ହରିଚନ୍ଦନପୁର: ହୁକ ପକାଇ ୫-ଟି ବିଦ୍ୟାଳୟ କର୍ତ୍ତୃପକ୍ଷ ନେଇଥିଲେ ବିଦ୍ୟୁତ୍ ସଂଯୋଗ। ବିଭାଗୀୟ କର୍ତ୍ତୃପକ୍ଷ ଜାଣିବା ପରେ ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ସହ ଦେଢ଼ଲକ୍ଷରୁ ଅଧିକ ଟଙ୍କା ଜରିମାନା କରିଛନ୍ତି। ଫଳରେ ଦୁଇମାସ ହେଲା ୫-ଟି ବିଦ୍ୟାଳୟ ଅନ୍ଧାରରେ ଥିବାବେଳେ ସ୍ମାର୍ଟ ଶ୍ରେଣୀଗୃହରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ସ୍ମାର୍ଟଲ୍ୟାବ୍, ଇ-ଲାଇବ୍ରାରି, ବିଜ୍ଞାନ ପରୀକ୍ଷାଗାର ଆଦି ବନ୍ଦ ହୋଇପଡ଼ିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଜଂଘିରା ମହାପାଟ ହାଇସ୍କୁଲରେ।
ଜଂଘିରା ମହାପାଟ ହାଇସ୍କୁଲରେ ନବମ ଶ୍ରେଣୀରେ ୬୩ଜଣ ଏବଂ ଦଶମ ଶ୍ରେଣୀରେ ୪୮ଜଣ (ମୋଟ ୧୧୧ଜଣ) ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ସ୍କୁଲରେ କୋଭିଡ ଆଶ୍ରୟସ୍ଥଳ କରାଯାଇଥିଲା। ଏହି ସମୟରେ ହୁକ ପକାଇ ସ୍କୁଲକୁ ବିଦ୍ୟୁତ୍ ସଂଯୋଗ ନିଆଯାଇଥିଲା। ପରେ ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯାଇ ରୂପାନ୍ତରୀକରଣ ରାଯାଇଥିଲା। ସ୍ମାର୍ଟ ଶ୍ରେଣୀଗୃହ, ସ୍ମାର୍ଟଲ୍ୟାବ୍, ଇ-ଲାଇବ୍ରାରି, ବିଜ୍ଞାନ ପରୀକ୍ଷାଗାର ଆଦି ନିର୍ମାଣ କରାଯାଇଥିଲା। ଏହି ସମୟରେ ମଧ୍ୟ ବୈଧ ବିଦ୍ୟୁତ୍ ସଂଯୋଗ ନିଆଯାଇଥିଲା। ପୂର୍ବ ପରି ହୁକ ପକାଇ ବିଦ୍ୟୁତ୍ ସଂଯୋଗ ନିଆଯାଇଥିଲା। ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ ଜାଣିବା ପରେ ଡିସେମ୍ବର ୧୭ ତାରିଖରେ ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା ସହ ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜରିମାନା କରିଛି।
ବିଜୁଳି ନଥିବାରୁ ଶ୍ରେଣୀଗୃହରେ ପଙ୍ଖା ବୁଲୁନାହିଁ। ପିଲାମାନେ ଗରମରେ ବସି ପାଠ ପଢ଼ୁଛନ୍ତି। ସ୍ମାର୍ଟ ଶ୍ରେଣୀଗୃହରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଛାତ୍ରଛାତ୍ରୀ ଇ-ଲାଇବ୍ରାରି ବ୍ୟବହାର କରିପାରୁ ନାହାନ୍ତି। ମୋଟର ଚାଲୁ ନଥିବାରୁ ଗଭୀର ନଳକୂପରୁ ପାଣି ଉଠିପାରୁ ନାହିଁ। ଛାତ୍ରଛାତ୍ରୀ ଆଶ୍ରମ ସ୍କୁଲ ନଚେତ ମଣିପୁର ଛକରେ ଥିବା ନଳକୂପରୁ ପାନୀୟଜଳ ଆଣୁଛନ୍ତି। ପାଣି ଦିଆଯାଉ ନଥିବାରୁ ବଗିଚାରେ ଲାଗିଥିବା ଫୁଲଗଛ ସବୁ ଶୁଖିଗଲାଣି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅମ୍ରପଲ୍ଲୀ ଜେନାଙ୍କୁ ପଚାରିବାରୁ, ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି। ବିଦ୍ୟୁତ୍ ସଂଯୋଗ ଦେବାପାଇଁ ବ୍ଲକ୍ ପ୍ରଶାସନ, ବିଇଓ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ବିଦ୍ୟୁତ୍ ବିଭାଗ ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜରିମାନା କରିଛି।
ସ୍କୁଲ୍କୁ ବିଦ୍ୟୁତ୍ ବିଲ୍ ପଇଠ କରିବାପାଇଁ ଅନୁଦାନ ଆସିଛି। କିନ୍ତୁ ଜରିମାନା ଦେବା ପାଇଁ ଟଙ୍କା ନାହିଁ। ସେହିପରି ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ତାପସ ରାଉତଙ୍କୁ ପଚାରିବାରୁ, ହୁକ ପକାଇ ସ୍କୁଲ୍କୁ ବିଦ୍ୟୁତ୍ ସଂଯୋଗ ନିଆଯାଇଥିଲା। ବିଦ୍ୟୁତ୍ ଚୋରି ସମ୍ପର୍କରେ ଜଣାପଡ଼ିବାରୁ ଲାଇନ୍ କଟାଯିବା ସହ ଜରିମାନା କରାଯାଇଥିବା ସେ କହିଛନ୍ତି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରୁ, ବିଦ୍ୟୁତ୍ ବିଲ୍ ପଇଠ କରିବା ପାଇଁ ଆସିଥିବା ଅନୁଦାନ ସ୍କୁଲ୍ କର୍ତ୍ତୃପକ୍ଷ ଜମା କରନ୍ତୁ। ପରେ ଅବଶିଷ୍ଟ ଟଙ୍କା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।