ଆନନ୍ଦପୁର: ଆନନ୍ଦପୁର ମ୍ୟୁନିସିପାଲିଟି ୧୩ ନମ୍ବର ୱାର୍ଡ ଖପରାଖାଇରେ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ତଳକୁ ଖସି ପଡ଼ିବାରୁ ଟାଟା ପାୱାରର ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଆନନ୍ଦପୁର ୩ ନମ୍ବର ୱାର୍ଡର କୃଷ୍ଣଚନ୍ଦ୍ର ଷେଣ୍ଢ (୨୪)। ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ କୃଷ୍ଣଚନ୍ଦ୍ର ଏବଂ ଅନ୍ୟଜଣେ କର୍ମଚାରୀ ଲାଇନ୍ ସଜାଡ଼ିବାକୁ ଯାଇଥିଲେ। ଏଲ୍ଟି ଲାଇନ୍ କାଟି ଖୁଣ୍ଟ ଉପରେ ଚଢ଼ି କାମ କରୁଥିବା ବେଳେ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ କୃଷ୍ଣଚନ୍ଦ୍ର ତଳକୁ ଖସି ପଡ଼ିଥିଲେ।
ଗୁରୁତର ଅବସ୍ଥାରେ ସେ ବହୁ ସମୟ ଧରି ସେଠାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା। ତାଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ତାଙ୍କର ମୃତ୍ୟୁ ଘଟିଛି। ଅସୁରକ୍ଷିତ ଭାବେ ବିନା ଗ୍ଲୋବସ୍ରେ ୧୧ କେଭି ଲାଇନ୍ ନ କାଟି କାମ କରୁଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ କୃଷ୍ଣଚନ୍ଦ୍ର ବିଦ୍ୟୁତ୍ ବିଭାଗ କର୍ମଚାରୀ ଶିବପ୍ରସାଦ ଷେଣ୍ଢଙ୍କ ଏକମାତ୍ର ପୁତ୍ର ବୋଲି ଜଣାପଡିଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/2d4638b6116433d3c537d0c637380c3b-750x430-1.jpg)