଷୟକ୍ଷତି ସହିଛି। ୧୪ଟି ଜିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୬୪୯୮ଟି ସ୍କୁଲଘର ଭାଙ୍ଗିଛି। ଏଥିମଧ୍ୟରେ ପୁରୀରେ ରହିଛି ସର୍ବାଧିକ ୨୧୩୪ଟି ସ୍କୁଲ। ଏ ବାବଦରେ ୪୧୭.୮୩ କୋଟି ଟଙ୍କାର କ୍ଷତି ହୋଇଥିବା ଆକଳନ କରିଛି ସଂପୃକ୍ତ ବିଭାଗ। ସେହିପରି ସଂସ୍କୃତି ବିଭାଗ ଅଧୀନରେ ବିଭିନ୍ନ କ୍ଷତିଗ୍ରସ୍ତ ଭିତ୍ତିଭୂମି ବାବଦରେ ୭୨.୭୪ କୋଟିର କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଛି। ଏଥିମଧ୍ୟରୁ ସଂସ୍କୃତି ଭବନ ବାବଦରେ ୧୫ କୋଟି, ରାଜ୍ୟ ପାଠାଗାର ବାବଦରେ ୩ କୋଟି ଟଙ୍କାର ଆଦି କ୍ଷୟକ୍ଷତି ହୋଇଛି।
ଆଜିର ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ ଯୋଗ ଦେଇଥିଲେ। ୧୫ ତାରିଖରୁ ଦ୍ବାରକୁ ଦ୍ବାର ବୁଲି ବ୍ଲକ୍ କର୍ମଚାରୀମାନେ ଘରଭଙ୍ଗା ସର୍ଭେ ଆରମ୍ଭ କରିବେ। ଏକ ସପ୍ତାହରେ ସେହି କାର୍ଯ୍ୟ ସରିବ। ଜୁନ୍ ୧୦ ତାରିଖରୁ ମୌସୁମୀ ବର୍ଷା ହେବାର ଆଭାସ ମିଳିଲାଣି। ଏହି ଦୃଷ୍ଟିରୁ ଜୁନ୍ ୧ ତାରିଖ ସୁଦ୍ଧା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ ଆରମ୍ଭ ହେବ। ତାଙ୍କ ବିଭାଗ ତରଫରୁ ସଂପୂର୍ଣ୍ଣ ଭାବେ ହେଉ ବା ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଘର ପାଇଁ ୧.୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଗୃହ ବଣ୍ଟନ କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଗୃହଗୁଡ଼ିକର ଜିଓଟ୍ୟାଗ୍ କରାଯିବା ସହିତ ଫଟୋ ପୋର୍ଟାଲ୍ରେ ଅପ୍ଲୋଡ୍ କରାଯିବ। ତେବେ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଘରଭଙ୍ଗା ଆକଳନ ତୁଳନାରେ ଭିନ୍ନ ବୋଲି ସେ କହିଥିଲେ।
ବାତ୍ୟା ଫନି ଯୋଗୁଁ ପ୍ରାୟ ୫ ଲକ୍ଷ ପକ୍କାଘର ଭାଙ୍ଗିଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଗୃହ ନିର୍ମାଣ ସହାୟତା ମଞ୍ଜୁର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତିି। ଏ ନେଇ ପ୍ରଧାନମନ୍ତ୍ରୀ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିବେ ବୋଲି ପଞ୍ଚାୟତିରାଜ ସଚିବ ଆଶାପ୍ରକାଶ କରିଥିଲେ। ବାତ୍ୟା ପ୍ରଭାବିତ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ସେ ଦର୍ଶାଇଥିଲେ। ଯାଜପୁର ଓ ଭଦ୍ରକ ଜିଲ୍ଲାରେ ୧୦୦ ପ୍ରତିଶତ, ଆଠଗଡ଼ ଡିଭିଜନ୍ରେ ୧୦୦ ପ୍ରତିଶତ, କଟକରେ ୯୩ ପ୍ରତିଶତ, ଖୋର୍ଧାରେ ୯୨ ପ୍ରତିଶତ, ପୁରୀରେ ୮୫ ପ୍ରତିଶତ ପାନୀୟଜଳ ଯୋଗାଣ ହୋଇପାରିଛି। ତେବେ ବିଦ୍ୟୁତ୍ ଅଭାବ ରହିଥିବାରୁ ଜେନ୍ସେଟ୍ ମାଧ୍ୟମରେ ପାନୀୟଜଳ ଆବଶ୍ୟକତା (ପ୍ରତ୍ୟେକଙ୍କ ପାଇଁ ଦୈନିକ ୭୦ ଲିଟର) ପୂରଣ କରାଯାଉଥିବା ସେ ପ୍ରକାଶ କରିଥିଲେ।
ମୋବାଇଲ୍ ଯୋଗାଯୋଗ ସ୍ଥିତିରେ ଉନ୍ନତି ଘଟୁଥିବା ସୂଚନା ସଚିବ କହିଥିଲେ। ସେ ଦେଇଥିବା ତଥ୍ୟ ଅନୁଯାୟୀ ପୁରୀରେ ୧୮ ପ୍ରତିଶତ ଯୋଗାଯୋଗ ସମ୍ଭବ ହୋଇଥିବା ବେଳେ ଭୁବନେଶ୍ବରରେ ୫୬ ପ୍ରତିଶତ, ଖୋର୍ଧାରେ ୫୭ ପ୍ରତିଶତ, କଟକରେ ୭୩ ପ୍ରତିଶତ ମୋବାଇଲ୍ ଯୋଗାଯୋଗ ସ୍ଥାପନ ହୋଇପାରିଛି। ସେହିପରି ବ୍ୟାଙ୍କ ଶାଖା ଓ ଏଟିଏମ୍ରେ ଅଚଳାବସ୍ଥା ସଂପର୍କରେ ସେ କହିଲେ, ପୁରୀରେ ଥିବା ମୋଟ ୨୨୨ଟି ବ୍ୟାଙ୍କ ଶାଖା ମଧ୍ୟରୁ ୧୬୭ଟି କାର୍ଯ୍ୟକ୍ଷମ ହୋଇଛି। ସେହିପରି ୨୪୫ଟି ଏଟିଏମ୍ ମଧ୍ୟରୁ କାର୍ଯ୍ୟ କରୁଛି ମାତ୍ର ୪୮ଟି।
ଚାଉଳ ଓ ନଗଦ ଟଙ୍କାର ରିଲିଫ ବଣ୍ଟନ ଯୋଗୁଁ ବର୍ତମାନ ସୁଦ୍ଧା ୧୭ ଲକ୍ଷ ୯୨ ହଜାର ୧୨୫ଜଣ ହିତାଧିକାରୀ ଉପକୃତ ହୋଇଛନ୍ତିି। ପଲିଥିନ୍ ବା ତା’ ବଦଳରେ ୫୦୦ ଟଙ୍କା ନେଇଛନ୍ତି ପ୍ରାୟ ୭.୫୩ ଲକ୍ଷ ହିତାଧିକାରୀ। ବାତ୍ୟା ଯୋଗୁଁ ମୃତକ ସଂଖ୍ୟା ୬୪ ରହିଛି। ତେବେ କୌଣସି ବନ୍ୟପ୍ରାଣୀ ମରିଥିବାର ପ୍ରମାଣ ନାହିଁ। ସେହିପରି ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଗୁଡ଼ିକ କୁଆଡ଼େ ଗଲେ ବୋଲି ପଚାରିବାରୁ ଶ୍ରୀ ସିଂହ ତା’ର ନିର୍ଦିଷ୍ଟ ଉତ୍ତର ଦେଇପାରିନଥିଲେ। ସାମ୍ବାଦିକ ସମ୍ମିଳନୀରେ ସଚିବଙ୍କୁ ସହଯୋଗ କରିଥିଲେ ସୂଚନା ଓ ଲୋକସଂପର୍କ ନିର୍ଦେଶକ ଲକ୍ଷ୍ମୀଧର ଦାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/DSCN3700.jpg)