ଡାକଘରେ ପଇଠ କରିହେବ ବିଦ୍ୟୁତ୍‌ ବିଲ୍‌

ଆଜିଠୁ ଜାତୀୟ ଡାକ ସପ୍ତାହ

ଭୁବନେଶ୍ୱର : ଓଡ଼ିଶା ପୋଷ୍ଟାଲ ସର୍କଲର ସମସ୍ତ ଡାକଘରେ ଉପଲବ୍ଧ ହେବ ସ୍ପିଡ୍‌ ପୋଷ୍ଟ ସେବା। ପୂର୍ବରୁ ଅଳ୍ପ କେତେକ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେଉଥିବା ବେଳେ ଏବେ ସମସ୍ତ କେନ୍ଦ୍ରକୁ ସମ୍ପ୍ରସାରିତ କରାଯାଇଛି। ଏଣିକି ଓଡ଼ିଶାର ବିଦ୍ୟୁତ୍‌ ଉପଭୋକ୍ତା ଡାକଘରେ ବି ବିଲ୍‌ ଦାଖଲ କରିପାରିବେ। ଏଥିପାଇଁ ସାଉଥ୍‌କୋ, ଓ୍ଵସ୍‌କୋ ସହ ଡାକ ବିଭାଗ ରାଜିନାମା କରିଥିବା ବେଳେ ଖୁବ୍‌ଶୀଘ୍ର ନେସ୍‌କୋ ସହ ଚୁକ୍ତି ହେବ ବୋଲି ସର୍କଲର ମହାଡାକପାଳ ସନ୍ତୋଷ କୁମାର କାମିଲା ସୂଚନା ଦେଇଛନ୍ତି।

ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ଡାକ ସପ୍ତାହ ପୂର୍ବରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ, ଗ୍ରାହକଙ୍କୁ ଉନ୍ନତମାନର ସେବା ଯୋଗାଇବା ଦିଗରେ ଡାକ ବିଭାଗ ସର୍ବଦା ଉଦ୍ୟମ କରୁଛି। ଅମୃତ ସହର ଯୋଜନାରେ ଭୁବନେଶ୍ୱର, ପୁରୀ, କଟକ, ବାଲେଶ୍ୱର, ରାଉରକେଲା, ଭଦ୍ରକ, ବାରିପଦା, ସମ୍ବଲପୁର ଏବଂ ବ୍ରହ୍ମପୁର ସହରରେ ପାଣି ବିଲ୍‌ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ସୁବିଧା କରାଯାଇଛି। ସମସ୍ତ ଡାକଘରେ ବିଲ୍‌ ଗ୍ରହଣ କରିବା ବ୍ୟବସ୍ଥା ହୋଇଛି। ପୂର୍ବରୁ ରାଜ୍ୟର ୪ଟି ଡାକ ଘରେ ଆଧାର କାର୍ଡ ସମ୍ପର୍କିତ ସୂଚନା ମିଳୁଥିବା ବେଳେ ଏବେ କମ୍ପ୍ୟୁଟରୀକରଣ ହୋଇଥିବା ସମସ୍ତ କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ।

ରେଲ୍‌େଓ୍ଵ ବୋର୍ଡ ସହ ଓଡ଼ିଶା ଡାକ ସର୍କଲ ରାଜିନାମା ସ୍ୱାକ୍ଷରିତ ହେବା ପରେ ରାଜ୍ୟର ୨୩ଟି ଡାକଘରେ ଗ୍ରାହକ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ସେଠାରେ ଟ୍ରେନ୍‌ ଟିକେଟ୍‌ ବୁକିଂ କରାଯାଇପାରିବ। ଗତ ମେ’ ୧୫ରେ ପୋଷ୍ଟମ୍ୟାନ୍‌ ମୋବାଇଲ୍‌ ଆପ୍‌ ଆରମ୍ଭ ହୋଇଛି। ରାଜ୍ୟରେ ଥିବା ୬୨୩୪ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୫୬୫୬ଟିରେ ଡାକ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ବାକି ପଞ୍ଚାୟତଗୁଡ଼ିକରେ କେନ୍ଦ୍ର ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ମାଓବାଦୀ ଅଧ୍ୟୁଷିତ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ୪୦ଟି ପଞ୍ଚାୟତରେ ଡାକ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି। ଚଳିତ ଆର୍ଥିକ ବର୍ଷ ସୁଦ୍ଧା ସେଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ୪ଟି ଉପ ଡାକଘର, ୬ଟି ବ୍ରାଞ୍ଚ ପୋଷ୍ଟ ଅଫିସ୍‌, ୧୦ଟି ଫ୍ରାଞ୍ଚାଇଜ୍‌ ଆଉଟ୍‌ଲେଟ୍‌ ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ କରିବାକୁ ସ୍ଥିର ହୋଇଛି। ସ୍ୱତନ୍ତ୍ର କଭର ପାଇଁ ‘ମାଇଁ ଷ୍ଟାମ୍ପ ଫାସିଲିଟିସ୍‌’ ଉପଲବ୍ଧ କରାଯାଇଛି।

ଅକ୍ଟୋବର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଜାତୀୟ ଡାକ ସପ୍ତାହ ପାଳିତ ହେବାକୁ ଯାଉଛି। ଏହି ଅବସରରେ ଓଡ଼ିଶା ପୋଷ୍ଟାଲ ସର୍କଲ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ୯ ତାରିଖ ସକାଳେ ରକ୍ତଦାନ ଶିବିର ହେବା ସହ ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଶ୍ରୀ କାମିଲା କହିଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ସର୍କଲର ବରିଷ୍ଠ ଅଧୀକ୍ଷକ ସତ୍ୟବାଦୀ ବିଶ୍ୱାଳ, ଦିଲ୍ଲୀପ କୁମାର ସାମଲ, ବିଶ୍ୱନାଥ ପୁରୋହିତ, ଖଗେଶ୍ୱର ମଲ୍ଲିକ, ଅଶୋକ କୁମାର ରଥ, ଏମ୍‌.ଏସ୍‌. ଜକି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର