ଭୁବନେଶ୍ବର : କୋଇଲା ଆବଣ୍ଟନ ସଂକ୍ରାନ୍ତ କେନ୍ଦ୍ରୀୟ ନିର୍ଦ୍ଦେଶନାମାକୁ ଫାଙ୍କି ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ (ଓପିଜିସି)ର ୫୧% ମାଲିକାନାରେ ପରିଚାଳିତ ଓଡ଼ିଶା କୋଇଲା ଓ ବିଦ୍ୟୁତ୍ ନିଗମ (ଓସିପିଏଲ୍) ମାତ୍ର ଦୁଇ ବର୍ଷରେ ୪୭୯ କୋଟି ୩୩ଲକ୍ଷ ଟଙ୍କା ଲାଭ କରିଛି। ଏହି ସଂସ୍ଥାର ଲାଭଖୋର ମନୋବୃତ୍ତି ଏବେ ଉପଭୋକ୍ତାଙ୍କ ପାଇଁ କାଳ ହୋଇଛି। ପଇସାଟିଏ କି ଦଶ ପଇସା ନୁହେଁ, ଓସିପିଏଲ୍ର ଏଭଳି କାରସାଦି ଯୋଗୁଁ ଓପିିଜିସିର ୟୁନିଟ୍ ୩ ଓ ୪ ପାଇଁ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତା ୟୁନିଟ୍ ପିଛା ଅଧିକ ୫୦ ପଇସା ତଣ୍ଡ ଗଣିଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ବିଦ୍ୟୁତ୍ ଦର ଶୁଣାଣି ସମୟରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିଥିଲେ। ଘଟଣାର ଗମ୍ଭୀରତା ଅନୁଭବ କରି ଶେଷରେ ଓଇଆର୍ସି ଏହା ଉପରେ ତନାଘନା ଆରମ୍ଭ କରିଛନ୍ତି। ଏତେ ବଡ଼ ଷଡ଼୍ଯନ୍ତ୍ରର ରହସ୍ୟ ଖୋଲିବା ପୂର୍ବରୁ ଆୟୋଗ ଗ୍ରିଡ୍କୋ ଠାରୁ ଏ ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି। ଆୟୋଗ କହିଛନ୍ତି ଯେ ଗ୍ରିଡ୍କୋ ଏଭଳି ଏକ ସଙ୍ଗିନ୍ ପ୍ରସଙ୍ଗରେ ଉଭୟ ଓପିଜିସି ଏବଂ ଓଡ଼ିଶା ସରକାରଙ୍କ ସହିତ ଆଲୋଚନା କରି ତୁରନ୍ତ ରିପୋର୍ଟ ପ୍ରଦାନ କରନ୍ତୁ। ସେପଟେ ଆୟୋଗଙ୍କ ଏଭଳି ଖୋଳତାଡ ବିଭିନ୍ନ ମହଲରେ ହଇଚଇ ସୃଷ୍ଟି କରିଛି। ଶକ୍ତି ସମୀକ୍ଷକ ଓ ବିଦ୍ୟୁତ୍ ଉପଭୋକ୍ତା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ଏଥିସହିତ ରାଜ୍ୟରେ ବିଦ୍ୟୁତ୍ କେଳେଙ୍କାରୀର ଆଉ ଏକ ନୂଆ ଦିଗ ଉନ୍ମୋଚିତ ହୋଇଛି।
ଖବରଟି ହେଉଛି ଏମିତି।
ସୌମ୍ୟରଂଜନଙ୍କ ଆପତ୍ତି ପରେ ରିପୋର୍ଟ ମାଗିଲେ ଓଇଆର୍ସି
ଟନ୍ ପିଛା କୋଇଲା ମୂଲ୍ୟ ୪୯୨ ଟଙ୍କା ବଢ଼ିଗଲା
ଓପିଜିସି-୩ ଓ ୪ ପାଇଁ ୟୁନିଟ୍ ପିଛା ୫୦ ପଇସା ଅଧିକ ତଣ୍ଡ
କେନ୍ଦ୍ର କୋଇଲା ମନ୍ତ୍ରାଳୟ କୋଲ୍ ମାଇନ୍ସ (ସ୍ପେଶାଲ୍ ପ୍ରୋଭିଜନ୍) ଆଇନ-୨୦୧୫ ଆଧାରରେ ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିଃ (ଓସିପିଏଲ୍) ସମେତ ଦେଶର ବିଭିନ୍ନ ସରକାରୀ ସଂସ୍ଥାଙ୍କୁ କୋଇଲା ଖଣି ଆବଣ୍ଟନ କରିଛନ୍ତି। କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛନ୍ତି ଯେ ଆବଣ୍ଟିତ କୋଇଲା ଖଣି ବ୍ୟାବସାୟିକ ଉଦ୍ଦେଶ୍ୟରେ ତଥା ଲାଭ କରିବାକୁ ଉଦ୍ଦିଷ୍ଟ ନୁହେଁ।
ବରଂ ଶସ୍ତା କୋଇଲା ବିଦ୍ୟୁତ୍ ଦର ହ୍ରାସରେ ସାହାଯ୍ୟ କରିବ ଏବଂ ଏହାଦ୍ବାରା ବିଦ୍ୟୁତ୍ ଉପଭୋକ୍ତା ଫାଇଦା ପାଇବେ।
କେନ୍ଦ୍ର ସରକାର କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗ ସମେତ ସବୁ ରାଜ୍ୟର ବିଦ୍ୟୁତ୍ ନିୟାମକ ଆୟୋଗଙ୍କୁ ଏ ସଂକ୍ରାନ୍ତରେ ସତର୍କ ବି କରାଇ ଦେଇଥିଲେ। ସ୍ପଷ୍ଟ ଭାବେ କହିଥିଲେ ଯେ କୌଣସି ବି ପରିସ୍ଥିତିରେ ଏହି ସର୍ତ୍ତରେ ଆବଣ୍ଟିତ କୋଇଲା ଖଣିର ଦୁରୁପଯୋଗ ଯେଭଳି ହେବନାହିଁ, ତାହା ଆୟୋଗ ଦେଖିବେ।
ସ୍ମରଣଥାଉକି, ଓପିଜିସିର ୟୁନିଟ୍ ୩ ଓ ୪ର କଞ୍ଚାମାଲ ଚାହିଦା ପୂରଣ ନିମନ୍ତେ ମନୋହରପୁର ଓ ଡିପ୍-ସାଇଡ୍ ମନୋହରପୁର କୋଇଲା ଖଣି ଆବଣ୍ଟନ କରାଯାଇଛି। ସୁତରାଂ ସୁଲଭ ଦରରେ ଉପଭୋକ୍ତା କିଭଳି ବିଦ୍ୟୁତ୍ ପାଇବେ, ତାହା ଏହି ଖଣି ଆବଣ୍ଟନର ପ୍ରମୁଖ ଉଦ୍ଦେଶ୍ୟ। ହେଲେ ଓସିପିଏଲ୍ କିନ୍ତୁ କେନ୍ଦ୍ରୀୟ ସର୍ତ୍ତର ଖୋଲା ଉଲ୍ଲଂଘନ କରିଛି। ଟନ୍ ପିଛା ଅଧିକ ୩୭୪ ଟଙ୍କାରେ ଓସିପିଏଲ୍ ଓପିଜିସିକୁ କୋଇଲା ଯୋଗାଇଛି ଏବଂ ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ବେଆଇନ ଭାବେ ୪୭୯ କୋଟି ୩୩ଲକ୍ଷ ଟଙ୍କା ମୁନାଫା କରିଛି।
ଏହାର ସିଧା ପ୍ରଭାବ ବିଦ୍ୟୁତ୍ ମୂଲ୍ୟ ଉପରେ ପଡ଼ିଛି। ତାତ୍ପର୍ଯ୍ୟର ବିଷୟ ଏହି ଯେ ଉତ୍ତୋଳନଠାରୁ ଆରମ୍ଭ କରି ଓପିଜିସିକୁ ଯୋଗାଣ ଖର୍ଚ୍ଚ ସମେତ ବୈଧାନିକ ଦେୟ ଯଥା-ରୟାଲ୍ଟି, ସେସ୍ ଓ ଡିଏମ୍ଏଫ୍କୁ ମିଶାଇଲେ କୋଇଲା ଟନ୍ ପିଛା ଖର୍ଚ୍ଚ ୧୨୯୫ ଟଙ୍କା ହେବା କଥା। କିନ୍ତୁ ଆୟୋଗ ଟାରିଫ୍ ନିର୍ଧାରଣ ବେଳେ ତାହାକୁ ଅଧିକ ୪୯୨ ଟଙ୍କା ହିସାବରେ ଟନ୍ ପିଛା କୋଇଲା ମୂଲ୍ୟ ୧୭୮୭ ଟଙ୍କା ହିସାବ କରିଛନ୍ତି। ଏଣୁ ଓପିଜିସିର ୟୁନିଟ୍-୩ ଓ ୪ର ବିଦ୍ୟୁତ ଉତ୍ପାଦନ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି ଓ ୟୁନିଟ୍ ପିଛା ଅଧିକ ପ୍ରାୟ ୫୦ ପଇସା ଉପଭୋକ୍ତାଙ୍କ ଠାରୁ ଅସୁଲ କରାଯାଇଛି।
ଓସିପିଏଲ୍ର ଏଭଳି ବେଆଇନ ତଥା ବ୍ୟାବସାୟିକ କାରବାର ଉପଭୋକ୍ତାଙ୍କ ସ୍ବାର୍ଥ ପରିପନ୍ଥୀ ହୋଇଥିବାରୁ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଏହାକୁ ନେଇ ଦୃଢ଼ ଆପତ୍ତି ଜଣାଇଥିଲେ। ସଦ୍ୟ ସମାପ୍ତ ବିଦ୍ୟୁତ୍ ଦର ଧାର୍ଯ୍ୟ ସଂକ୍ରାନ୍ତ ଜନଶୁଣାଣିରେ ଆପତ୍ତି ଉଠାଇବା ସହ ଗତ ମାର୍ଚ୍ଚ ୬ରେ ଇ-ମେଲ୍ ଯୋଗେ ଆୟୋଗଙ୍କ ନିକଟରେ ଏ ସଂକ୍ରାନ୍ତରେ ଅତିରିକ୍ତ ଉପସ୍ଥାପନା କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଉପରୋକ୍ତ ଆପତ୍ତିକୁ ଭିତ୍ତି କରି ଆୟୋଗ ଗ୍ରିଡ୍କୋଠାରୁ ରିପୋର୍ଟ ମାଗିଛନ୍ତି। ଏହା ମିଳିବା ପରେ ଓସିପିଏଲ୍ର କୋଇଲା ମୂଲ୍ୟ ସଂକ୍ରାନ୍ତ ବିବାଦର ଯଥାର୍ଥ ବିଚାର ପୃଥକ ଭାବେ କରାଯିବ।
ଉଲ୍ଲେଖଥାଉକି, କୋଇଲା ଖଣି ଆବଣ୍ଟନ କ୍ଷେତ୍ରରେ ନୀତିହୀନ ପଦ୍ଧତି ଅନୁସରଣ କରାଯାଇଥିଲା ଏବଂ ଏଥିରେ ପ୍ରାୟ ୧ ଲକ୍ଷ ୮୬ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ତତ୍କାଳୀନ ସିଏଜି ବିନୋଦ ରାୟ ତାଙ୍କ ଅଡ଼ିଟ୍ ରିପୋର୍ଟରେ ଆପତ୍ତି ଉଠାଇଥିଲେ। ଏହି ପ୍ରସଙ୍ଗରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ଆବଣ୍ଟିତ ୨୦୪ କୋଇଲା ଖଣିର ଲିଜ୍ ବାତିଲ କରିବା ସହିତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଭବିଷ୍ୟତରେ କୋଇଲା ଖଣି ଆବଣ୍ଟନ ଲାଗି ସ୍ପଷ୍ଟ ନୀତି ନିର୍ଧାରଣ କରିବାକୁ ଏଥିରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଇଯାଇଥିଲା। ତଦନୁଯାୟୀ କେନ୍ଦ୍ର ସରକାର ୨୦୧୪ରେ ଅଧ୍ୟାଦେଶ ଜାରି କରିବା ସହ ୨୦୧୫ରେ କୋଲ୍ ମାଇନ୍ସ (ସ୍ପେଶାଲ୍ ପ୍ରୋଭିଜନ୍) ଆଇନ ଆଣିଥିଲେ। ସେଥିରେ ସରକାରୀ ସଂସ୍ଥାଙ୍କୁ ଆବଣ୍ଟିତ କୋଇଲା ଖଣି ଲାଭ ଉଦ୍ଦେଶ୍ୟରେ ବ୍ୟାବସାୟିକ କୋଇଲା ଉତ୍ତୋଳନକୁ ନିଷିଦ୍ଧ କରାଯାଇଥିଲା। ସେହି ଆଇନ ଆଧାରରେ ଓପିଜିସିର ଚାହିଦା ପୂରଣ ପାଇଁ ମନୋହରପୁର ଓ ଡିପ୍ ମନୋହାରପୁର ଦୁଇଟି କୋଇଲା ଖଣି ରାଜ୍ୟ ସରକାରଙ୍କ ଓସିପିଏଲ୍କୁ ଆବଣ୍ଟନ କରାଯାଇଥିଲା। ମନୋହରପୁର ଖଣିରୁ କୋଇଲା ଉତ୍ତୋଳନ ପାଇଁ ଓସିପିଏଲ୍ ଘରୋଇ ସଂସ୍ଥା ବିଜିଆର୍ ସହ ଚୁକ୍ତି ସ୍ବାକ୍ଷର କରିଥିଲା। ସେଥିରେ କୋଇଲା ଉତ୍ତୋଳନ ଏବଂ ଉତ୍ତୋଳିତ କୋଇଲାକୁ ବୋଝେଇ ସ୍ଥଳ ପର୍ଯ୍ୟନ୍ତ ପରିବହନ ବାବଦରେ ଟନ୍ ପିଛା ୩୯୯ ଟଙ୍କା ଧାର୍ଯ୍ୟ କରାଯାଇଥିଲା।
୨୦୧୯ରେ ଓପିଜିସିର ୟୁନିଟ୍-୩ ଓ ୪ରୁ ଉତ୍ପାଦନ ଆରମ୍ଭ ହେବା ପୂର୍ବରୁ ମନୋହରପୁର ଖଣିରୁ କୋଇଲା ଯୋଗାଣ ଅବ୍ୟାହତ ରହିଛି। ତେବେ ଖଣିରୁ କୋଇଲା ଆସି ଓପିଜିସି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଉପଯୋଗ ହେବା ପର୍ଯ୍ୟନ୍ତ ପରିବହନ, ହ୍ୟାଣ୍ଡଲିଂ, ଧାର୍ଯ୍ୟ ରୟାଲ୍ଟି ଓ ସେସ୍ ଡିଏମ୍ଏଫ୍ ଦେୟକୁ ହିସାବ କଲେ ସେହି କୋଇଲା ମୂଲ୍ୟ ଟନ୍ ପିଛା ଅତିବେଶିରେ ୧୨୯୫ ଟଙ୍କା ହେବା କଥା। ମାତ୍ର ବହୁବର୍ଷିୟ ଟାରିଫ୍ (୨୦୧୯-୨୦ରୁ ୨୦୨୩-୨୪) ଆଦେଶରେ ଆୟୋଗ ତାହାକୁ ୧୭୮୭ ଟଙ୍କା ଅନୁମୋଦନ କରିବାରୁ କେବଳ କୋଇଲା ମୂଲ୍ୟ ଟନ୍ ପିଛା ୪୯୨ଟଙ୍କା ବୃଦ୍ଧି ପାଇଛି।