ବିଜୁଳି ବିଭାଗ ଗୃହ କମିଟି ବୈଠକ: ‘ଅନବରତ ବିଜୁଳି ସେବା ଯୋଗାଅ’

ନିଯୁକ୍ତି ସହ ଟ୍ରାନ୍ସଫର୍ମର ସଜାଡ଼ିବାକୁ ଗୁରୁତ୍ୱ, କ୍ଷେତ୍ର ପରିଦର୍ଶନ କଲା ଟିମ୍‌

ବଲାଙ୍ଗୀର : ବିଜୁଳି ସେବା ପାଇବା ଲୋକଙ୍କ ଅଧିକାର ଅଟେ। ଏଥିପାଇଁ କୋଲକାତା ହାଇକୋର୍ଟ ଏକ ନିର୍ଦେଶନାମା ମଧ୍ୟ ଜାରି କରିଛନ୍ତି। ଏହା ବିନା ଲୋକେ ବଂଚି ପାରିବେ ନାହିଁ। ଏହାକୁ ବିଧାନସଭା ଗୃହ କମିଟିର ଉପକମିଟି-୪ ବିଜୁଳି ଓ ଶକ୍ତି ବିଭାଗ କମିଟି ବୈଠକରେ ଅଧ୍ୟକ୍ଷ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କମିଟି ସଦସ୍ୟ ଝାରସୁଗୁଡ଼ା ବିଧାୟକ କିଶୋର ମହାନ୍ତି ଏବଂ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ବୈଠକରେ ଉପସ୍ଥିତ ଥିବା ବିଭାଗୀୟ ସ୍ୱତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତିରେ ସାଧାରଣ ଜନତାଙ୍କୁ ୨୪ ଘଣ୍ଟା ଅନବରତ ବିଜୁଳି ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିବା ସହ ଏହାକୁ ବିଧାନସଭାକୁ ସୁପାରିସ କରାଯିବ ବୋଲି ଗୃହ କମିଟି କହିଛି।

ବାରମ୍ବାର ବିଜୁଳି କାଟ, ଲୋଭୋଲଟେଜ, ଗ୍ରାମାଞ୍ଚଳରେ ଟ୍ରାନ୍ସଫର୍ମର ଏବଂ ବିଜୁଳିବତିର ଅସୁବିଧା ନିତିଦିନିଆ ଘଟଣା ପାଲଟିଛି। ଟାଟା ପାୱାର ଅଂଚଳରେ ବିଜୁଳି ଦାୟିତ୍ୱ ନେଲା ପରେ ବିଜୁଳି ସେବା ଓ ଦେୟ ଉଭୟ ବେହାଲ ହୋଇଛି। ନିଯୁକ୍ତିରେ ମଧ୍ୟ ସ୍ଥାନୀୟ ଯୁବକଙ୍କୁ ଅଣଦେଖା କରାଯାଉଥିବା ପରିଲକ୍ଷିତ ହୋଇଛି। ସେହିପରି ବିଭିନ୍ନ ସରକାରୀ ଯୋଜନାରେ ଗାଁକୁ ଗାଁ ତଥା ଘରକୁ ଘର ବିଜୁଳି ଦେବାରେ ଟାଟା ପାୱାର ଏଯାଏ ଫେଲ ମାରିଛି। ଅଧ୍ୟକ୍ଷ ନରସିଂହ ମିଶ୍ର ଶୁଳ୍କ ବୃଦ୍ଧିରେ ନିୟନ୍ତ୍ରଣ ସାଙ୍ଗକୁ ଉଚ୍ଚ ମାନର ବିଦ୍ୟୁତ ସେବା ଯୋଗାଇ ଦେବାକୁ କଂପାନିକୁ ନିର୍ଦେଶ ଦେଇଛନ୍ତି। ଆଇନ ଅନୁସାରେ, ସହରାଞ୍ଚଳରେ ସର୍ବାଧିକ ୨୪ ଘଣ୍ଟା ଭିତରେ ଓ ଗ୍ରାମାଞ୍ଚଳରେ ୪୮ ଘଣ୍ଟା ଭିତରେ ବିଦ୍ୟୁତ ସେବାକୁ ଅବ୍ୟାହତ ବ୍ୟବସ୍ଥା ରହିଛି। ତେଣୁ ଏହାକୁ ନିଶ୍ଚିତ କରିବା ପାଇଁ କମିଟି କଂପାନିକୁ ନିର୍ଦ୍ଦେଶ ଦେଇଛି।

ସେହିପରି ବିଦ୍ୟୁତ ସମ୍ବନ୍ଧୀୟ ଅଭିଯୋଗ ପାଇଁ ପୂର୍ବପରି ଏକ ସ୍ୱତନ୍ତ୍ର ଟେଲିଫୋନ୍‌ ନମ୍ବର ଜାରି କରିବା ସହ ଏହାର ପ୍ରଚାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ବିଜୁଳି ଅତ୍ୟାବଶ୍ୟକ ସେବା ହୋଇଥିବା ଏହି କ୍ଷେତ୍ରରେ କଂପାନି ଦ୍ୱାରା କରାଯାଉଥିବା ନିଯୁକ୍ତି କ୍ଷେତ୍ରରେ ଆଉଟସୋର୍ସିଂ କୌଣସି ପ୍ରକାର ମଧ୍ୟ ଗ୍ରହଣୀୟ ନୁହେଁ। ତେଣୁ ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କମିଟି ସଦସ୍ୟ ବିଧାୟକ କିଶୋର ମହାନ୍ତି ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଉପସ୍ଥିତ ଥିବା ଜିଲ୍ଲାପାଳ ମଧ୍ୟ ବିଜୁଳି ଭିତ୍ତିଭୂମି, ଯନ୍ତ୍ରପାତି ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ଏକ ସମୟ ସାରଣୀ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲେ। ତା ପୂର୍ବରୁ କମିଟି ଦ୍ୱାରା କ୍ଷେତ୍ର ପରିଦର୍ଶନ ସମୟରେ ଅନେକ ଗାଁରେ ବିଜୁଳି ସଂଯୋଗ, ଟ୍ରାନ୍ସଫର୍ମର ସମସ୍ୟା, କମ ଉଚ୍ଚତାରେ ଲାଇନ ସଂଯୋଗ ତଥା ଅସୁରକ୍ଷିତ ଟ୍ରାନ୍ସଫର୍ମର ଦେଖିବାକୁ ମିଳିଥିବା କମିଟି ସଦସ୍ୟ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷୋଭର ସହ କହିଥିଲେ। ବୈଠକରେ ଉପସ୍ଥିତ ଥିବା ବିଭାଗୀୟ ତଥା କଂପାନି ଅଧିକାରୀମାନଙ୍କୁ ଅଂଚଳର ବିଜୁଳି ସଂଯୋଗ, ଟ୍ରାନ୍ସଫର୍ମର ଅଭାବ, କର୍ମଚାରୀ ଇତ୍ୟାଦିକୁ ନେଇ ଏକ ନୂତନ ସର୍ଭେ କରି ତାର ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ଗୃହ କମିଟି ନିର୍ଦ୍ଦେଶ ଦେଇଥିଲେ।

ଗ୍ରାମାଞ୍ଚଳ ଷ୍ଟ୍ରିଟଲାଇଟ୍‌ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆଣିବାକୁ ଗୃହ କମିଟି ନିର୍ଦ୍ଦେଶ ଦେବା ସହ କ୍ଷେତ୍ର ପରିଦର୍ଶନ ସମୟରେ କୁତୁର୍ଲା ଗ୍ରାମବାସୀଙ୍କ ଦାବି ମୁତାବକ ସେଠାରେ ଏକ ହାଇମାଷ୍ଟ ଲାଇଟ ଏବଂ ୪ଟି ଷ୍ଟ୍ରିଟ ଲାଇଟ ନିଜ ବିଧାୟକ ପାଣ୍ଠିରୁ ଦେବା ପାଇଁ ସ୍ଥାନୀୟ ଲୋକଙ୍କୁ ଗୃହ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ। ଆଜି କ୍ଷେତ୍ର ପରିଦର୍ଶନ ତଥା ବୈଠକରେ ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀ ରଂଜନ ନାଏକ, ବଲାଙ୍ଗୀର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୂତି ଶତପଥୀ, ଟିଟିଲାଗଡ଼ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଯଜ୍ଞେଶ ପାତ୍ର, ଓପିଟିସିଏଲ୍‌ର ସମସ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଭୁବନେଶ୍ୱରରୁ ଆସିଥିବା ବିଧାନସଭା ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର