‘ବିଜୁଳି ଦୁର୍ନୀତି’ ଚଳିତ ଶତାବ୍ଦୀର ସବୁଠୁ ବଡ଼ ଦୁର୍ନୀତି: ବିଜେପି

ବିଦ୍ୟୁତ୍‌ ବିଲ୍‌ ନାଁରେ ଲୁଟିଥିବା ଅର୍ଥ ସରକାର ଗ୍ରାହକଙ୍କୁ ଫେରାନ୍ତୁ

ଭୁବନେଶ୍ୱର : କୋଇଲା ଉତ୍ପାଦନରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ। ଗତ ମାର୍ଚ୍ଚ ଶେଷ ସୁଦ୍ଧା ୧୬୮ ମିଲିୟନ ଟନ୍‌ର କୋଇଲା ଉତ୍ପାଦନ କରି ଏହି ରେକର୍ଡ ହାସଲ କରିଛି। କିନ୍ତୁ ଲୋକମାନେ ନିରନ୍ତର ବିଦ୍ୟୁତ ସେବା ପାଇବା‌ରୁ ବଞ୍ଚିତ ହେଉଛି। ବିଦ୍ୟୁତ ସଂସ୍କାର ଆଣିବାରେ ଓଡ଼ିଶା ବଡ଼ ରାଜ୍ୟ ହୋଇଥିଲେ ବି ସଂସ୍କାର ନାଁରେ କୋଟି କୋଟି ଟଙ୍କା ଲୁଟ୍‌ ହେଉଛି। ଯେଉଁଥିପାଇଁ ବିଜୁଳି ଦୁର୍ନୀତି ଚଳିତ ଶତାବ୍ଦୀର ସବୁଠୁ ବଡ଼ ଦୁର୍ନୀତି ପାଲଟି ଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

ଗୁରୁବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ, ୧୯୯୯ରେ ଯେତେବେଳେ ନବୀନ ବାବୁ କ୍ଷମତାକୁ ଆସିଲେ ସେବେଠାରୁ ଆଜି ପର୍ଯ୍ୟନ୍ତ ସାଧାରଣ ଗ୍ରାହକଙ୍କ ପାଇଁ ୧୩୭% ବିଦ୍ୟୁତ ଶୁଳ୍କ ବୃଦ୍ଧି ଘଟିଛି। ୧୯୯୯-୨୦୦୦ ମସିହାରେ ୫୦ୟୁନିଟ୍ ପର୍ଯ୍ୟନ୍ତ ଲୋକେ ୧ଟଙ୍କା ୨୦ପଇସା ଦେଉଥିବାବେଳେ ୨୦୨୨ବେଳକୁ ସମାନ ୫୦ ୟୁନିଟ ପାଇଁ ୟୁନିଟ ପିଛା ୩ଟଙ୍କା ଦେଉଛନ୍ତି । ସେହିପରି ୪୦୦ ୟୁନିଟ୍‌ରୁ ଅଧିକ ବ୍ୟବହାର କଲେ ୨ଟଙ୍କା ୮୦ ପଇସାରୁ ବୃଦ୍ଧି ପାଇ ୬ଟଙ୍କା ୨୦ପଇସାରେ ପହଞ୍ଚିଲାଣି । କ୍ଷୁଦ୍ର ଓ ଅଣୁ ସଂସ୍ଥାଗୁଡ଼ିକ ଉପରେ ୧୧୧%, ଶିଳ୍ପରେ ୧୦୬% ବୃଦ୍ଧି ଘଟିଛି। ହେଲେ ଓଡିଶାବାସୀ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣବତ୍ତାର ନିରବଚ୍ଛିନ୍ନ ବିଦ୍ୟୁତ ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ଶିଳ୍ପ କାରଖାନାଗୁଡ଼ିକ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତି। କୃଷି କ୍ଷେତ୍ର ପାଇଁ ମାତ୍ର ୩% ବିଜୁଳି ଶକ୍ତି ବ୍ୟବହାର ହେବା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଗତ ୧୦ବର୍ଷ ଭିତରେ ଓଡ଼ିଶା ବିଦ୍ୟୁତ ବଣ୍ଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଖର୍ଚ୍ଚ ହୋଇଥିବା ୨୦ହଜାର କୋଟି ଠିକ୍‌ ଭାବେ ବ୍ୟୟ ହୋଇନାହିଁ। ମାତ୍ର ୭୦୦ କୋଟି ଟଙ୍କାରେ ୫୧% ମାଲିକାନା ପାଇଛି ଟାଟା ପାୱାର। ସିଏଜି ଏହି ପୁଞ୍ଜିବ୍ୟୟ ଉପରେ ଆପତ୍ତି ଆଣିଛନ୍ତି । ବିଦ୍ୟୁତ ଶୁଳ୍କରେ ଅନିୟମିତତା ଏବଂ ଜାଣିଶୁଣି ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି କରାଯାଇ ଅଘୋଷିତ ବିଦ୍ୟୁତ କାଟ୍ କରାଯାଉଛି। ଏପ୍ରିଲ-ମେ ମାସରେ ଓଡ଼ିଶାର ଗ୍ରାମାଞ୍ଚଳରେ ୪ ଘଣ୍ଟା ୧୦ମିନିଟ୍ ଏବଂ ସହରାଞ୍ଚଳରେ ୧ଘଣ୍ଟା ୧୦ମିନିଟ୍ ବିଦ୍ୟୁତ କାଟ୍‌ ହେଉଛି।। ବିଜେଡି ସରକାର କାହିଁକି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଏହି ବୈଷମ୍ୟ ସୃଷ୍ଟି କରିଛନ୍ତି ତା’ର ଜବାବ୍ ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସେହିପରି ବିଜୁଳି ବିଲ୍‌ରେ ୩ଟି ସ୍ଲାବ ଥାଏ ଏବଂ ପ୍ରତ୍ୟେକ ସ୍ଲାବ ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ ହୋଇଛି। ଗ୍ରାହକମାନେ ମାସିକିଆ ବଦଳରେ ୨୫-୨୭ ଦିନିଆ ହିସାବରେ ବିଲ୍ ପାଉଛନ୍ତି। ଫଳରେ ଉଚ୍ଚତର ସ୍ଲାବରେ ଦେୟ ପୈଠ କରି ପ୍ରତି ଗ୍ରାହକ ପ୍ରାୟ ମାସିକ ପାଖାପାଖି ୪୨ଟଙ୍କାର କ୍ଷତି ସହୁଛନ୍ତି । ୯୫ଲକ୍ଷ ଗ୍ରାହକଙ୍କୁ ହିସାବକୁ ନେଲେ ମାସିକ ଏବାବଦରେ ହାରାହାରି ୪୦କୋଟି ଟଙ୍କାର ହରିଲୁଟ୍ ହେଉଛି । ଏଭଳି ହରିଲୁଟ୍‌ରେ ରାଜ୍ୟ ସରକାରଙ୍କ ଭାଗ କେତେ ଅଛି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
ବିଦ୍ୟୁତ ବିଲ୍‌ ନାଁରେ ଜନସାଧାରଣଙ୍କଠାରୁ ବର୍ଷ ବର୍ଷ ଧରି ଲୁଟ କରାଯାଇଥିବା ଅର୍ଥକୁ ତୁରନ୍ତ ଫେରସ୍ତ କରିବା ସହ ଗ୍ରାହକଙ୍କୁ ସୁଲଭ, ନିରବଚ୍ଛିନ, ଉଚ୍ଚ ଗୁଣାତ୍ମକ ବିଦ୍ୟୁତ ଯୋଗାଇ ଦେବାକୁ ବିଜେପି ଦାବି କରିଛି। ନଚେତ ରାଜ୍ୟସରକାରଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ବ୍ୟାପକ ଗଣଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର