ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ ବ୍ୟବସ୍ଥା ସମ୍ପର୍କରେ ଆଜି ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ଶକ୍ତି ଉତ୍ପାଦନ, ବିଦ୍ୟୁତ୍ ସରବରାହ ଓ ବଣ୍ଟନ ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି। ୨୦୨୯-୩୦ ସୁଦ୍ଧା ରାଜ୍ୟରେ ବିଦ୍ୟୁତ୍ ଚାହିଦା (ପିକ୍ ଡିମାଣ୍ଡ) ପ୍ରାୟ ୧୦ ହଜାର ମେଗାୱାଟ୍ରେ ପହଞ୍ଚିବ। ଏହାକୁ ମ୍ୟାନେଜ୍ କରିବା ପାଇଁ ଏବେ ଠାରୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ।
ବୈଠକରେ ଉପସ୍ଥାପିତ ତଥ୍ୟ ମୁତାବକ, ରାଜ୍ୟରେ ପ୍ରାୟ ୧ କୋଟି ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି। ଦ୍ରୁତ ଶିଳ୍ପାୟନ ଓ ଆର୍ଥିକ ଅଭିବୃଦ୍ଧି ଯୋଗୁଁ ରାଜ୍ୟରେ ବିଦ୍ୟୁତ୍ ଚାହିଦା ବଢ଼ିବାରେ ଲାଗିଛି। ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ ୨୦୨୯-୩୦ ବେଳକୁ ବିଦ୍ୟୁତ୍ ଚାହିଦାକୁ ଆଖି ଆଗରେ ରଖି ଉତ୍ପାଦନ, ସରବରାହ ଓ ବିତରଣ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏଥିପାଇଁ ନୂଆ ପ୍ରାଇମେରି ସବ୍ ଷ୍ଟେସନ, ନୂଆ ୩୩ କେଭି ଓ ୧୧ କେଭି ଲାଇନ୍ ଆଦି ଭିତ୍ତିଭୂମିର ବିକାଶ ଆବଶ୍ୟକ। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ୩୩/୧୧ କେଭି ଫିଡରଗୁଡିକୁ ସୁଦୃଢ଼ କରିବା ଓ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ବସାଇବା ଜରୁରି। ବଜେଟ୍ରେ ବିଦ୍ୟୁତ୍ କ୍ଷେତ୍ରପାଇଁ ଆବଶ୍ୟକୀୟ ବ୍ୟୟ ବରାଦ କରି ରାଜ୍ୟକୁ ସଦାସର୍ବଦା ଶକ୍ତି କ୍ଷେତ୍ରରେ ବଳକା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବିଦ୍ୟୁତ ବିତରଣ ସମ୍ପର୍କିତ ସମସ୍ତ ଅଭିଯୋଗର ସମୟାନୁଯାୟୀ ସମାଧାନ, ଅକ୍ଷୟ ଶକ୍ତିର ବିକାଶ ଓ ବ୍ୟବହାର ବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ, ଦକ୍ଷ ଓ ଆବଶ୍ୟକୀୟ ମାନବ ସମ୍ବଳ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ବାତ୍ୟା ‘ଦାନା’ ପରବର୍ତ୍ତୀ ସମୟରେ ତୁରନ୍ତ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ କରିଥିବାରୁ ଶକ୍ତି ବିଭାଗ ତଥା ସମସ୍ତ ବିତରକ କମ୍ପାନୀ ମାନଙ୍କୁ ସାଧୁବାଦ ଜଣାଇଥିଲେ। ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଓପିଟିସିଏଲ ଓ ଓଏଚ୍ପିସି ନିର୍ଦ୍ଦେଶକ, ବିତରଣ କମ୍ପାନି ସିଇଓମାନେ ଯୋଗଦେଇ ଥିଲେ।