ଚେତାବନୀ ଦେଲା ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ : ବିଦ୍ୟୁତ୍‌ ଦର ବୃଦ୍ଧି ହେଲେ ଅସହଯୋଗ

ଭୁବନେଶ୍ବର : ବିଦ୍ୟୁତ ଦର ବୃଦ୍ଧି ପ୍ରସ୍ତାବ ବିରୋଧରେ ସ୍ବର ଉଠାଇଛି ବିଦ୍ୟୁତ ଉପଭୋକ୍ତା ମହାସଂଘ। ୟୁନିଟ ପିଛା ସରକାର ୭୬ ପଇସା ବୃଦ୍ଧି କରିବାକୁ ମସୁଧା ଚଳାଇଥିବା ମହାସଂଘ ଅଭିଯୋଗ କରିଛି। ଲଗାତାର କ୍ଷତି କରି ଆସୁଥିବା ବିତରଣ କମ୍ପାନି ଓ ଫ୍ରାଞ୍ଚାଇଜିଙ୍କ ଲାଇସେନ୍ସ ରଦ୍ଦ କରିବା ପରିବର୍ତ୍ତେ ସରକାରୀ ଅଧିକାରୀଙ୍କ ସଲାସୁତରାରେ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି। ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ କରାଯାଇଛି। ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି, ସମଗ୍ର ରାଜ୍ୟରେ ୬୮ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଥିବାବେଳେ ବିଦ୍ୟୁତ ସଂସ୍କାର ନାଁରେ ସରକାର କେବଳ ଭୂଆଁ ବୁଲାଉଛନ୍ତି। ଅଦ୍ୟାବଧି ବିଦ୍ୟୁତ ବିତରଣ କମ୍ପାନିଙ୍କ ଆୟବ୍ୟୟର ସିଏଜି ଅଡ଼ିଟ ଓ ବିଦ୍ୟୁତ ବ୍ୟବହାରର ଏନର୍ଜି ଅଡିଟ୍ ନକରି ବିଦ୍ୟୁତ ଦର ବୃଦ୍ଧି କରିଚାଲିଛନ୍ତି ସରକାର। ବିଦ୍ୟୁତ କ୍ଷୟର ମାତ୍ରା ୧୦ ପ୍ରତିଶତ କମାଇ ପାରିଲେ ବିଦ୍ୟୁତ ଦର ବୃଦ୍ଧିର ଆବଶ୍ୟକତା ପଡ଼ନ୍ତା ନାହିଁ। ଏହା ସହିତ ବିଭିନ୍ନ କମ୍ପାନି ଓ ବଡ଼ ବଡ଼ ଉପଭୋକ୍ତାଙ୍କ ଉପରେ ବର୍ତ୍ତମାନ ପାଖାପାଖି ୫ ହଜାର କୋଟି ଟଙ୍କା ବକେୟା ପଡ଼ିଥିବାବେଳେ ସେସବୁ ଆଦାୟ କରିବାକୁ ସରକାର ପଦକ୍ଷେପ ନେଉନାହାନ୍ତି।

ମହାସଂଘ ଆହୁରି କହିଛି, ବିତରଣ କମ୍ପାନି ଓ ଫ୍ରାଞ୍ଚାଇଜମାନେ ବିଦ୍ୟୁତ ପରିବହନ ଜନିତ କ୍ଷତି କମାଇବା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବା ସତ୍ତ୍ବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଅଥଚ ରାଜ୍ୟ ତହବିଲରୁ କ୍ଷତି ଭରଣା କରାଯାଉଛି। ୧୫ ବର୍ଷରେ ପାଖାପାଖି ୧୫ ହଜାର କୋଟି ଟଙ୍କା ସରକାର ତଣ୍ଡ ଗଣିଛନ୍ତି। ଏହା ଦ୍ବାରା ରାଜ୍ୟର କରଦାତାଙ୍କ ଅର୍ଥ ଅପବ୍ୟୟ ହେଉଥିବା କହିଛନ୍ତି ଶ୍ରୀ କାନୁନଗୋ। ମହାସଂଘ ଦାବି କରିଛି, ସିଧାସଳଖ କ୍ଷତି କରୁଥିବା ବିତରଣ କମ୍ପାନି ଓ ଫ୍ରାଞ୍ଚାଇଜଙ୍କ ଲାଇସେନ୍ସ ରଦ୍ଦ କରି ବିଦ୍ୟୁତ ବିତରଣ ବ୍ୟବସ୍ଥା ସରକାର ହାତକୁ ନେବା ସହ ପଞ୍ଚାୟତ ଓ ମୁନିସିପାଲଟି ଜରିଆରେ ବିଲ ଆଦାୟ କରିବାର କ୍ଷମତା ନ୍ୟସ୍ତ କରନ୍ତୁ। ଏପରିକି ଏକ ଅପାରଗ ଘରୋଇ କମ୍ପାନି ଇଣ୍ଡିଆ ପାଵାର କର୍ପୋରେସନ ଲିମିଟେଡ ଓ ରାଜ୍ୟର ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଥିବା ଫ୍ରାଞ୍ଚାଇଜ କମ୍ପାନି ଫେଡକୋକୁ ଦେବା ନିଷ୍ପତ୍ତିରୁ ଓହରିଯାନ୍ତୁ। ନଚେତ ଆଗାମୀ ଦିନରେ ରାଜ୍ୟ ଉପଭୋକ୍ତା ମହାସଂଘ, କର୍ମଚାରୀ ସଂଘମାନଙ୍କ ସହଯୋଗ ଲୋଡ଼ି ଅସହଯୋଗ କରିବାକୁ ଆହ୍ବାନ ଦେବ। ଚାଷ ପାଇଁ ଉଦ୍ଦିଷ୍ଟ ସମସ୍ତ କାର୍ଯ୍ୟ ନିମନ୍ତେ ଆସନ୍ତା ୩ ବର୍ଷ ପାଇଁ ବିଦ୍ୟୁତ ଦେୟ ବାବଦ ଅର୍ଥ ସରକାର ବହନ କରିବାକୁ ପରାମର୍ଶ ଦେଇଛି ଉପଭୋକ୍ତା ମହାସଂଘ।

ସମ୍ବନ୍ଧିତ ଖବର