ଗ୍ରାମାଞ୍ଚଳକୁ ପହଞ୍ଚିନି ବିଜୁଳି, ବ୍ୟାଙ୍କ, ଏଟିଏମ୍‌ ସେବା

ସହରାଞ୍ଚଳ ସ୍ବାଭାବିକ ହେଉଛି

ଭୁବନେଶ୍ବର : ଅତି ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ‘ଫନି’ ଉପକୂଳ ଜିଲ୍ଲାମାନଙ୍କରେ ତାଣ୍ଡବଲୀଳା ରଚିବାର ୧୯ ଦିନ ବିତିଲାଣି। ପୁରୀ ଜିଲ୍ଲାକୁ ଛାଡ଼ିଦେଲେ ଭୁବନେଶ୍ବର ସମେତ ଅନ୍ୟ ସମସ୍ତ ସହରାଞ୍ଚଳରେ ବାତ୍ୟା ପୂର୍ବ ସ୍ଥିତି ଫେରୁଛି। କିନ୍ତୁ ବିଭିନ୍ନ ଗ୍ରାମାଞ୍ଚଳର ସ୍ଥିତି ଏବେ ବି ‌େଶାଚନୀୟ। ବିଶେଷ କରି ବିଜୁଳି, ବ୍ୟାଙ୍କ ଓ ଏଟିଏମ୍‌ ସେବା ସୁବିଧା ଅନେକ ଗ୍ରାମକୁ ପହଞ୍ଚିନାହିଁ।

ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟାବଳୀ ସୂଚାଉଛି, ପୁରୀ ପିଇଡି ଡିଭିଜନ ଅନ୍ତର୍ଗତ ୫୬ଟି ଫିଡରରୁ ୧୩ଟି ଫିଡର କାର୍ଯ୍ୟକ୍ଷମ ହୋଇଛି। ନିମାପଡ଼ା ଅଞ୍ଚଳରେ କାର୍ଯ୍ୟ କରୁଥିବା ଏନ୍‌ଇଡି ଡିଭିଜନ ଅନ୍ତର୍ଗତ ୨୮ଟି ଫିଡରରୁ ୭ଟି ଫିଡର କାର୍ଯ୍ୟକ୍ଷମ ହୋଇଛି। ତେବେ କାକଟପୁର ହେଉ ବା ଅସ୍ତରଙ୍ଗ ଅଞ୍ଚଳର ଅଧିକାଂଶ ଗ୍ରାମରେ ରାତି ହେଲେ ଅନ୍ଧାର ରାଜୁତି କରୁଛି।

କଟକ ସିଡିଡି-୧ ଡିଭିଜନର ସମସ୍ତ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି। ସିଡିଡି-୨ରେ ପ୍ରାୟ ୬୯ ହଜାର ୦୩୧ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୬୭ ହଜାର ୨୭୦ ଜଣଙ୍କୁ ମିଳିଛି ବିଦ୍ୟୁତ୍‌ ସଂଯୋଗ। କଟକ ସିଇଡି ଅନ୍ତର୍ଗତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୯୫ ହଜାର ୫୯୯ ଉପଭୋକ୍ତାଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୭୧ ହଜାର ୨୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ସେହିପରି ଭୁବନେଶ୍ୱରର ବିଇଡି ଅନ୍ତର୍ଗତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶି ୧ ଲକ୍ଷ ୯ ହଜାର ୯୮୪ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୧ ଲକ୍ଷ ୮ ହଜାର ୫୫୦ ଉପଭୋକ୍ତା ପାଇଛନ୍ତି ବିଦ୍ୟୁତ୍‌ ସଂଯୋଗ। ଜଗତ୍‌ସିଂହପୁରରେ ଆଜି ସୁଦ୍ଧା ୯୪% ବିଦ୍ୟୁତ୍‌ ଯୋଗାଣ ସ୍ୱାଭାବିକ ହୋଇଛି।

ବାତ୍ୟା ପରବର୍ତୀ ଅବସ୍ଥାରେ ଟେଲି ଯୋଗାଯୋଗ ଓ ମୋବାଇଲ୍‌ ସେବା ପ୍ରାୟ ସ୍ୱାଭାବିକ ହୋଇଛି। ପୁରୀ ସହରରେ ୯୦% ସେବା ଉପଲବ୍ଧ ହେଉଛି। ଖୋର୍ଧା ଜିଲ୍ଲାରେ ୮୯% ମୋବାଇଲ୍‌ ଟାୱାର କାର୍ଯ୍ୟକ୍ଷମ କରାଯାଇଥିବାବେଳେ ପୁରୀ ଜିଲ୍ଲାରେ ଏହା ୬୫ ପ୍ରତିଶତ ଓ କଟକ ଜିଲ୍ଲା‌େର ୯୭ ପ୍ରତିଶତରେ ପହଞ୍ଚିଛି। ସେହିପରି ଭୁବନେଶ୍ୱର ସହରରେ ୯୦%, ପୁରୀ ସହରରେ ୬୧% ଓ କଟକ ସହରରେ ୯୭% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି। ଅତ୍ୟଧିକ ପ୍ରଭାବିତ ପୁରୀ ଜିଲ୍ଲାରେ ୪୬ଟି ମେଡିକାଲ ରିଲିଫ ସେଣ୍ଟର କାର୍ଯ୍ୟ କରୁଛି। ଆଜି ସୁଦ୍ଧା ଭୁବନେଶ୍ୱର ଓ ଆଖପାଖରେ ବାତ୍ୟାରେ ଉପୁଡ଼ି ଯାଇ ବଞ୍ଚିବା ସମ୍ଭାବନା ଥିବା ୫୦୨୯ଟି ଗଛକୁ ପୁନଃରୋପଣ କରାଯାଇଛି।

ସମ୍ବନ୍ଧିତ ଖବର