ଭୁବନେଶ୍ବର : ବିଦ୍ୟୁତ ଆଘାତରୁ ହାତୀଙ୍କୁ ସୁରକ୍ଷା ଦେବାକୁ ଯୋଜନା ହେଉଛି। ବୈଠକ ପରେ ବୈଠକ କରି ରାଜ୍ୟ ସରକାରଙ୍କ ଅଧିକାରୀମାନେ ଆକ୍ସନ ପ୍ଲାନ କରୁଛନ୍ତି। ବିଦ୍ୟୁତ୍ ତାର ଉଚ୍ଚତା ବଢ଼ାଇବା, ଝୁଲନ୍ତା ତାରକୁ ଟେକିବା, ଦୁର୍ବଳ ବିଦ୍ୟୁତ୍ ଖୁମ୍ବକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଉଛନ୍ତି। କଣ୍ଟ ବି ଧାର୍ଯ୍ୟ କରୁଛନ୍ତି। ତା’ପରେ ବି ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ରୋକିବାରେ ସଫଳ ହୋଇପାରୁ ନାହାନ୍ତି। ୨୦୦୦ରୁ ୨୦୧୮ ଅଗଷ୍ଟ ସୁଦ୍ଧା ବିଦ୍ୟୁତ ଆଘାତରେ ୧୬୭ଟି ହାତୀ ପ୍ରାଣ ହରାଇଥିଲେ। ମାତ୍ର ଏହାର ପରବର୍ତୀ ୪ ବର୍ଷରେ ୫୩ଟି ହାତୀଙ୍କ ମୃତ୍ୟୁ ଘଟିବାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିବା ସହ ରାଜ୍ୟ ସରକାରଙ୍କ ଅପରାଗତା ପାଇଁ ଓଡ଼ିଶାରେ ହାତୀ ବଂଶ ବୁଡ଼ିବାକୁ ଯାଉଥିବା ଅଭିଯୋଗ କରିଛନ୍ତି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ହାତୀ ଚଳପ୍ରଚଳ ଅଞ୍ଚଳରେ ୧୩ ହଜାର ୬୦୬ଟି ବିଦ୍ୟୁତ୍ ଭିତ୍ତିଭୂମି ଦୁର୍ବଳ ରହିଥିବା ଚିହ୍ନଟ ହୋଇଛି। ସେଗୁଡ଼ିକୁ ସୁଦୃଢ଼ କରିବାକୁ ଗତବର୍ଷଠାରୁ ଯୋଜନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୩୫୦୦ଟି ସ୍ଥାନରେ କାମ ସରିଛି। ଝୁଲିରହିଥିବା ତାରକୁ ଉଠାଇବା, ଖମ୍ବଗୁଡ଼ିକରେ ଧାତୁ ନିର୍ମିତ କଣ୍ଟା ଖଞ୍ଜିବା, ସର୍କିଟ୍ ବ୍ରେକର ବ୍ୟବସ୍ଥା ଦ୍ବାରା ଦୁର୍ବଳ ଖମ୍ବଗୁଡ଼ିକର ସୁଦୃଢ଼ୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆହୁରି ୧୦ ହଜାରରୁ ଅଧିକ ସ୍ଥାନରେ ଦୁର୍ବଳ ଭିତ୍ତିଭୂମି ରହିଥିବାରୁ ହାତୀଙ୍କ ପ୍ରତି ବିପଦ ଟଳିପାରିନି।
ଆବରଣଯୁକ୍ତ ହୋଇନି ୧୩୦୦ କିମି
ସେପ୍ଟେମ୍ବର ସୁଦ୍ଧା କାମ ସରିବା ନେଇ ଆଶଙ୍କା
/sambad/media/post_attachments/wp-content/uploads/2022/07/ee-ee.jpg)
କେବଳ ସେତିକି ନୁହେଁ, ହାତୀ ଚଳପ୍ରଚଳ କରୁଥିବା ୩୭୧୪.୯୫୭ କିମି ଅଞ୍ଚଳରେ ଖୋଲା ତାର ଟଣାଯାଇଛି। ଉକ୍ତ ବିଦ୍ୟୁତ୍ ଲାଇନ୍କୁ ଚିହ୍ନଟ କରାଯାଇ ସେଥିରେ ଆବରଣଯୁକ୍ତ ତାର (ଇନ୍ସୁଲେଟେଡ କେବୁଲ୍) ଲଗାଯାଉଥିବା କାର୍ଯ୍ୟ ବି ସରି ନାହିଁ। ଏବେ ସୁଦ୍ଧା ୨୫୦୦ କିମି ଲାଇନ୍ରେ ଏହି କେବୁଲ୍ ଲାଗିସାରିଛି। ଆହୁରି ପ୍ରାୟ ୧୩୦୦ କିମି ବିଦ୍ୟୁତ୍ ତାର ଆବରଣଯୁକ୍ତ ହୋଇନାହିଁ। ସେପଟେ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସେପ୍ଟେମ୍ବର ସୁଦ୍ଧା ଏହି ସମସ୍ତ କାର୍ଯ୍ୟ ଶେଷ କରିବାକୁ କୁହାଯାଇଥିଲା। ଇତିମଧ୍ୟରେ ଜୁଲାଇ ଶେଷ ହେବାକୁ ବସିଛି। ହାତରେ ଆଉ ମାତ୍ର ଦୁଇ ମାସ ସମୟ ରହିଥିବାରୁ କିଭଳି ଭାବେ କର୍ଯ୍ୟ ଶେଷ ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଜଙ୍ଗଲ ବିଭାଗର ଜଣେ ଅଧିକାରୀ କହିଛନ୍ତି ପ୍ରତି ବନଖଣ୍ଡରେ ହାତୀ ଚଳାଚଳ କରୁଥିବା ଏବଂ ବିଦ୍ୟୁତ୍ ଆଘାତ ସମ୍ବଦ୍ଧୀୟ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇଛି। ବିଦ୍ୟୁତ୍ ଆଘାତ ଜନିତ ହାତୀ ମୃତ୍ୟୁ ରୋକିବା ଲାଗି ବିଭିନ୍ନ ସ୍ଥାନରେ ଶକ୍ତି ବିଭାଗ କର୍ମଚାରୀଙ୍କ ସହ ନିୟମିତ ବୈଠକ ହେଉଛି। ଉଭୟ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଦ୍ବାରା ଜିପିଏସ୍ ଖଞ୍ଜା ଯାଇଥିବା ଯାନରେ ହାତୀ ଚଳାଚଳ ଅଞ୍ଚଳରେ ଥିବା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ସରବରାହ ଲାଇନ୍ କଡ଼େ କଡ଼େ ପଇଁତରା ଦିଆଯାଉଛି। ବିଦ୍ୟୁତ୍ କାଟ ସମ୍ବଦ୍ଧୀୟ ତଥ୍ୟକୁ ଉଭୟ ବିଭାଗ ଅଧିକାରୀଙ୍କ ଦ୍ବାରା ବିଶ୍ଳେଷଣ କରାଯାଇ ବେନିୟମ ଭାବେ ହୁକିଂ ହେଉଥିବା ସ୍ଥାନକୁ ଚିହ୍ନଟ କରାଯାଉଛି। ହାତୀ ଉପଦ୍ରବ ଗ୍ରାମଗୁଡ଼ିକରେ ତିନି ବର୍ଷରେ ୧୨୮୪ଟି ସୌରଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନା ହୋଇଛି। ୪ଟି ବନଖଣ୍ଡରେ ୧୨ଟି ସ୍ଥାନରେ ଆଲୋକ ବ୍ୟବହାର କରି ହାତୀ ଚଳାଚଳ ସମ୍ପର୍କରେ ସତର୍କ ସୂଚନା ପ୍ରଦାନ କରାଯାଉଛି।
/sambad/media/post_attachments/wp-content/uploads/2022/07/ee-33dd.jpg)
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ବିଧାନସଭାରେ କହିଛନ୍ତି ଯେ ହାତୀଙ୍କ ସୁରକ୍ଷା ପାଇଁ ଆମେ ସର୍ବଦା ଯତ୍ନଶୀଳ। ୧୪ଟି ହାତୀ ଚଲାପଥ ବା ଏଲିଫ୍ୟାଣ୍ଟ କରିଡର ହୋଇଛି। ମୟୂରଭଞ୍ଜ, ମହାନଦୀ ଓ ସମ୍ବଲପୁର ହାତୀ ସଂରକ୍ଷଣ ପ୍ରକଳ୍ପ ଗଠିତ ହୋଇଛି। ହାତୀମାନଙ୍କ ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଗତ ୩ ବର୍ଷରେ ସିଡ୍ ବଲ୍ ଦ୍ବାରା ୩.୭ ଲକ୍ଷ ବାଉଁଶ ମଞ୍ଜି ରୋପଣ କରାଯାଇଛି। ୮୫ ହେକ୍ଟର ଅଞ୍ଚଳରେ ଖାଦ୍ୟ ଉପଯୋଗୀ ଓ ଫଳ ବୃକ୍ଷରୋପଣ ହୋଇଛି। ୩୪୩ ସୁରକ୍ଷା ଦଳ, କ୍ଷେତ୍ର କର୍ମଚାରୀ ଓ ସ୍କ୍ବାଡ୍ ପଇଁତରା ଲାଗି ଗାଡ଼ି, ବୋଟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିବା ସେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ।