ଭୁବନେଶ୍ବର : କୋଟିଏ କି ଦୁଇ କୋଟି ନୁହେଁ, ଓଡ଼ିଶାର ଚାରିଟି ଆବଣ୍ଟନ କଂପାନି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଅନୁମୋଦନ ବାହାରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ଅଧିକ ୨୭୨୭ କୋଟି ଟଙ୍କା ଆଦାୟ କରିଛନ୍ତି। ଏ ଟଙ୍କା ଉପଭୋକ୍ତାଙ୍କୁ ସୁଧ ସହିତ ଫେରାଯାଉ। ବିଦ୍ୟୁତ୍ ଦର ଧାର୍ଯ୍ୟ ସଂକ୍ରାନ୍ତ ଜନଶୁଣାଣି ପ୍ରକ୍ରିୟାରେ ସୋମବାର ଦିନ ବାଲେଶ୍ବରରେ ଟାଟା ପାଵାର ଉତ୍ତର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍(ଟିପିଏନ୍ଓଡିଏଲ୍)ର ଆବେଦନ ଉପରେ ଆଲୋଚନା ବେଳେ ଏହି ପ୍ରସଙ୍ଗକୁ ନେଇ ଆପତ୍ତିକର୍ତ୍ତା (ଅବଜେକ୍ଟରମାନେ) ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ଉପଭୋକ୍ତାଙ୍କ ସ୍ବାର୍ଥ ସଂକ୍ରାନ୍ତ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇବା ସହିତ ଆପତ୍ତିକର୍ତ୍ତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ, ୨୦୦୩ର ଧାରା ୬୨ (୬)କୁ ଉଲ୍ଲେଖ କରି ସିଧା ସିଧା କହିଛନ୍ତି ଯେ କେବେ ସୁଦ୍ଧା ଏହି ଅର୍ଥ ଫେରିବ, କିଭଳି ଭାବେ ଫେରିବ, ସେ ନେଇ ଆୟୋଗ ତୁରନ୍ତ ବାଟ କାଢ଼ନ୍ତୁ। ଏହି ପ୍ରସଙ୍ଗଟି ଆଜି ରାଜ୍ୟର କୋଟିଏ ବିଦ୍ୟୁତ୍ ଉପଭୋକ୍ତାଙ୍କ ଭିତରେ ଆଲୋଚନାର ବିଷୟ ହୋଇଛି। କେବଳ ସେତିକି ନୁହେଁ, କେଉଁ ପରିସ୍ଥିତିରେ ବିଦ୍ୟୁତ୍ ଆବଣ୍ଟନ କଂପାନିର ଭିତ୍ତିଭୂମି ଦେଶର ସର୍ବନିମ୍ନ ହେଲା;ସର୍ବୋପରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁ ୨୦ ହଜାର କୋଟି ଟଙ୍କାର ଭିତ୍ତିଭୂମି ସୃଷ୍ଟି କରିଛନ୍ତି, ତାହା ଏ ଖାତାରେ ଉଲ୍ଲେଖ ନ କରାଯିବା ପ୍ରସଙ୍ଗ ଉଠାଇ ପୂରା ବିଦ୍ୟୁତ୍ ବ୍ୟବସ୍ଥାରେ ଆଉ ଏକ ସାଂଘାତିକ କେଳେଙ୍କାରୀ ଆଡ଼କୁ ଆଙ୍ଗୁଠି ଉଠାଇଛନ୍ତି।
ଆୟୋଗଙ୍କ ଅନୁମତି ବାହାରେ ୨୭୨୭କୋଟି ଆଦାୟ ହୋଇଛି
୪୭୯୩ କୋଟିର ସ୍ଥାୟୀ ସଂପତ୍ତି ନେଇ ପ୍ରଶ୍ନ ଉଠାଇଲେ
୩୬୦୦ କୋଟିର ସବ୍ଷ୍ଟେସନ ଖର୍ଚ୍ଚର ତଦନ୍ତ କର: ରମେଶ ଶତପଥୀ
ସ୍ମାର୍ଟ ମିଟର ଖର୍ଚ୍ଚ ଉପଭୋକ୍ତା କାହିଁକି ଦେବେ ପଚାରିଲେ ପ୍ରିୟବ୍ରତ
ଓଇଆରସିର ଭାରପ୍ରାପ୍ତ ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଓ ସଦସ୍ୟ ସୁଶାନ୍ତ କୁମାର ରାୟ ମହାପାତ୍ରଙ୍କ ଉପସ୍ଥିତିରେ କରାଯାଇଥିବା ଶୁଣାଣି ପ୍ରାରମ୍ଭରେ ଟିପିଏନ୍ଓଡ଼ିଏଲ୍ ଦାବି ଉପସ୍ଥାପନ କରିଥିଲେ। ପୁନେସ୍ଥିତ ଵାଇଜ୍ ଅନୁଷ୍ଠାନ ପକ୍ଷରୁ ଏହାର ସମୀକ୍ଷା କରାଯାଇଥିଲା। ଆଲୋଚନା ବେଳେ ଅତି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଶ୍ରୀ ପଟ୍ଟନାୟକ କହିଥିଲେ, ଟିପିଏନ୍ଓଡିଏଲ୍ ଆୟୋଗଙ୍କ ନିକଟରେ ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି, ତାହାକୁ ବିଶ୍ଳେଷଣ କରାଯାଉ। ଏହି ତଥ୍ୟକୁ ନିରେଖି ଦେଖିଲେ ଜଣାପଡ଼ୁଛି ଯେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟୋଗ ୟୁନିଟ୍ ପିଛା ୪ ଟଙ୍କା ୯୯ ପଇସା ଅନୁମୋଦନ କରିଥିଲେ ହେଁ ଆବଣ୍ଟନ କମ୍ପାନି ୟୁନିଟ୍ ପିଛା ୫ ଟଙ୍କା ୨୮ ପଇସା ହିସାବରେ ଅର୍ଥ ଆଦାୟ କରିଛନ୍ତି। ତେଣୁ ୟୁନିଟ୍ ପିଛା ୨୯ ପଇସା ଅଧିକ ହିସାବରେ ସମୁଦାୟ ୧୧୨ କୋଟି ଟଙ୍କା ଉପଭୋକ୍ତାଙ୍କ ଠାରୁ ଆଦାୟ ହୋଇଛି। ସେହିପରି ୨୦୨୧-୨୨ ପାଇଁ ଆୟୋଗ ୟୁନିଟ୍ ପିଛା ୫ ଟଙ୍କା ୩୦ ପଇସା ଅନୁମୋଦନ କରିଥିବା ବେଳେ ଆବଣ୍ଟନ କମ୍ପାନିମାନେ ବାସ୍ତବରେ ୟୁନିଟ୍ ପିଛା ୫ ଟଙ୍କା ୮୮ ପଇସା ହିସାବରେ ବିଲ୍ କରିଛନ୍ତି। ଅର୍ଥାତ୍ ୟୁନିଟ୍ ପିଛା ୫୮ ପଇସା ହିସାବରେ ଅଧିକ ୨୫୧ କୋଟି ଟଙ୍କା ଆଦାୟ ହୋଇଛି। ୨୦୨୨-୨୩ ତଥା ଚଳିତବର୍ଷ ପାଇଁ ଟିପିଏନ୍ଓଡିଏଲ୍ର ରାଜସ୍ବ ଆକଳନରେ ୟୁନିଟ୍ ପିଛା ୫ ଟଙ୍କା ୬୩ ପଇସା ଆଦାୟ କରାଯାଇଛି, ଯାହାକି ଆୟୋଗ ଅନୁମୋଦନ କରିଥିବା ଟାରିଫ୍ଠାରୁ ୧୪ ପଇସା ଅଧିକ। ତେଣୁ ୨୦୨୨-୨୩ ବର୍ଷରେ ଟିପିଏନ୍ଓଡିଏଲ୍ ଅଧିକ ୭୫ କୋଟି ଟଙ୍କା ଅସୁଲ୍ କରିବାକୁ ଲକ୍ଷ୍ୟ ରଖିଛି।
/sambad/media/post_attachments/wp-content/uploads/2020/08/Electricity-750x430.jpg)
ଅତି ସରଳ ଭାବରେ କହିଲେ, ଚଳିତବର୍ଷକୁ ମିଶାଇ ୩ବର୍ଷରେ କେବଳ ଟିପିଏନ୍ଓଡିଏଲ୍ ଅଧିକ ୪୩୭ କୋଟି ଟଙ୍କା ଉପଭୋକ୍ତାଙ୍କଠାରୁ ଅସୁଲ୍ କରିଛି। ଆଉ ଯଦି ରାଜ୍ୟରେ ଥିବା ୪ଟି ଆବଣ୍ଟନ କମ୍ପାନିର ତଥ୍ୟକୁ ହିସାବକୁ ନିଆଯାଏ, ତେବେ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ୩ବର୍ଷ ମଧ୍ୟରେ ଉପଭୋକ୍ତାଙ୍କଠାରୁ ୟୁନିଟ୍ ପିଛା ୧ ଟଙ୍କା ୨୭ ପଇସା ହିସାବରେ ୨୭୨୭ କୋଟି ଟଙ୍କା ଅଧିକ ଆଦାୟ କରାଯାଇଛି। ଯେତେହୁ ଆଇନରେ ଫେରାଇ ଦେବାର ବ୍ୟବସ୍ଥା ରହିଛି ତେଣୁ ଗ୍ରାହକଙ୍କୁ ତାହାର ସୁବିଧା ମିଳିବା ଆବଶ୍ୟକ ଓ ଏହି ଅର୍ଥ ତୁରନ୍ତ ସେମାନଙ୍କୁ ଦେଇ ଦିଆଯିବା ଉଚିତ୍।
ଶ୍ରୀ ପଟ୍ଟନାୟକ ଆଉ ଏକ ସଙ୍ଗିନ୍ ପ୍ରସଙ୍ଗ ଉଠାଇ ବିଦ୍ୟୁତ୍ ବ୍ୟବସ୍ଥାର ଏକ କେଳେଙ୍କାରୀ ଆଡ଼କୁ ଆଙ୍ଗୁଠି ଉଠାଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଟିପିଏନ୍ଓଡ଼ିଏଲ୍ ପ୍ରସ୍ତାବକୁ ତନ୍ନ ତନ୍ନ କରି ତର୍ଜମା କଲେ, ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସୁଛି। ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ରେ ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ପ୍ରାୟ ୫୦% ଅଧିକ ଖର୍ଚ୍ଚ ଅନୁମୋଦନ କରିବାକୁ ଏହି ଆବଣ୍ଟନ କଂପାନି ପ୍ରସ୍ତାବ ରଖିଛନ୍ତି। ହଠାତ୍ ଏମିତି କ'ଣ ହେଲା ଯେ ଅଧିକ ୫୦% ରକ୍ଷଣାବେକ୍ଷଣ ଆବଶ୍ୟକ ପଡ଼ିଲା, ତାହା ବୁଝିହେଉନାହିଁ। ଏଥିରୁ ଗୋଟିଏ ସଙ୍କେତ ଅବଶ୍ୟ ମିଳୁଛି। ତାହା ହେଲା-ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଏହାର ଚାପ ପଡ଼ିବ ହିଁ ପଡ଼ିବ। ଏଣୁ ଏ ସଂକ୍ରାନ୍ତରେ ଆୟୋଗ ମଧ୍ୟ ସମୀକ୍ଷା କରିବା ଅପରିହାର୍ଯ୍ୟ।
/sambad/media/post_attachments/wp-content/uploads/2022/03/electricity-ad-750x430.jpg)
ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଏହି ତଥ୍ୟ ଉପରେ ଅନୁଧ୍ୟାନ ବେଳେ ଜଣାପଡ଼ୁଛି ଯେ ଓଡ଼ିଶା ସବୁଥିରେ ଆଗୁଆ ଥିଲେ ବି ବିଦ୍ୟୁତ୍ କ୍ଷେତ୍ରରେ ଯେମିତି ପଛରେ ପଡ଼ିଯାଇଛି। ଏହାକୁ ଗ୍ରହଣ କରାଯାଇପାରୁନାହିଁ। କାରଣ, ଏତେ ବିଶାଳ ବଜେଟ୍ ପ୍ରସ୍ତୁତ କରୁଥିବା ରାଜ୍ୟ ବିଦ୍ୟୁତ୍ ସଂକ୍ରାନ୍ତ ସ୍ଥାୟୀ ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ୨୧ତମ ସ୍ଥାନରେ କିଭଳି ରହିବ? ସାଢ଼େ ୪ କୋଟି ଜନସଂଖ୍ୟା ରାଜ୍ୟରେ ବିଦ୍ୟୁତ୍ ସରବରାହ ପାଇଁ ଯେତିକି ସ୍ଥାୟୀ ସମ୍ପତ୍ତି ଦେଖାଯାଇଛି, ସେସବୁର ମୂଲ୍ୟ ମାତ୍ର ୪ ହଜାର ୭୯୩ କୋଟି ଟଙ୍କା କେମିତି? ହିମାଚଳ ପ୍ରଦେଶ ପରି ରାଜ୍ୟ, ଯେଉଁଠି କୋଟିଏ ବି ଲୋକ ନାହାନ୍ତି ସେଠାକାର ସମ୍ପତ୍ତି ୭୧୮୮ କୋଟି, ଉତ୍ତରାଖଣ୍ଡରେ ୧କୋଟି ୧୧ ଲକ୍ଷ ଲୋକ ରହୁଥିବା ବେଳେ ସମ୍ପତ୍ତି ୬୦୬୩ କୋଟି, ଛତିଶଗଡ଼ ସମ୍ପତ୍ତି ୯୧୪୫ କୋଟି ରହିଛି। ଓଡ଼ିଶାଠାରୁ ଛୋଟ ଛୋଟ ରାଜ୍ୟର ବିଦ୍ୟୁତ୍ ସମ୍ପତ୍ତି ଅଧିକ ରହିଛି। ବିଦ୍ୟୁତ୍ ସଂସ୍କାର ପ୍ରଥମେ ଓଡ଼ିଶା କରିଥିଲେ ହେଁ ସମ୍ପତ୍ତିର ମୂଲ୍ୟ କ’ଣ ମାତ୍ର ୪୭୯୩ କୋଟି ଟଙ୍କା? ବର୍ଷ ପରେ ବର୍ଷ ଯେଉଁ ଖର୍ଚ୍ଚ କରୁଛୁ, ସେ ଟଙ୍କା କାହା ଖାତାରେ ରହିଛି? ପାଖାପାଖି ୨୦ ହଜାର କୋଟି ଟଙ୍କା ବିନିଯୋଗ କରିଥିଲେ ହେଁ ତାହାର ହିସାବ ହିଁ ନାହିଁ। ଏହି ୨୦ ହଜାର କୋଟି ଟଙ୍କାର ସମ୍ପତ୍ତି ଦର୍ଶାଯାଇଥିଲେ କମ୍ପାନିମାନଙ୍କୁ ସୁବିଧା ହୋଇଥାନ୍ତା। କାରଣ ସେମାନେ ମରାମତି, ପରିଚାଳନା, ରକ୍ଷଣାବେକ୍ଷଣ କେଉଁ କ୍ଷେତ୍ରରେ କରିବାକୁ ଚାହୁଛନ୍ତି, ତାହା ସ୍ପଷ୍ଟ ହୋଇପାରିଥାନ୍ତା। ଆମେ ଜାଣିବା ଦରକାର କେଉଁ ଭିତ୍ତିଭୂମିକୁ ନେଇ ଆମର ବିଦ୍ୟୁତ୍ ଆବଣ୍ଟନ କରିବାକୁ ଚାହୁଁଛୁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ ପ୍ରକାଶ କରିଥିଲେ।
ଅନ୍ୟତମ ଆପତ୍ତିକର୍ତ୍ତା ପ୍ରିୟବ୍ରତ ସାହୁ ବ୍ୟବସ୍ଥାର ଅନ୍ୟ ଏକ ଦିଗ ପ୍ରତି ଅଙ୍ଗୁଳି ଉଠାଇଥିଲେ। ଶ୍ରୀ ସାହୁ ପଚାରିଥିଲେ, କାହିଁକି ସ୍ମାର୍ଟ ମିଟରର ବୋଝ ଗ୍ରାହକଙ୍କ ଉପରେ ଲଦାଯାଉଛି? ସ୍ମାର୍ଟ ମିଟର ଲଗାଇବା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କର ଦାୟିତ୍ବ। କେନ୍ଦ୍ର ସରକାର ଅନୁମତି ଦେଉଛନ୍ତି, ଅନ୍ୟ ରାଜ୍ୟ ତାହାର ସୁବିଧା ନେଉଛନ୍ତି। ହେଲେ ଓଡ଼ିଶାରେ ଏହାର ବୋଝ ଗ୍ରାହକଙ୍କ ଉପରେ ଲଦି ଦିଆଯାଉଛି। ଗୋଟିଏ ଗ୍ରାହକ ସମ୍ପୂର୍ଣ୍ଣ ଦେୟ ପ୍ରଦାନ ପୂର୍ବକ ଗୋଟିଏ ମିଟର ବସାଇବାର ୧୦ ଦିନ ପରେ ଆବଣ୍ଟନ କମ୍ପାନି ସ୍ମାର୍ଟ ମିଟର ବସାଇବା ନାମରେ ତା' ଠାରୁ ଅର୍ଥ ଆଦାୟ କରୁଛନ୍ତି। ଆୟୋଗ ଏ ଦିଗରେ ହସ୍ତକ୍ଷେପ କରିବା ଲାଗି ସେ ଦାବି ରଖିଥିଲେ।
/sambad/media/post_attachments/wp-content/uploads/2019/07/electricity-substation.0-640x430.jpg)
ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ଭାଗନେଇ ଆଉ ଏକ କେଳେଙ୍କାରୀ ସଂପର୍କରେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ ୩୬୦୦ କୋଟି ଟଙ୍କା ବ୍ୟୟରେ ୫୦୦ଟି ୩୩/୧୧ କେଭି ବିଦ୍ୟୁତ୍ ସବ୍ଷ୍ଟେସନ୍ ନିର୍ମାଣ କରାଗଲା। ଏଥିରୁ ସିଂହଭାଗ ସବ୍ଷ୍ଟେସନ୍ ତା'ର କ୍ଷମତା ଠାରୁ ଯଥେଷ୍ଟ କମ୍ରେ ଚାଲିଛି। କାହାର ଆବଶ୍ୟକତା ପୂରଣ ପାଇଁ ଏସବୁ କରାଯାଇଥିଲା? ଗୋଟିଏ ଗୋଟିଏ ସବ୍ଷ୍ଟେସନ୍ରେ ହାତଗଣତି ଉପଭୋକ୍ତା କେମିତି ରହିଲେ? ଏସବୁ ସର୍ଭେ କରି କରାଯାଇଥିଲା ନା ଅର୍ଥ ଶ୍ରାଦ୍ଧ ପାଇଁ ଅଧିକାରୀ ଏଭଳି କରିଛନ୍ତି? କାହାର ଦୋଷ ଘୋଡ଼ାଇବା ପାଇଁ ଚକ୍ରାନ୍ତ ଚାଲିଛି? ଏହାର ତଦନ୍ତ ହେବା ଦରକାର। କେବଳ ସେତିକି ନୁହେଁ, ଟିପିଏନ୍ଓଡିଏଲ୍ କଂପାନିର ଆବେଦନ ଦେଖିଲେ ଜଣାପଡ଼ୁଛି ଯେ ୧୩୦୦ ନୂଆ କର୍ମଚାରୀ ନିଯୁକ୍ତି ପାଇଛନ୍ତି। କାହାର ଅନୁମତିରେ ଏତେ ନିଯୁକ୍ତି ହେଲା? ଆୟୋଗ ଯଦି ଅନୁମତି ଦେଇଛନ୍ତି, ତେବେ କୁହନ୍ତୁ। ୧୬୫ ପ୍ରତିଶତ ଏସଂକ୍ରାନ୍ତ ଖର୍ଚ୍ଚ ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନା ନାହିଁ, ଏହାର ଜବାବ ଆସିବା ଦରକାର। ସେହିଭଳି ଏତେ ଲୋକ ନିଯୁକ୍ତି ପରେ ବି ସାମଗ୍ରିକ ପରିବହନ ଓ ବାଣିଜ୍ୟିକ କ୍ଷତି କମୁନି କେମିତି?
ସେହିପରି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ପକ୍ଷରୁ ବିଭୂ ଚରଣ ସ୍ବାଇଁ ଭାଗନେଇ ଏମ୍ଏସ୍ଏମ୍ଇଙ୍କ ପାଇଁ ଟାରିଫ୍ରେ ସୁବିଧା କରିବାକୁ ଯୁକ୍ତି ବାଢ଼ିଥିଲେ। ବିଦ୍ୟୁତ୍ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତଥା ଓଏସ୍ଇବିର ସଦସ୍ୟ(ସାଧାରଣ) ରାମପ୍ରସାଦ ମହାପାତ୍ର ଭାଗନେଇ ଓଇଆରସିର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହୋଇଥିବାରୁ ଶୁଭେଚ୍ଛା ଜଣାଇବା ସହ ନୂତନ ଅଧ୍ୟକ୍ଷ ଯୋଗଦେବା ପରେ ପୁଣିଥରେ ଶୁଣାଣି କରିବାକୁ ଅନୁରୋଧ କରିଥିଲେ। କେବଳ ସେତିକି ନୁହେଁ, ଶ୍ରୀ ମହାପାତ୍ର ଦୃଢ ଭାବରେ କହିଥିଲେ ଯେ ଆୟୋଗ ତିନି ଜଣିଆ ବେଞ୍ଚ ବଦଳରେ ଦୁଇଜଣିଆ ବେଞ୍ଚ ଜରିଆରେ ଶୁଣାଣି ସଂକ୍ରାନ୍ତରେ ଯେଉଁ ରାୟ ଶୁଣାଇଛନ୍ତି, ତାହା ଠିକ୍ ନୁହେଁ। ଅବସରପ୍ରାପ୍ତ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଅକ୍ଷୟ କୁମାର ସାହାଣୀ, ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ପ୍ରମୁଖ ଭାଗନେଇ ଟିପିଏନ୍ଓଡିଏଲ୍ ଅଞ୍ଚଳରେ ସମସ୍ୟାର ଲମ୍ବା ତାଲିକା ଉପସ୍ଥାପନ କରିଥିଲେ।