ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଥାପନ କରାଯିବ ନିରାପତ୍ତା ସୂଚନା, ବିଦ୍ୟୁତ ଦୁର୍ଘଟଣା ଅନୁସାରେ କିଏ ଦାୟୀ ତାହା ଉଲ୍ଲେଖ ହେବ

ବିଦ୍ୟୁତ ବ୍ୟବସ୍ଥା ତ୍ରୁଟିକୁ ତୁରନ୍ତ ସୁଧାର
ଶକ୍ତିମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ଏଣିକି ପ୍ରତ୍ୟେକ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିରାପତ୍ତା ସୂଚନା ସ୍ଥାପନ କରାଯିବ। ବିଦ୍ୟୁତ ଦୁର୍ଘଟଣାର ମାତ୍ରା ଅନୁଯାୟୀ ଏଥିପାଇଁ କିଏ ଦାୟୀ ତାହା ସଂପର୍କରେ ଏଥିରେ ଉଲ୍ଲେଖ କରାଯିବ। ଏହାକୁ ଯେପରି କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ ଏଥିପାଇଁ ତାଗିଦ୍ କରିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ବିଦ୍ୟୁତ ଦୁର୍ଘଟଣା ଏଡ଼ାଇବା, ଶକ୍ତି ସହରାହରେ ସୁଧାର ଆଣିବା, ଜନସାଧାରଣଙ୍କୁ ବିଦ୍ୟୁତ ବିପଦ ପ୍ରତି ସଚେତନ କରିବା ନେଇ ଆଜି ଶକ୍ତିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ନିକଟକରେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ବିଦ୍ୟୁତ ଦୁର୍ଘଟଣା ପରେ ରାଜ୍ୟବ୍ୟାପୀ ବିଦ୍ୟୁତ ସେବା କ୍ଷେତ୍ରରେ ଥିବା ତ୍ରୁଟି ସୁଧାରିବା କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିଦ୍ୟୁତ ବଣ୍ଟନ କମ୍ପାନିୱାରି ସମୀକ୍ଷା କରାଯାଇଥିଲା। ତିତ୍‌ଲି, ଫନି, ହୁଡ଼ହୁଡ଼ ସମୟରେ ବିଭିନ୍ନ ବିଦ୍ୟୁତ ବଣ୍ଟନ କମ୍ପାନିଗୁଡ଼ିକୁ ପ୍ରଦାନ କରାଯାଇଥିବା ଅର୍ଥର ସଂପୂର୍ଣ୍ଣ ବିନିଯୋଗ ନ ହୋଇ ପଡ଼ି ରହିଥିବା ଅର୍ଥକୁ ପ୍ରଥମେ ଏହି ତ୍ରୁଟିକୁ ସୁଧାରିବା କାର୍ଯ୍ୟରେ ବିନିଯୋଗ କରାଯାଉ। ତଳକୁ ଝୁଲି ରହିଥିବା ବିଜୁଳି ତାରକୁ ନିର୍ଧାରିତ ଉଚ୍ଚତାରେ ଲଗାଇବା ପାଇଁ ଆବଶ୍ୟକ ମଧ୍ୟବର୍ତୀ ଖୁଣ୍ଟ ଲଗାଇବା, ବିଦ୍ୟୁତ ପରିବାହକଗୁଡ଼ିକରେ ପରିବର୍ତନ, ହାତୀ କରିଡରଗୁଡ଼ିକରେ ବିଦ୍ୟୁତ ସରବରାହକୁ ସୁସଂଜିତ କରିବା, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା କେନ୍ଦ୍ରଗୁଡ଼ିକରେ ଉନ୍ନତିକରଣ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ନିକଟରୁ ଟ୍ରାନ୍ସଫର୍ମର ସ୍ଥାନାନ୍ତରଣ, ରାସ୍ତା ଉପରେ ଦେଇ ଅତିକ୍ରମ କରିଥିବା ବିଦ୍ୟୁତ ତାର ଉଚ୍ଚତା ବୃଦ୍ଧି ଓ ସୁରକ୍ଷା, ସବଷ୍ଟେସନ୍‌ଗୁଡ଼ିକୁ ତାରବାଡ଼ ଦେଇ ଆବଦ୍ଧ କରିବା ଆଦି କାର୍ଯ୍ୟଗୁଡ଼ିକର ଅଗ୍ରଗତି ନେଇ ବୈଠକରେ ଆଲୋଚନା ହୋଇଥିଲା।

ସମସ୍ତ ପ୍ରଶାସନିକ ଅଧିକାର ନିଜ ଅଧୀନରେ ବିନିଯୋଗ ନ ହୋଇ ପଡ଼ି ରହିଥିବା ଅର୍ଥରାଶିର ହିସାବ ତୁରନ୍ତ ପ୍ରମୁଖ ଶାସନ ସଚିବଙ୍କୁ ଜଣାଇବାକୁ କୁହାଯାଇଛି। ଜନସାଧାରଣଙ୍କ ଅବଗତି ପାଇଁ ବିଦ୍ୟୁତ ଦୁର୍ଘଟଣାକୁ ଏଡ଼ାଇ ଜୀବନ ରକ୍ଷା କରିବାର କେତେକ ଜାଣିବା କଥା ଭିଡିଓ ଜରିଆରେ ‌ସାମାଜିକ ଗଣମାଧ୍ୟମ, ଆଞ୍ଚଳିକ ଟିଭି ଚ୍ୟାନେଲ ଗୁଡ଼ିକରେ ପ୍ରଚାର ଓ ପ୍ରତି ଗ୍ରାମ ପଞ୍ଚାୟତରେ ବ୍ୟାନର ଜରିଆରେ ଲୋକମାନଙ୍କୁ ଜଣାଇବା ପାଇଁ କୁହାଯାଇଛି। ପ୍ରତି ମାସର ୫ ତାରିଖରେ ସମସ୍ତ ପ୍ରଶାସନିକ ଅଧିକାରୀମାନେ ନିଜର କାର୍ଯ୍ୟ ସଂପାଦକ ବିବରଣୀ ପ୍ରମୁଖ ସଚିବଙ୍କୁ ପ୍ରଦାନ କରିବାକୁ କୁହାଯାଇଛି।

ଆଜିର ବୈଠକରେ ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ଓଏସ୍‌ଆଇସିର ଅଧ୍ୟକ୍ଷ ଚିନ୍ମୟ ସ୍ବାଇଁ, ଅତିରିକ୍ତ ଶାସନ ସଚିବ ପି.କେ ଶତପଥୀ, ସ୍ବତନ୍ତ୍ର ସଚିବ ଏସ୍‌.କେ ସ୍ବାଇଁ, ନିର୍ବାହୀ ନିର୍ଦେଶକ ଗ୍ରିଡ୍‌କୋ ଆଶିଷ ଈଶ୍ବର ପାଟିଲଙ୍କ ସମେତ ସମସ୍ତ ବିଦ୍ୟୁତ ବିତରଣ କମ୍ପାନିର ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର