ବାତ୍ୟା ବିଭୀଷିକା, ଲାଇନ୍‌ କେବେ ଆସିବ କହିହେବନି: ସେସୁ

ପୁରୀରେ ୧୫୦୦ କର୍ମଚାରୀ ନିୟୋଜିତ, ଗଛ ସଫା ନହେବାରୁ କାମ ବିଳମ୍ବ ହେଉଛି

ଭୁବନେଶ୍ବର: ‘ଫନି’ବାତ୍ୟାରେ ପୁରୀ ସମେତ ଖୋର୍ଦ୍ଧା ଓ ଭୁବନେଶ୍ବରରେ ବିଦ୍ୟୁତ ଭିତ୍ତିଭୂମି ଭୁଷୁଡ଼ିପଡ଼ିଛି। ପ୍ରବଳ ଗୁଳଗୁଳି ଓ ଗରମ ଯୋଗୁଁ ଗତ ୫ ଦିନ ହେଲାଣି ଦିନ କଣ ରାତି ଲୋକେ ଡହଳବିକଳ ହେଉଛନ୍ତି। ରାତିରେ ଶୋଇ ହେଉକି କି ଦିନରେ କାମ କରିହେଉନି।  ହେଲେ ଏହି ସବୁ ଜିଲ୍ଲାର ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଉଥିବା ବଣ୍ଟନ କମ୍ପାନୀ ସେସୁ ପାଖରେ ଲାଇନ କେବେ ମିଳିବ ଉତ୍ତର ନାହିଁ। ଶକ୍ତି ବିଭାଗ ସଚିବଙ୍କଠୁ ଆରମ୍ଭ କରି ସେସୁର ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଖରେ ଗୋଟିଏ ଉତ୍ତର କାମ ଚାଲିଛି। ମଙ୍ଗଳବାର ସେସୁର ବରିଷ୍ଠ ମାନବସମ୍ବଳ ମହାପ୍ରବନ୍ଧକ ସୁବ୍ରତ ମିଶ୍ର କହିଛନ୍ତି, ଭୁବନେଶ୍ବରରେ ଆଗ ଅପେକ୍ଷା କାମ ଆଗେଇଛି। ଏବେ ୩୩ କେ.ଭି ଓ ୧୧ କେ.ଭି ଲାଇନ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆସନ୍ତକାଲିଠୁ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ ଏଲଟିଇ ଲାଇନ ସଜଡ଼ା କାମ ଆରମ୍ଭ ହେବ। କେବଳ ଜରୁରୀକାଳିନ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଲାଇନ ସଂଯୋଗ କରାଯାଇଛି। ଶ୍ରୀ ମିଶ୍ରଙ୍କ କହିବା କଥା ଏଭଳି ଦୁର୍ବିପାକ ପରେ ପୁନରୁଦ୍ଧାର ପାଇଁ ସେସୁ ପାଖରେ ଯଥେଷ୍ଟ ସଂଖ୍ୟକ କର୍ମଚାରୀ ନାହାନ୍ତି। ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗରୁ ପାଖାପାଖି ୧୫୦୦ କର୍ମଚାରୀଙ୍କୁ ଅଣାଯାଇଛି। ବାହାର ରାଜ୍ୟରୁ କର୍ମଚାରୀ ଆସିଲେ ହେବନି ସେହି ଅନୁପାତରେ ଜିନିଷପତ୍ର ଉପଲବ୍ଧ ହେବା ଦରକାର। ଆଜି ରାତିସୁଦ୍ଧା ଭୁବନେଶ୍ବରର ଜନପଥ, ସିବିଆଇ, ପାସପୋର୍ଟ ଅଫିସ ପାଖ ଷ୍ଟ୍ରିଟ୍ ଲାଇଟ, ଦୁରଦର୍ଶନ କେନ୍ଦ୍ର, ବିଏସଏନଏଲ ଅଫିସକୁ ଲାଇନ ସଂଯୋଗ କରାଯିବ। ତେବେ ଏବେବି ବିଭିନ୍ନ ରାସ୍ତା ଓ ଗଳିରେ ଗଛ ସଫା ନହେବାରୁ ମରାମତି କାମ ତ୍ବାରାନ୍ବିତ କରିବାରେ ଅସୁବିଧା ହେଉଛି। ମୋଟ ଭୁବନେଶ୍ବର ପାଇଁ ୨୨୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ପୁରୀରେ ଆଜିଠାରୁ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବାତ୍ୟାରେ ପୁରୀ ସହର ସମେତ ଜିଲ୍ଲାରେ ଯେଭଳି ବ୍ୟାପକ କ୍ଷତି ହୋଇଛି ମାସାଧିକ କାଳ ଲାଗିବ ବୋଲି ସେସୁ ଅଧିକାରୀ କହିଛନ୍ତି। ସେଠାରେ ଟାଵାର କାମ କରିବା ସହିତ ନିର୍ମାଣ  ଓ ଏଲଟିଇ ଲାଇନ ପାଇଁ ହଜାରହଜାର ନୂଆ ଖୁଣ୍ଟ ଲାଗିବ। ଏବେବି ସହରରୁ ବଡ଼ବଡ଼ ଗଛ ସଫ ହୋଇପାରିନି। ଗଛ ଗୁଡ଼ିକୁ ସଫା ନକରିବା ଯାଏ କାମ ଆଗେଇବାରେ ଅସୁବିଧା ହେଉଛି। ଆସନ୍ତା ଦୁଇଦିନ ପରେ ଲାଇନ କେବେ ଆସିବ ତାର ସ୍ଥିତି ଆକଳନ କରିହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବାତ୍ୟାରେ ଭାଙ୍ଗିଥିବା ଗଛକୁ ଲୋକମାନେ ନିଜ ବ୍ୟବହାର ପାଇଁ କାଟି ନେଇପାରିବେ
ଭୁବନେଶ୍ବର: ବାତ୍ୟାରେ ଭୁବନେଶ୍ବର, ପୁରୀ, କଟକ ସହର ସମେତ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲକ୍ଷ ଲକ୍ଷ ଗଛ ଉପୁଡ଼ି ପଡ଼ିଛି। ଏତେ ସଂଖ୍ୟାର ଗଛକୁ ସଫା କରିବା ପ୍ରଶାସନ ପାଇଁ ସମୟ ସାପେକ୍ଷ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଜନସାଧାରଣ ଚାହିଁଲେ ବାତ୍ୟାରେ ଉପୁଡ଼ି ଯାଇଥିବା ବା ଭାଙ୍ଗି ଯାଇଥିବା ଗଛଗୁଡ଼ିକୁ ନିଜ ବ୍ୟବହାର ପାଇଁ କାଟି ନେଇପାରିବେ। ଜନସାଧାରଣ ସତର୍କତାର ସହ ନିରାପଦରେ ଗଛ କାଟିବା ପାଇଁ ଅନୁରୋଧ କରାଯାଇଛି। ଏହାସହିତ ଯେଉଁ ଗଛଗୁଡ଼ିକ ବଞ୍ଚାଯାଇପାରିବ ତା’ର ମଧ୍ୟ ଉପଯୁକ୍ତ ଯତ୍ନ ନେବାକୁ ଅନୁରୋଧ କରାଯାଇଛି।

ଉନ୍ନୟନ କମିସନର ହେଲେ ମୋବାଇଲ୍‌ ଯୋଗାଯୋଗ ପାଇଁ ନୋଡାଲ୍‌ ଅଫିସର
ଭୁବନେଶ୍ବର: ମୋବାଇଲ୍‌, ଟେଲିକମ୍‌ ସେବା ବ୍ୟାହତ ହୋଇପଡ଼ିଥିବାରୁ ଏହା ବାତ୍ୟା ଫନି ପରବର୍ତୀ ବିପର୍ଯ୍ୟୟକୁ ବହୁଗୁଣିତ କରିଛି। ଏ ଦିଗରେ ଦ୍ରୁତ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଉନ୍ନୟନ କମିସନର ଅସିତ ତ୍ରିପାଠୀଙ୍କୁ ମୋବାଇଲ୍‌ ଯୋଗାଯୋଗ ପାଇଁ ନୋଡାଲ୍‌ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ତ୍ରିପାଠୀ ବିଏସ୍‌ଏନ୍‌ଏଲ୍‌ ଓ ସମସ୍ତ ଘରୋଇ ମୋବାଇଲ୍‌ ଯୋଗାଣକାରୀ ଅପରେଟରମାନଙ୍କ ସହିତ ସ୍ଥିତି ସଂପର୍କରେ ଆଲୋଚନା ଓ ସମୀକ୍ଷା କରି ଉପଯୁକ୍ତ ନିଷ୍ପତ୍ତି ନେଇପାରିବେ।

ସମ୍ବନ୍ଧିତ ଖବର