ସହି ହେଲାନି ବିଦ୍ୟୁତ କାଟ, ଟାଟା ପାୱାର କାର୍ଯ୍ୟାଳୟ ଘେରିଲେ ମହିଳା

କେନ୍ଦୁଝର: ବିଦ୍ୟୁତ୍‌ କାଟରେ ଅସହ୍ୟ ହୋଇ କେନ୍ଦୁଝର ସଦର ବ୍ଲକ୍‌ ବରଦାପାଳ ପଞ୍ଚାୟତ କୁସୁମିତା ଗ୍ରାମବାସୀ କେନ୍ଦୁଝରରେ ଥିବା ଟାଟା ପାୱାର କାର୍ଯ୍ୟାଳୟକୁ ଶତାଧିକ ମହିଳା ଘେରାଉ କରି ପ୍ରତିବାଦ ଜଣାଇଛନ୍ତି । ଗତ ୨ ମାସ ହେବ ନିୟମିତ ଭାବେ ୧୫ ରୁ ୧୮ ଘଣ୍ଟା ବିଦ୍ୟୁତ୍ କାଟ ହେଉଛି । ହାତୀ ଚଳପ୍ରଚଳ ନାମରେ ଏଭଳି ବିଦ୍ୟୁତ କାଟ କରିଥିବା ଜଣାପଡ଼ିଛି। ବିନା ହାତୀ ଚଳପ୍ରଚଳରେ ସଂଧ୍ୟା ୭ଟା ରୁ ସକାଳ ୭ ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟି ଦିଆଯାଉଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ବିଦ୍ୟୁତ ବିଭାଗ ହାତୀ ଚଳପ୍ରଚଳ ନାମରେ ରାତିସାରା ବିଦ୍ୟୁତ କାଟ କରିବା ଯୋଗୁଁ ଲୋକେ ନାନାଦି ସମସ୍ୟାରେ ପଡ଼ୁଛନ୍ତି। ପିଲାଙ୍କ ପାଠପଢ଼ାରେ ସମସ୍ୟା ହେବା ସହ ବିନା ବିଜୁଳିରେ ଲୋକେ ଅସୁବିଧାରେ ପଡୁଛନ୍ତି।

ହାତୀ ନାଁରେ ମିଛ କହି ପ୍ରତ୍ୟେକ ଦିନ ବିଦ୍ୟୁତ ବିଭାଗ ଲାଇନ କାଟି ଦେଉଛନ୍ତି। ବଣଜଙ୍ଗଲରେ ରହୁଥିବା ଲୋକେ ହାତୀ ବ୍ୟତୀତ ଅନ୍ୟ ବନ୍ୟଜନ୍ତୁଙ୍କର ଶୀକାର ହେବାର ସମ୍ଭାବନା ଭୟ ଘାରିଛି। ବିଶେଷ କରି ସଦର ବ୍ଲକର ବରଦାପାଳ ପଞ୍ଚାୟତ କୁସୁମିତା ଅଞ୍ଚଳରେ ରାତ୍ରୀ ସମୟରେ ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରି ପକାଇଲାଣି। ଏହି ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ୨ଟି ଉଚ୍ଚ ବିଦ୍ୟାଳୟ ରହିଛି। କୁସୁମିତା ଠାରୁ ୧୫ କିଲୋମିଟର ଦୂରରେ ଥିବା ବସନ୍ତପୁର, ଉକୁଚାବେଡ଼ା, ହରିଡାଗୋଡ, ନରଣପୁରଠାରେ ହାତୀ ଚଳପ୍ରଚଳ କଲେ ବରଦାପାଳ ପଞ୍ଚାୟତର ଅନେକ ଗ୍ରାମରେ ବିଦ୍ୟୁତ କାଟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୁସୁମିତା ଅଞ୍ଚଳରେ ଲାଇନ କଟାଯାଉଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଆନ୍ଦୋଳନର ଦାନା ବାନ୍ଧିଲାଣି ।

ଏନେଇ ବୁଧବାର କୁସୁମିତା ଗ୍ରାମର ଶତାଧିକ ଗ୍ରାମବାସୀ ତୁରନ୍ତ ପଦକ୍ଷେପ ନେବାକୁ ଟିପି ନଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଟର ଲିଃ ନିର୍ବାହୀ ଯନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବରଦାପାଳ ସରପଞ୍ଚ ଗଣେଶ ଚନ୍ଦ୍ର ମୁଣ୍ଡା, ୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା, ସଞ୍ଜୟ କୁମାର ମହାକୁଡ, ବ୍ରହ୍ମାନନ୍ଦ ବେହେରା(ପାଣ୍ଡୁ), ସୁଷମା ନାଏକ, ନଳିନୀ ପାତ୍ର, ଶାନ୍ତିଳତା ନାଏକ, ଡାଳିମ୍ବ ନାଏକ, ଲବଙ୍ଗ ନାଏକ, ପ୍ରମିଳା ନାଏକ, ଉଲ୍ଲାସ ନାଏକ, ସନାତନ ଦେହୁରୀ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ବିଦ୍ୟୁତ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର